ଓଡ଼ିଶାଲାଇଭ୍ ବ୍ୟୁରୋ

ଜମୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ମଙ୍ଗଳସୂତ୍ର ବାଣ୍ଟିବ ବୋଲି କହିଥିବା ବେଳେ କଂଗ୍ରେସ କହିଛି ସୁନା ଥାଳି ଦେବ।

ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ୍ ରହିଛି ପ୍ରଚାର ମଇଦାନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ନୂଆ ନୂଆ ନୀତି ଆପଣାଉଛନ୍ତି। ହେଲେ ଏହି ନୂଆ ନୀତି ଆପଣାଇବାରେ ବିଜେପି ଦୁଇ ପାଦ ଆଗକୁ ଯାଇଛି।

କଂଗ୍ରେସ ପ୍ରଥମେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଭୋଟରଙ୍କୁ ପ୍ରଲୋଭିତ କରିଥିବା ବେଳେ ବିଜେପି ଆଜି ଇସ୍ତାହାର ପ୍ରକାଶ କରି ମହିଳା ଭୋଟରଙ୍କ ଉପରେ ଥୋପ ପକାଇଛି।

ବିଜେପି ଏବେ କର୍ଣ୍ଣାଟକର ମହିଳା ଭୋଟରଙ୍କ ଉପରେ ନଜର ପକାଇଛି। ଅଧିକରୁ ଅଧିକ ମହିଳା ଭୋଟ ପାଇବା ପାଇଁ ବିଜେପି ନୂଆ ଫର୍ମୁଲା ଆପଣାଇଛି। ମହିଳା ଭୋଟରଙ୍କୁ ମଙ୍ଗଳସୂତ୍ରର ପ୍ରଲୋଭନ ଦେଖାଇଛି ବିଜେପି।

ବିଜେପି ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ସରକାରକୁ ଆସିଲେ ବିପିଏଲ ପରିବାରର ମହିଳାଙ୍କୁ ମାଗଣାରେ ମଙ୍ଗଳସୂତ୍ର ମିଳିବ। ବିପିଏଲ ପରିବାରର ଯେଉଁ ମହିଳାମାନେ ବିବାହ କରିବାକୁ ଯାଉଛନ୍ତି ସେମାନଙ୍କୁ ୩ ଗ୍ରାମର ମଙ୍ଗଳସୂତ୍ର ଦେବାକୁ ବିଜେପି ଘୋଷଣା କରିଛି। ବିଜେପିର ମଙ୍ଗଳସୂତ୍ର ରାଜନୀତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

୨୦୧୫ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନ ବେଳେ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ମୋଦି ଶାଢ଼ି ବାଣ୍ଟିଥିଲା। ସୁରଟରୁ ପ୍ରାୟ ୫ ଲକ୍ଷ ଶାଢ଼ି ବିହାରକୁ ଆସିଥିଲା। ୨୦୧୬ରେ ତାମିଲନାଡୁରେ ଜୟଲଳିତା ମଧ୍ୟ ମହିଳାମାନଙ୍କୁ ୮ ଗ୍ରାମର ମଙ୍ଗଳସୂତ୍ର ବାଣ୍ଟି ଚର୍ଚ୍ଚାରେ ରହିଥିଲେ। ଏବେ ବିଜେପି ଏହି ଫର୍ମୁଲାକୁ କର୍ଣ୍ଣାଟକରେ ଆପଣାଉଛି।

ଖାଲି ସେତିକି ନୁହେଁ, ଝିଅ ବାହାଘର ସମୟରେ ୨୫ ହଜାର ଟଙ୍କା ଦେବା ପାଇଁ ବିଜେପି ଘୋଷଣା କରିଛି।

ଏପଟେ କଂଗ୍ରେସ ବି ଚୁପ୍ ବସିନି। ବିପିଏଲ ପରିବାରକୁ ସୁନା ଥାଳି ଦେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଝିଅ ବାହାଘର ବେଳେ ଏହି ଥାଳି ଦେବାକୁ କଂଗ୍ରେସ ତାର ଇସ୍ତାହାରରେ ଘୋଷଣା କରିଛି। ସ୍କୁଟି କିଣିବା ପାଇଁ ମହିଳାମାନଙ୍କୁ ୫୦ ପ୍ରତିଶତ ସବ୍‌ସିଡ୍  ଦେବାକୁ କଂଗ୍ରେସ ଘୋଷଣାପତ୍ରରେ ଉଲ୍ଲେଖ କରିଛି।

Comment