ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦିନର ନୀରବତା ପରେ ପୁଣିଥରେ ବିଜେଡି ଶିବିରକୁ ବାଣ ମାରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ବୈଠକକୁ ତାଙ୍କୁ ଡକା ଯାଇ ନଥିବାରୁ ବର୍ଷିଛନ୍ତି ଦାମ। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସିଧାସଳଖ ବିଜେଡି ଶିବିରକୁ ଟାର୍ଗେଟ କରିଛନ୍ତି। ଏହାସହ ମହାନଦୀ ମହାସମ୍ମିଳନୀକୁ ମଧ୍ୟ ଦାମ ତୀର ମାରିଛନ୍ତି।

“ନବୀନ ନିବାସରେ ହୋଇଥିବା ଜଗତସିଂହପୁର ଜିଲ୍ଲା ବିଜେଡି ବୈଠକକୁ ମୋତେ ଡକାଯାଇ ନାହିଁ। ମୋ’ ପୁଅକୁ ଯାଇଥିବାରୁ ମୋତେ ବୈଠକକୁ ଯିବା ପାଇଁ କୁହାଯାଇ ନଥିଲା ବୋଲି କୁହାଯାଉଛି। ତେବେ ମୋ’ ପୁଅ କ’ଣ ବିଧାୟକ ପ୍ରତିନିଧି? ନିର୍ବାଚନ ମଣ୍ଡଳୀର ସମସ୍ୟା ବିଷୟରେ ସେ କ’ଣ କହିବ”, ଏହା କହିଛନ୍ତି ଡାକ୍ତର ଦାମୋଦର ରାଉତ।

ସୋମବାର ଦିନ ନବୀନ ନିବାସରେ ଜଗତସିଂହପୁର ଏବଂ ଢେଙ୍କାନାଳ ଜିଲ୍ଲା ବିଜେଡିର ବୈଠକ ବସିଥିଲା। ଏହି ବୈଠକରେ ସଂପୃକ୍ତ ଜିଲ୍ଲାର ଜନପ୍ରତିନିଧି ଏବଂ ନେତାମାନେ ଉପସ୍ଥିତ ଥିଲେ। ହେଲେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦେଖିବାକୁ ମିଳିଥିଲା। ଦାମଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମ ପ୍ରତିନିଧି ଜଗତସିଂପୁର ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ଦାମବାବୁଙ୍କୁ ପୁଅ ବୈଠକକୁ ଆସିଛନ୍ତି। ସେଥିପାଇଁ ଦାମବାବୁ ଆସି ନାହାନ୍ତି।

ଏହି ପ୍ରସଙ୍ଗରେ ଆଜି ଦାମ ବିଜେଡି ଉପରେ ଜମେଇକି ବର୍ଷିଛନ୍ତି। ଏହାସହ ମହାନଦୀ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ରାଉତ।

“ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଲା। ହେଲେ ମୋତେ ଡକାଗଲା ନାହିଁ। ମୋ ଘର ଦେଇ ମହାନଦୀ ଯାଇଛି। କିନ୍ତୁ ମୋ ସହ କେହି ଆଲୋଚନା କଲେ ନାହିଁ। ବିଧାନସଭାରେ ମଧ୍ୟ ମୋତେ କହିବାକୁ ସୁଯୋଗ ମିଳିଲାନି। ରାଜନୀତିରେ ମୋର ୪୫ ବର୍ଷର ଅଭିଜ୍ଞତା ଅଛି। ହେଲେ ମୋତେ କୌଣସି ପ୍ରସଙ୍ଗରେ ଖୋଜା ଯାଉ ନାହିଁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଡାକ୍ତର ଦାମୋଦର ରାଉତ ଦୀର୍ଘ ଦିନର ନୀରବତା ଭାଙ୍ଗିଛନ୍ତି। ଯାଜପୁରର ଏକ ସଭାରେ ଅଙ୍ଗନବାଡ଼ି ଦିଦି ଏବଂ ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବରେ ବ୍ରାହ୍ମଣମାନଙ୍କ ଉପରେ ନକରାତ୍ମକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ ଡାକ୍ତର ରାଉତ। ଏଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ଏହାସହ ଦଳର ଉପ-ସଭାପତି ପଦ ମଧ୍ୟ ହରାଇଛନ୍ତି।

ମନ୍ତ୍ରୀ ଏବଂ ଉପ-ସଭାପତି ପଦରୁ ଯିବା ପରେ ଡିସେମ୍ବର ୨୬ରେ ପୁରୀଠାରେ ବିଜେଡିର ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସକୁ ଦଳର ବରିଷ୍ଠ ନେତାମାନେ ଯାଇଥିଲେ। କିନ୍ତୁ ଦାମୋଦର ରାଉତ ଏହି ଉତ୍ସବକୁ ଯାଇ ନଥିଲେ।

LEAVE A REPLY

Please enter your comment!
Please enter your name here