ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳ ଗସ୍ତରେ ଯାଇଛନ୍ତି। ୪ ବର୍ଷର ଶାସନ ମଧ୍ୟରେ ଏହା ହେଉଛି ମୋଦିଙ୍କ ତୃତୀୟ ନେପାଳ ଗସ୍ତ। ମୋଦି ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ଦୁଇଦିନିଆ ନେପାଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନକପୁର ବିମାନ ବନ୍ଦରରେ ପହଞ୍ଚିବାପରେ ନେପାଳର ପ୍ରତିରକ୍ଷାମନ୍ତ୍ରୀ ଇଶ୍ୱର ପୋଖରେଲ ମୋଦିଙ୍କୁ ସ୍ୱାଗତ କରିଛନ୍ତି।

ସେଠାରୁ ମୋଦି ବିଂଶ ଶତାବ୍ଦୀରେ ନିର୍ମିତ ଜନକପୁର ଅନ୍ତର୍ଗତ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମୋଦି ଜନକପୁରରେ ରହିବା ପର୍ଯ୍ୟନ୍ତ ଆକାଶ ଏବଂ ବିମାନ ବନ୍ଦରରେ ଅନ୍ୟ ବିମାନକୁ ଉଡ଼ାଣ ଅନୁମତି ଦିଆଯାଇନଥିଲା।

ଏହାପରେ ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ମିଳିତ ଭାବେ ରାମାୟଣ ସର୍କିଟର ଉଦ୍‌ଘାଟନ କରିଛନ୍ତି। ଧାର୍ମିକ ପର୍ଯ୍ୟଟନ ପ୍ରସାର ପାଇଁ ଭାରତୀୟ ପର୍ଯ୍ୟଟନ ମନ୍ତ୍ରାଳୟ ରାମାୟଣ ସର୍କିଟ୍‌ ଆରମ୍ଭ କରିଛି। ଏହାସହ ଅଯୋଧ୍ୟା-ଜନକପୁର ବସ୍‌ ସେବାର ଶୁଭାରମ୍ଭ ମଧ୍ୟ ହୋଇଛି।

ମିଳିତ ଉଦ୍‌ଘାଟନ ପରେ ମୋଦି ସେଠାରେ ଏକ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, “ମାତା ଜାନକୀଙ୍କ ଜନ୍ମସ୍ଥାନକୁ ଆସିବା ପାଇଁ ସମର୍ଥ ହୋଇଥିବାରୁ ମୁଁ ନିଜକୁ ଗୌରବ ମନେକରୁଛି। ଉଭୟ ଦେଶ ମଧ୍ୟରେ ରାମାୟଣ ସର୍କିଟ୍‌ ସୃଷ୍ଟି କରିବା ପାଇଁ ଭାରତ ଓ ନେପାଳ କାମ କରିବେ। ଏହା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରାଇବ”।

ସେଠାରୁ ମୋଦି କାଠମାଣ୍ଡୁକୁ ଯାତ୍ରା କରିଛନ୍ତି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ବୈଦେଶିକସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ୪ ବର୍ଷର ଶାସନ ମଧ୍ୟରେ ଏହା ହେଉଛି ମୋଦିଙ୍କ ତୃତୀୟ ନେପାଳ ଗସ୍ତ।

Comment