ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ରକୁ ବହି ଯାଉଥିବା ମହାନଦୀ ପାଣିକୁ ବିନିଯୋଗ କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତଳମୁଣ୍ଡରେ ୭ଟି ବ୍ୟାରେଜ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର।

ମହାନଦୀରେ ବଡ଼ ଯୋଜନା କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସମୁଦ୍ରକୁ ବହି ଯାଉଥିବା ପାଣିକୁ ପାନୀୟ ଉପଯୋଗୀ ଏବଂ ଜଳସେଚନରେ ଲଗାଇବା ପାଇଁ ରାଜ୍ୟ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ହୀରାକୁଦର ତଳମୁଣ୍ଡରେ ୭ଟି ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ମହାନଦୀର ଶାଖା ଓ ଉପନଦୀମାନଙ୍କରେ ପ୍ରାୟ ୨୨ଟି ବ୍ୟାରେଜ ଓ ଆନିକଟ ନିର୍ମାଣ କରାଯିବ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପ୍ରଦୀପ କୁମାର ଜେନା କହିଛନ୍ତି, “ମହାନଦୀର ତଳମୁଣ୍ଡରେ ୭ଟି ବ୍ୟାରେଜ, ଆନିକଟ ନିର୍ମାଣ ପାଇଁ ଚିହ୍ନଟ ଏବଂ ସର୍ଭେ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ବୈଷୟିକ ଓ ଅନ୍ୟାନ୍ୟ ଅନୁଧ୍ୟାନ ଦାୟିତ୍ୱ ଆଇଆଇଟି ରୁରକିଙ୍କୁ ଦିଆଯାଇଛି। ଖଇରମାଳରେ ନଦୀବନ୍ଧ ପ୍ରକଳ୍ପ ପ୍ରସ୍ତାବ ରହିଛି।”

ମହାନଦୀ ଅବବାହିକାରେ ଲୋୟର ଇନ୍ଦ୍ର, ସୁକତେଲ, ତେଲ, ଜୀରା, ଅଙ୍ଗ, ଲୋୟର ଲାନ୍ଥ, ଇବ୍ ନଦୀ, ବୃତ୍ତଙ୍ଗ ଭଳି ବିଭିନ୍ନ ପ୍ରକଳ୍ପଗୁଡ଼ିକ ଆଗେଇ ଚାଲିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ମହାନଦୀ ଟ୍ରିବ୍ୟୁନାଲ ସ୍ଥିତି ସମ୍ପର୍କରେ ଶ୍ରୀ ଜେନା କହିଲେ ଯେ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଟ୍ରିବ୍ୟୁନାଲ କେଉଁ ଆଧାରରେ ଆନ୍ତଃଜଳ ବିବାଦର ବିଚାର କରିବ ସେନେଇ ମାର୍ଚ୍ଚ ୩୦ ତାରିଖରେ ଲେଟର ଅଫ୍ ରେଫରେନ୍ସ ଜାରି କରିବାକୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ହେଲେ ଏପର୍ଯ୍ୟନ୍ତ ଲେଟର ଅଫ୍ ରେଫରେନ୍ସ ଆସିନାହିଁ। ଆସିବା ପରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଟ୍ରିବ୍ୟୁନାଲକୁ ଅତିରିକ୍ତ ପିଟିସନ ଦିଆଯିବ।

ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, “ରାଜ୍ୟର ପ୍ରାୟ ୬୧ ଲକ୍ଷ ହେକ୍ଟର ଚାଷଜମି ମଧ୍ୟରୁ ପ୍ରାୟ ୪୦୫୭ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ପୂର୍ବରୁ ଜଳସେଚିତ ଜମିର ପରିମାଣ ଥିଲା ୨୪.୮୭ ଲକ୍ଷ ହେକ୍ଟର। ୨୦୧୪ ନିର୍ବାଚନ ବେଳେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୭.୪ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଇଛି। ମାର୍ଚ୍ଚ ମାସ ସୁଦ୍ଧା ୬୨୯୨୪ଟି ଗଭୀର ନଳକୂପ ନିର୍ମାଣ କରାଯାଇଛି।”

Comment