ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି
  • ୨୦୧୭-୧୮ରେ ୬.୮୫ ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ
  • ବିଦେଶକୁ ପ୍ରାୟ ୫୦,୦୦୦ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି ରପ୍ତାନୀ
  • ୧୧ ଲକ୍ଷ ୫୦ ହଜାର ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ
  • ୪ ବର୍ଷରେ ୧୪ ପ୍ରତିଶତ ଦୁଗ୍ଧ ଉତ୍ପାଦନ ବୃଦ୍ଧି

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ଓଡ଼ିଶାରେ କୃଷକମାନଙ୍କର ଆୟ ବିଗତ ଦଶ ବର୍ଷରେ (୨୦୦୩ ଠାରୁ ୨୦୧୩) ଦ୍ୱିଗୁଣିତ ହୋଇଛି ଏବଂ ଏଥିରେ ଗୋପାଳନ, କୁକୁଡ଼ା ପାଳନ, ଛେଳି ପାଳନ ଓ ମାଛ ଚାଷର ବିଶେଷ ଅବଦାନ ରହିଛି। ଏହି ମର୍ମରେ ସରକାରଙ୍କ ତରଫରୁ ବିଭିନ୍ନ ନୀତି କାର୍ଯ୍ୟକାରୀ କରାଯାଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଆଖିଦୃଶିଆ ଉନ୍ନତି ହୋଇପାରିଛି।

ରାଜ୍ୟରେ ମୋଟ ମତ୍ସ୍ୟ ଉତ୍ପାଦନ ୨୦୧୩-୧୪ ମସିହାରେ ୪.୧୪ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୬.୮୫ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଏହି ଅଭିବୃଦ୍ଧି ହାର ବିଗତ ପାଞ୍ଚବର୍ଷ ମଧ୍ୟରେ ଶତକଡ଼ା ୬୫ ଭାଗ ଅଟେ। ସେହିପରି ରାଜ୍ୟରେ ମଧୁର ମାଛ ଉତ୍ପାଦନ ୨୦୧୩-୧୪ ମସିହାରେ ୨.୬୩ ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ ବିଗତ ୫ ବର୍ଷ ମଧ୍ୟରେ ଏହା ଶତକଡ଼ା ୭୨ ଭାଗ ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୪.୫୪ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି।

୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରୁ ବିଦେଶକୁ ପ୍ରାୟ ୫୦,୦୦୦ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି ଓ ସାମୁଦ୍ରିକ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନୀ ହୋଇ ୩ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଉପାର୍ଜିତ ହୋଇଅଛି, ଯାହାକି  ବିଗତ ୨୦୧୩-୧୪ ବର୍ଷରେ ୨୯୪୭୯ ମେଟ୍ରିକ  ଟନ୍ ଥାଇ ୧୭୭୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଉପାର୍ଜନ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୨୦୧୩-୧୪ ବର୍ଷରେ ଉତ୍ପାଦିତ ସମୁଦାୟ ଚିଙ୍ଗୁଡ଼ିର (ଉଭୟ ଚାଷ ଓ ଅନ୍ୟାନ୍ୟ ଉତ୍ସରୁ ଧରା ଯାଇଥିବା) ପରିମାଣ ୩୧୯୧୦ ମେଟ୍ରିକ ଟନ୍ ହୋଇଥିଲା ବେଳେ ଏହା ବିଗତ ୫ ବର୍ଷରେ ୨.୫ ଗୁଣ ବୃଦ୍ଧି ପାଇ ୨୦୧୭-୧୮ ବର୍ଷରେ ୭୮୯୯୨ ମେଟ୍ରିକ ଟନ୍ ହୋଇଅଛି।

ଗୋଷ୍ଠୀ ଦୁର୍ଘଟଣା ଜନିତ ବୀମା ଯୋଜନାରେ ୧୧ ଲକ୍ଷ ମତ୍ସ୍ୟଜୀବୀଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ଲକ୍ଷ୍ୟ ଥିଲାବେଳେ ୨୦୧୭-୧୮ ମସିହାରେ ୧୧ ଲକ୍ଷ ୫୦ ହଜାର ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଅଛି।

ବିରଳ ସାମୁଦ୍ରିକ କଇଁଛ (ଅଲିଭ ରିଡ୍‌ଲେର ସୁରକ୍ଷା ପାଇଁ ପ୍ରଚଳିତ ମାଛଧରା  କଟକଣା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୨୦୦୦ ମତ୍ସ୍ୟଜୀବୀ ପରିବାରଙ୍କୁ ବାର୍ଷିକ ଟ. ୫୦୦୦/-ଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି। ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଦେବୀ ନଦୀ ଓ ରୁଷିକୂଲ୍ୟା ନଦୀ ମୁହାଣ ଅଞ୍ଚଳରେ ବସବାସ କରୁଥିବା ୫୦୦୦ ମତ୍ସ୍ୟଜୀବୀ ପରିବାରଙ୍କୁ ବାର୍ଷିକ ଟ. ୭୫୦୦/-ଙ୍କା ସହାୟତା ରାଶି ପ୍ରଦାନ କରାଯିବ।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବିଗତ ୪ ବର୍ଷରେ (୨୦୧୩-୧୪ରୁ ୨୦୧୭-୧୮) ୧୪ ପ୍ରତିଶତ ବୃଦ୍ଧି ଘଟି ୨୦୧୭-୧୮ ମସିହାରେ ଦୈନିକ ୫୭ ଲକ୍ଷ ଲିଟରରେ ପହଞ୍ଚିଛି, ଯାହାକି ୨୦୧୩-୧୪ ମସିହାରେ ଦୈନିକ ୫୦ ଲକ୍ଷ ଲିଟର ରହିଥିଲା। ସଂଗଠିତ କ୍ଷେତ୍ରରେ ୨୦୧୭-୧୮ ମସିହାରେ, ୪୧୪୦ଟି ସକ୍ରିୟ ଦୁଗ୍ଧ ସମବାୟ ସମିତି ଦ୍ୱାରା ଦୁଗ୍ଧ ସଂଗ୍ରହ କରାଯାଉଛି।

ପ୍ରଥମ ଥର ପାଇଁ ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହା ୨୦୧୭-୧୮ ବର୍ଷରୁ କ୍ଷୀର ଅଧିକ ଉତ୍ପାଦନ ହେଉଥିବା ସମୟରେ ଦୈନିକ ପ୍ରାୟ ୬୦ ହଜାରରୁ ୭୦ ହଜାର ଲିଟର କ୍ଷୀର ପଡୋଶୀ ରାଜ୍ୟ (ଝାରଖଣ୍ଡ ଓ ଛତିଶଗଡ଼) ମାନଙ୍କୁ ଯୋଗାଇ ଦିଆଯାଉଛି।

ରାଜ୍ୟରେ ଦୈନିକ ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୧୦ ଲକ୍ଷ ଲିଟରରେ ପହଞ୍ଚିପାରିଛି, ଯାହାକି ୨୦୧୩-୧୪ ମସିହାରେ ୭ ଲକ୍ଷ ଲିଟରରେ ସୀମିତ ଥିଲା।

ରାଜ୍ୟରେ ଗୋ ମହିଷାଦି ମାନଙ୍କର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ କୃତ୍ରିମ ପ୍ରଜନନ (Artificial Insemination) ଜରିଆରେ ବିଗତ ୫ ବର୍ଷରେ ୭୫.୫୫ ଲକ୍ଷ ଗୋ-ମହିଷାଦିଙ୍କୁ ପ୍ରଜନନ କରାଯାଇ ପ୍ରତିବର୍ଷ ହାରାହାରି ଅଧିକ ୧ ଲକ୍ଷ ଉନ୍ନତ କିସମର ବାଛୁରୀ ସୃଷ୍ଟି ହୋଇଛନ୍ତି।

ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ବିଗତ ୫ ବର୍ଷରେ ୧୮୮୭୬ ଚାଷୀଙ୍କୁ ଗାଈ ଫାର୍ମ (Dairy Unit) କରିବା ପାଇଁ ସରକାରୀ ରିହାତି ଯୋଗାଇ ଦିଆଯାଇଛି।

ରାଜ୍ୟରେ ବାର୍ଷିକ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ଦୈନିକ ୫୭ ଲକ୍ଷରେ ପହଞ୍ଚିପାରିଛି, ଯାହାକି ୨୦୧୪-୧୫ ମସିହାରେ ଦୈନିକ ୫୨ ଲକ୍ଷ ଥିଲା। ଅଣ୍ଡାଦିଆ କୁକୁଡ଼ା ଫାର୍ମର ମୋଟ କ୍ଷମତା ବିଗତ ୪ ବର୍ଷରେ ୭୫ % ହାରରେ ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୭୦ ଲକ୍ଷରେ ପହଞ୍ଚିଛି, ଯାହାକି ୨୦୧୪-୧୫ ମସିହାରେ ୪୦ ଲକ୍ଷ ଥିଲା। ଗଲା ୩ ବର୍ଷରେ ଅଧିକ ୨୩ ଗୋଟି  ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ହୋଇ ୨୬ ଲକ୍ଷ ଅଧିକ ଅଣ୍ଡାଦିଆ କୁକୁଡ଼ା ପାଳନ ହୋଇପାରିଛି। ଏତଦ୍ ବ୍ୟତୀତ ପ୍ରାୟ ୩୦ ଗୋଟି ନୂତନ/ ସଂପ୍ରସାରଣ ଅଣ୍ଡାଦିଆ କୁକୁଡ଼ା ଫାର୍ମ ବ୍ୟବସାୟିକ ଭିତ୍ତିରେ କୃଷି ଆନୁସଂଗିକ ଯୋଜନା ମାଧ୍ୟମରେ ପ୍ରତିଷ୍ଠା କରାଯିବା ପାଇଁ ଆଦେଶନାମା ଦିଆଯାଇଛି। ୨୦୧୯-୨୦ ମସିହା ସୁଦ୍ଧା ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀଶୀଳ କରିବାକୁ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି।

ବାର୍ଷିକ କୁକୁଡ଼ା ମାଂସ ଉତ୍ପାଦନ ଗତ ୩ ବର୍ଷରେ ପ୍ରାୟ ୧୦ % ହାରରେ ବୃଦ୍ଧି ପାଇ ୨୦୧୭-୧୮ ବର୍ଷରେ ୮୩ ହଜାର ମେଟ୍ରିକ ଟନ୍ ଉତ୍ପାଦନ ହୋଇଅଛି, ଯାହାକି ୨୦୧୩-୧୪ ମସିହାରେ ୭୨.୬ ହଜାର ମେଟ୍ରିକ ଟନ୍ ଥିଲା।

ରାଜ୍ୟରେ ଛେଳି, ମେଣ୍ଢାରୁ ଉତ୍ପାଦିତ ମାଂସ ୧୫ % ହାରରେ ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୧୦୦ ହଜାର ମେଟ୍ରିକ ଟନରେ ପହଞ୍ଚିଛି, ଯାହାକି ୨୦୧୩-୧୪ ମସିହାରେ ୮୮ ହଜାର ମେଟ୍ରିକ ଟନ୍ ଥିଲା।

ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ସମ୍ପ୍ରସାରଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଗତ ୩ ବର୍ଷରେ ୨୨୪ ଜଣ ପ୍ରାଣୀ ଚିକିତ୍ସକ, ୬୮୭ ଜଣ ପ୍ରାଣୀଧନ ନିରୀକ୍ଷକ, ୧୪୬ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ଓ ୧୮୯ ଜଣ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ପଦବୀ ପୂରଣ କରାଯାଇଅଛି।

ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମୀକ୍ଷା କରି ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି:-

ବିରଳ ସାମୁଦ୍ରିକ କଇଁଛ (ଅଲିଭ୍ ରିଡ୍‌ଲେ)ର ସୁରକ୍ଷା ପାଇଁ ପ୍ରଚଳିତ  ମାଛଧରା  କଟକଣା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ଦିଆଯାଉଥିବା ସହାୟତାର ପରିମାଣ ଟ. ୫୦୦୦/-ଙ୍କାରୁ ଟ. ୭୫୦୦/-ଙ୍କା ବୃଦ୍ଧି କରାଯିବା ଏବଂ ଏହା ୨୦୦୦ରୁ ୫୦୦୦ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ସ୍ଥିର କରାଯାଇଛି।

ରାଜ୍ୟରେ ୨୦୧୩-୧୪ ମସିହାରେ ଉତ୍ପାଦିତ ମାଛ ୪.୧୪ ଲକ୍ଷ ମେଟ୍ରିକଟନରୁ ଦ୍ବିଗୁଣିତ କରି ୨୦୧୯-୨୦ ମସିହା ସୁଦ୍ଧା ୮.୩ ଲକ୍ଷ ମେଟ୍ରିକ ଟନରେ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ଜୀବିକା ଧାରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଓ ବିଶେଷ ଭାବେ ଗୋପାଳନ କ୍ଷେତ୍ରରେ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଚାଷୀଙ୍କର ଆୟ ବୃଦ୍ଧି ଓ ରାଜ୍ୟରେ କ୍ଷୀର ଉତ୍ପାଦନ ବୃଦ୍ଧି କରିବା ପାଇଁ ସ୍ଥିର ହୋଇଅଛି।

ସ୍ୱତନ୍ତ୍ର ପଦକ୍ଷେପ ଜରିଆରେ ପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦି ସୂତ୍ରରେ ଲିଜ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଞ୍ଚାୟତରାଜ ବିଭାଗର ସହାୟତାରେ ମଧୂର ଜଳ ମାଛଚାଷକୁ ପ୍ରୋତ୍ସାହନ ଦିଆଯିବ।

ମହିଳା ସ୍ୱୟଂ ଗୋଷ୍ଠୀ ମାଧ୍ୟମରେ ମଧ୍ୟମ ଧରଣର କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ନେବାକୁ ଓ ବାଡ଼ି ଅଗଣାରେ କୁକୁଡ଼ା   ପାଳନକୁ ଅଧିକ ଗୁରୁତ୍ୱ ଦେଇ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ୨୦୧୯-୨୦ ମସିହା ସୁଦ୍ଧା ସ୍ୱାବଲମ୍ବୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି।

ରାଜ୍ୟରେ ନିକଟରେ ମଞ୍ଜୁରୀପ୍ରାପ୍ତ ହୋଇଥିବା ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତିଷ୍ଠା କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ କ୍ଷମତାପ୍ରାପ୍ତ କମିଟିର (Empowered Committee) ସୁପାରିଶ କ୍ରମେ ଖାଲିଥିବା ୧୬୪୪ ଗୋଟି ପଦବୀକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସ୍ଥିର ହୋଇଛି।

Comment