ଓଡ଼ିଶାଲାଇଭ୍‌ ବ୍ୟୁରୋ

ବି ଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ଟାର୍ଗେଟ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଟାର୍ଗେଟ କରିଛନ୍ତି। ୟେଦୁରପ୍ପା ସରକାର ଇସ୍ତଫା ଦେବା ପରେ ଅମିତ ଶାହା ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କର୍ଣ୍ଣାଟକବାସୀଙ୍କ ରାୟକୁ ସ୍ୱାଗତ କରିଥିବା ବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ବିରୋଧରେ କର୍ଣ୍ଣାଟକବାସୀ ଜନମତ ଦେଇଛନ୍ତି ବୋଲି ଶାହା କହିଛନ୍ତି।

“କର୍ଣ୍ଣାଟକରେ ସରକାର ଗଠନ ପାଇଁ ଆମେ ଘୋଡ଼ା ବେପାର କରି ନଥିଲୁ। କର୍ଣ୍ଣାଟକବାସୀ ବିଜେପି ସପକ୍ଷରେ ରାୟ ଦେଇଥିଲେ। ବିଧାୟକ ସଂଖ୍ୟା ବିଜେପିର ଅଧିକ ଥିବାରୁ ରାଜ୍ୟପାଳ ସରକାର ଗଠନ କରିବାକୁ ଡାକିଥିଲେ। କଂଗ୍ରେସ କି ଜେଡିଏସ୍‌ର ସଂଖ୍ୟା ଗରିଷ୍ଠତା ନଥିଲା। ଏଣୁ ରାଜ୍ୟପାଳ ସରକାର ଗଠନ କରିବାକୁ କାହାକୁ ଡାକିଥାନ୍ତେ?”, କହିଛନ୍ତି ଅମିତ ଶାହା।

ଅମିତ ଶାହା ଆହୁରି କହିଛନ୍ତି ଯେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ବିଜୟ ଉତ୍ସବ ମନାଇବା ପାଇଁ ସୁଯୋଗ ଦେଲାନି। ହୋଟେଲ ଏବଂ ସୁଇମିଂପୁଲ୍‌ରେ ବିଧାୟକମାନଙ୍କୁ ରଖାଗଲା। କଂଗ୍ରେସ ଯଦି ସେମାନଙ୍କ ବିଧାୟକଙ୍କୁ ହୋଟେଲରୁ ବାହାରକୁ ଛାଡ଼ି ଦେଇଥାନ୍ତା ତାହାଲେ କର୍ଣ୍ଣାଟକବାସୀ ସେମାନଙ୍କୁ କହିଥାନ୍ତେ ଆସ୍ଥା ଭୋଟରେ କାହାକୁ ଭୋଟ ଦେବ।

କର୍ଣ୍ଣାଟକବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିଜେପିକୁ କର୍ଣ୍ଣାଟକ ଭୋଟର ସରକାର ଗଢ଼ିବା ପାଇଁ ସୁଯୋଗ ଦେବାକୁ ଚାହୁଁଥିଲେ। କର୍ଣ୍ଣାଟକ ଭୋଟର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ନେଇ ଖୁସି ନାହାନ୍ତି। ସେମାନେ ବିଜୟ ଉତ୍ସବ ମନାଇ ପାରୁ ନାହାନ୍ତି। ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମିଥ୍ୟା ପ୍ରଚାର କରିଛନ୍ତି। ସମସ୍ତ ସୀମା ଉଲ୍ଲଙ୍ଘନ କରିଥିଲା କଂଗ୍ରେସ।

“କଂଗ୍ରେସ-ଜେଡିଏସ୍ ମଧ୍ୟରେ ଯେଉଁ ମେଣ୍ଟ ଗଠନ ହୋଇଛି ତାହା ଅପବିତ୍ର। ଜନାଦେଶ ବିରୋଧରେ କଂଗ୍ରେସ ଯଇଛି। ଜନାଦେଶ ବିରୋଧରେ କଂଗ୍ରେସ ଜେଡିଏସ୍ ସହ ମେଣ୍ଟ କରିଛି। କଂଗ୍ରେସ ଏବଂ ଜେଡିଏସ୍‌ ନେତାମାନେ ନିର୍ବାଚନ ପ୍ରଚାର ବେଳେ କିପରି କଥା କଟାକଟି ହେଉଥିଲେ ତାହା କର୍ଣ୍ଣାଟକ ଭୋଟର ଜାଣିଛନ୍ତି”, କହିଛନ୍ତି ଅମିତ ଶାହା।

Comment