ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେର ବରିଷ୍ଠ ନେତା କପିଲ ସିବଲ ଓଡ଼ିଶା ଆସି ବିଜେଡି-ବିଜେପି ଉପରେ ବର୍ଷୁଥିବା ବେଳେ କଟକରେ ଆଇନଜୀବୀମାନେ ଗୋ ବ୍ୟାକ ସିବଲ ନାରା ଦେଇଥିଲେ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଜାଗ୍ରତ ହୋଇଛି ଓଡ଼ିଶା କଂଗ୍ରେସ। ପିସିସି ସଭାପତି ନିଜେ ଏବଂ ଅନ୍ୟ ତିନି କାର୍ଯ୍ୟକାରୀ ସଭାପତି ବିଭନ୍ନ ଅଞ୍ଚଳ ବୁଲି ସଙ୍ଗଠନ ମଜଭୁତ କାମରେ ଲାଗିଛନ୍ତି। ୨୦୧୯ରେ ବିଜେଡି ଏବଂ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ସଜବାଜ ହେଉଛି। ହେଲେ ଏହି ସମୟରେ ବିବାଦୀୟ ନେତା କପିଲ ସିବଲ ଓଡ଼ିଶା ଆସି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଏବଂ ବିଜେପିକୁ ସମାଲୋଚନା କରିବା ଘଟଣାକୁ ରାଜନୀତି ପର୍ଯ୍ୟବେକ୍ଷକ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସିବଲ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଓଡ଼ିଶାରେ ସିବଲଙ୍କ ବୟାନ ଗ୍ରହଣୀୟ ହେବ ନାହିଁ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ଶନିବାର ଦିନ କେନ୍ଦ୍ରର ଏନଡିଏ ସରକାରକୁ ଚାରି ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ କଟକ। କଟକ ବାଲିଯାତ୍ରା ପଡ଼ିଆରେ ମୋଦି ଚାରି ବର୍ଷ ସରକାରର ସଫଳତାର କାହାଣୀ ବଖାଣିବା ସହ କଂଗ୍ରେସକୁ ବାଣ ମାରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ହଟଚମଟ ସୃଷ୍ଟି ହୋଇନି ତାଠୁ ଅଧିକ ଚର୍ଚ୍ଚା ହେଉଛି କପିଲ ସିବଲଙ୍କ ଓଡ଼ିଶା ଗସ୍ତକୁ ନେଇ।

ମୋଦି ସରକାର ଯେଉଁଦିନ ପୂର୍ତ୍ତି ଉତ୍ସବ ପାଳନ କରୁଥିଲେ ସେହିଦିନ କଂଗ୍ରେସ ସାରା ଦେଶରେ ବିଶ୍ୱାସଘାତ ଦିବସ ପାଳନ କରୁଥିଲା। ଏଥିପାଇଁ କପିଲ ସିବଲ ଆସିଥିଲେ ଓଡ଼ିଶା। କଂଗ୍ରେସ ଭବନରେ ଆୟୋଜିତ ବିଶ୍ୱାସଘାତ ଦିବସରେ ଯୋଗଦେଇ ସିବଲ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାସହ ବିଜେଡି ସରକାରଙ୍କୁ ମଧ୍ୟ ଛାଡ଼ି ନଥିଲେ ସିବଲ। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଏହି ବରିଷ୍ଠ କଂଗ୍ରେସ ନେତା।

ସିବଲ ଯେତେବେଳେ କଂଗ୍ରେସ ଭବନରେ ବିଜେଡି ଏବଂ ବିଜେପି ଉପରେ ବର୍ଷୁଥିଲେ ସେତେବେ

ଳେ କଟକରେ ଓକିଲ ସଂଘ ଗୋ ବ୍ୟାକ କପିଲ ସିବଲ ନାରା ଦେଉଥିଲେ। କାରଣ ସିବଲ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ନେତୃତ୍ୱ ନେଇଥିଲେ।

ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ଓଡ଼ିଶାର ଲୋକ। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିବାରୁ ସମସ୍ତ ଓଡ଼ିଶାବସୀଙ୍କର ଭଲପାଇବା ତାଙ୍କ ସହ ଯୋଡ଼ି ହୋଇ ରହିଛି। କିନ୍ତୁ ଦୀପକ ମିଶ୍ରଙ୍କୁ ହଟାଇବା ପାଇଁ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିଥିବାରୁ ଓଡ଼ିଶାର ବହୁ ଆଇନଜୀବୀ ଏହାକୁ ଗ୍ରହଣ କରିପାରି ନାହାନ୍ତି। କପିଲ ସିବଲ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିବାରୁ ଆଇନଜୀବୀମାନେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଏହା ଓଡ଼ିଶା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି।

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଯେତେବେଳେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା ସେତେବେଳେ ବିଜେଡି ଏବଂ ବିଜେପି ଏହାକୁ ସମର୍ଥନ କରିନଥିଲେ। ଓଲଟା କଂଗ୍ରେସ ଉପରେ ବର୍ଷିଥିଲେ। ହେଲେ ଯେଉଁ ସିବଲ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ ସେ ଓଡ଼ିଶା ଆସି ବିଜେଡି-ବିଜେପି ଉପରେ ବର୍ଷିବା ଘଟଣା କଂଗ୍ରେସ ପାଇଁ ସଫଳ ହୋଇନପାରେ ବୋଲି ଆଲୋଚନା ହେଉଛି।

Comment