ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ହସ୍ତକଳା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଅନିତା ସାବତ। 

ନିକଟରେ ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ବ୍ରିକ୍ସ (ବ୍ରାଜିଲ,ଋଷିଆ, ଭାରତ ଓ ଚୀନ) ଆଲାୟନ୍ସ ବିଜନେସ ଫୋରମରେ ଓଡ଼ିଆ ଝିଅ ଅନିତା ସାବତ ଅଂଶ ଗ୍ରହଣ କରି ଓଡ଼ିଶାର ହସ୍ତକଳା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ବ୍ରିକ୍ସ ଆଲାୟନ୍ସ ଫୋରମର ଲକ୍ଷ୍ୟ ହେଉଛି ସୃଜନ, ଉଦ୍ୟୋଗ ଓ ସହଯୋଗ ଜରିଆରେ ଏହି ଚାରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା।

ବିଶ୍ଵର କୋଣ ଅନୁକୋଣରେ ଥିବା ଉଦ୍ୟୋଗୀ, ବିଜନେସ ଲିଡ଼ର, ବିଜନେସ ଫାସିଲିଟେଟର, ପୁଞ୍ଜି ନିବେଶକାରୀ ଓ ବୃତ୍ତିଧାରୀଙ୍କ ପାଇଁ ଏକ ମିଳିତ ମଞ୍ଚ ତିଆରି କରିବା ମଧ୍ୟ ଏହି ଫୋରମର ଅନ୍ୟ ଏକ ମହତ ଉଦ୍ଦେଶ୍ୟ। ଦିଲ୍ଲୀରେ ଅନୁଷ୍ଠିତ ଏହି ଫୋରମର ସମ୍ମିଳନୀରେ ଦେଶର ଆଠଟି ରାଜ୍ୟ ମିଳିତ ଭାବେ ଭୌଗୋଳିକ ପରିଚୟ ବା ଜିଆଇ ଟ୍ୟାଗ ପାଇଥିବା ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ।

ଓଡ଼ିଶାର ଆଠଟି ପ୍ରସିଦ୍ଧ ହସ୍ତଶିଳ୍ପକୁ ଅନିତାଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଏଥିରେ ଥିଲା କୋଟପାଡ଼ ହସ୍ତତନ୍ତ, ଓଡ଼ିଶା ଇକତ, ପିପିଲି ଚାନ୍ଦୁଆ କାମ, କୋଣାର୍କର ପଥର କାମ, ଓଡ଼ିଶାର ପଟ୍ଟଚିତ୍ର, ଖଣ୍ଡୁଆ ଶାଢ଼ୀ, ହବସପୁରୀ ଶାଢ଼ୀ, ଧଳାପଥର ପରଦା, ବମକେଇ ଶାଢ଼ୀ, ସମ୍ବଲପୁରୀ ଶାଢ଼ୀ, ଗୋପାଳପୁର ଟସର ଓ ବ୍ରହ୍ମପୁରର ଫୋଡା କୁମ୍ଭ ଶାଢ଼ୀ।

ଅନିତା କହିଛନ୍ତି, “ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଓଡ଼ିଶାର ଜିଆଇ ଟ୍ୟାଗ ପାଇଥିବା ହସ୍ତ ଶିଳ୍ପକୁ ପ୍ରଶଂସା କରିଛନ୍ତି। ତା’ଛଡା ଭବିଷ୍ୟତରେ ଏଗୁଡ଼ିକ ପାଇଁ ବଜାର ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।”

ଅନିତା ସାବତ ଓ ତାଙ୍କ ଭଉଣୀ ଅମୃତା ହେଉଛନ୍ତି ନୂଆ ପିଢ଼ିର ଦୁଇ ଜଣ ମହିଳା ଶିଳ୍ପଦ୍ୟୋଗୀ। ଅମୃତା ଜଣେ ଇଞ୍ଜିନିୟର ଓ ଭୁବନେଶ୍ଵର ଏକ୍ସଆଇଏମବିରୁ ଏମବିଏ କରିଥିବା ବେଳେ ଅନିତା ମଧ୍ୟ ଏମବିଏ ପଢ଼ିଛନ୍ତି। ଉଭୟେ ଚାକିରୀ କରୁଥିଲେ କିନ୍ତୁ ଚାକିରୀ ଛାଡ଼ି ଏବେ ‘ସାବତ ଏକ୍ସପୋର୍ଟସ’ ନାମକ ଏକ କମ୍ପାନି ଖୋଲିଛନ୍ତି। ଦୁହେଁ ଜଣେ ଜଣେ ଭଲ ବ୍ଲଗର ମଧ୍ୟ।

“ଟୁଇଟରରେ ଥରେ ଆମେ ପିପିଲି ଚାନ୍ଦୁଆ ଉପରେ କିଛି ଲେଖିଥିଲୁ ଓ ଆମ ଫଲୋଅରମାନଙ୍କୁ ଏହାକୁ ଚିହ୍ନିବା ପାଇଁ ଅନୁରୋଧ କଲୁ। ଅଧିକାଂଶ ଲୋକ କହିଲେ ଏହା ରାଜସ୍ଥାନ କି ଗୁଜରାଟର। ଏଥିରେ ବ୍ୟସ୍ତ ଓ ବ୍ୟଥିତ ହୋଇ ଆମେ ଦୁଇ ଭଉଣୀ ନିଷ୍ପତ୍ତି ନେଲୁ ଯେ ଓଡ଼ିଶାର ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କିଛି କରିବାକୁ ହେବ”, କହିଛନ୍ତି ଅନିତା।

ଅନିତା ଓ ଅମୃତା ସିଙ୍ଗାପୁର, ଚୀନରେ ଅନୁଷ୍ଠିତ ଟ୍ରେଡ଼ ଫେୟାରରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଆଗକୁ ସେମାନେ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ରହିଛି। ସବୁଠୁ ବଡ଼ କଥା ହେଉଛି ସେମାନେ ରାଜ୍ୟର ବିଭିନ୍ନ କୋଣରେ ଥିବା କାରିଗରମାନଙ୍କ ସହ ଯୋଗାଯୋଗ ସ୍ଥାପନ କରି ସେହିସବୁ ସାମଗ୍ରୀର ବିକ୍ରି ସାଙ୍ଗକୁ କିଛିକିଛି ନୂଆ ଡିଜାଇନ ଓ ନୂଆ ସାମଗ୍ରୀ ସମ୍ପର୍କରେ ମଧ୍ୟ କାରିଗରମାନଙ୍କୁ ସଚେତନ କରିପାରିଛନ୍ତି।

Comment