ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ଅଭିନେତା-ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର କରିଛନ୍ତି।

ବଲିଉଡ୍‌ ଅଭିନେତା ସଲମାନ ଖାନ ଭାଇ ତଥା ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର କରିଛନ୍ତି।

ଗତକାଲି ହାଜର ହେବା ଲାଗି ସମନ ପାଇବା ପରେ ଶନିବାର ସକାଳେ କଡ଼ା ସୁରକ୍ଷା ଭିତରେ ଅରବାଜ୍‌ ଥାନେ ପୁଲିସର କ୍ରାଇମବ୍ରାଞ୍ଚ ଶାଖାରେ ହାଜର ହୋଇଥିଲେ। ତାଙ୍କୁ ପୁଲିସ ଆଇପିଏଲ୍‌ ବେଟିଂ ମାମଲାରେ ଗିରଫ ହୋଇଥିବା ବୁକି ସୋନୁ ଜଲାନ୍‌ ସହ ସାମ୍ନାସାମ୍ନି ବସାଇ ଜେରା କରିଥିଲା। ଜେରା ସମୟରେ ଅରବାଜ୍‌ ତାଙ୍କର ସମ୍ପୃକ୍ତିକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

ଆଇପିଏଲ୍‍-୧୮ରେ ପାଖାପାଖି ୧୦୦୦ କୋଟି ଟଙ୍କାର ବେଟିଂ ହୋଇଥିବାର କଥା ଜଣାପଡ଼ିଛି। ଏହି ବେଟିଂ ପାକିସ୍ତାନରେ ଆତ୍ମଗୋପନ କରୁଥିବା କୁଖ୍ୟାତ ଅଣ୍ଡରୱାର୍ଲଡ ଡନ୍‍ ଦାଉଦ୍‍ ଇବ୍ରାହିମ୍‍ର ଗ୍ୟାଙ୍ଗ୍‍ ବା ଡି-ଗ୍ୟାଙ୍ଗ୍‍ ଦ୍ୱାରା କରା ଯାଇଥିବା ସୁରାକ୍‍ ଥାନେ ପୁଲିସ ପାଇପାରିଛି।

ଡି-ଗ୍ୟାଙ୍ଗ୍‍ ସହ ସମ୍ପର୍କ ରଖିଥିବା ଜଣେ କୁଖ୍ୟାତ ବୁକି ସୋନୁ ଜଲାନ୍‍କୁ ଥାନେ ପୁଲିସ ଗିରଫ କରିବା ପରେ ତା’କୁ ଜେରା ବେଳେ ବହୁତ ତଥ୍ୟ ସମ୍ମୁଖକୁ ଆସିଛି।

ମେ’ ୨୯ରେ ଗିରଫ ହୋଇଥିବା ସୋନୁ ଜାଲାନ୍‍କୁ ଜେରା ବେଳେ ଥାନେ ପୁଲିସ ଜାଣିପାରିଛି ତା’ ପାଖରେ ଅର୍ଥ ଖଟାଉଥିବା ନାମୀଦାମୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପ୍ରମୁଖ ହେଲେ ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଅରବାଜ୍‍ ଖାନ।

ଜେରାବେଳେ ସୋନୁ ପ୍ରକାଶ କରିଥିଲା ଯେ ବହୁତବର୍ଷ ହେଲା ଅର୍‍ବାଜ୍‍ ତା’ ପାଖରେ କ୍ରିକେଟ ମ୍ୟାଚ୍‍ରେ ବାଜି ଲଗାଉଥିଲେ ବା ବେଟିଂ କରୁଥିଲେ। ଏହାସହ ସୋନୁ ଘରୁ ପୁଲିସକୁ ମିଳିଥିବା ଡାଏରୀରୁ ଅର୍‍ବାଜଙ୍କ ନାମ ମିଳିଛି ଏବଂ ତା’ର ମୋବାଇଲ୍‍ ଫୋନ୍‍ରୁ ଅର୍‍ବାଜଙ୍କ ସହ ସୋନୁର ଫଟୋ ମଧ୍ୟ ମିଳିଛି। ଏହି ଆଧାରରେ ଅର୍‍ବାଜଙ୍କୁ ଥାନେ ପୁଲିସ ସମନ ଗତକାଲି କରିଥିଲା।

ପୂର୍ବରୁ ଆଇପିଏଲ୍‍ ବେଟିଂରେ ଅଭିନେତା ବିନ୍ଦୁ ଦାରା ସିଂହଙ୍କ ନାମ ଆସିଥିବା ବେଳେ ସୁପରଷ୍ଟାର୍‍ ସଲ୍‍ମାନ ଖାନ୍‌ଙ୍କ ସାନଭାଇ ଅର୍‍ବାଜଙ୍କ ନାମ କ୍ରିକେଟ ବେଟିଂରେ ଆସିବା ବଲିଉଡ୍‍ରେ ହଇଚଇ ସୃଷ୍ଟିକରିଛି।

କେବଳ ଅର୍‍ବାଜ ନୁହନ୍ତି; ବଲିଉଡ୍‍ର ଆହୁରି ବହୁତ ନାମୀ ବ୍ୟକ୍ତିତ୍ୱ ତାଙ୍କ ଜରିଆରେ କ୍ରିକେଟ୍‍ରେ ବେଟିଂ କରୁଥିବା ଜେରା ବେଳେ ସୋନୁ ଜଲାନ୍‍ କହିଛି। କେବଳ ଏତିକି ନୁହେଁ; ସୋନୁର କହିବା ଅନୁସାରେ, ଆରମ୍ଭରୁ ଅର୍‍ବାଜ ଖାନ୍‌ କ୍ରିକେଟ ବେଟିଂରୁ ବହୁତ ଲାଭ କମାଇଥିଲେ। ଫଳରେ ଧିରେଧିରେ ସେ ଅଧିକ ପଇସା ଲଗାଇଥିଲେ। ତେବେ ଗତ ଆଇପିଏଲ୍‍ରେ ଅର୍‍ବାଜ ବହୁତ ଆର୍ଥିକ କ୍ଷତି ସହିଥିଲେ।

Comment