ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋରାପୁଟ ବରିପୁଟରେ ସେନାର ବୈଷୟିକ ଟିମ୍
  • ରାଞ୍ଚିରୁ ଆସିଛନ୍ତି ଟିମ୍
  • ଦୁଇଟି ପଥର ବ୍ଲାଷ୍ଟ କଲା ସେନା
  • ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା

କୋରାପୁଟ ବରିପୁଟରେ ପଥର ତଳେ ଚାପି ହୋଇ ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରୟାସ। ସେନାର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପଥର ବ୍ଲାଷ୍ଟିଂ ଜାରି ରଖିଛନ୍ତି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

୭ ଦିନ ହେଲା ପଥର ତଳେ ଚାପି ହୋଇ ରହିଛନ୍ତି ଦୁଇ ଜେସିବି ଅପରେଟର। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍, ଏନଡିଆର୍‌ଏଫ୍ ଟିମ୍ ଫେଲ୍ ମାରିବା ପରେ ପ୍ରଶାସନ ସେନାର ସହାୟତା ଲୋଡ଼ିଥିଲା। ରାଞ୍ଚିରୁ ସେନାର ଏକ ବୈଷୟିକ ଟିମ୍ ଆସି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପଥର ବ୍ଲାଷ୍ଟିଂ ପାଇଁ ଗ୍ରାମବାସୀ ଅନୁମତି ଦେବା ପରେ ଆଜି ସେନା ଦୁଇଟି ପଥର ବ୍ଲାଷ୍ଟ କରିଛି। ହେଲେ ଜେସିବି ଅପରେଟରଙ୍କୁ ଉଦ୍ଧାର କରିପାରି ନାହିଁ।

ଫଶିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଆହୁରି ପଥର ବ୍ଲାଷ୍ଟିଂ କରିବାକୁ ସେନା ଉଦ୍ୟମ ଜାରି ରଖିଛି।

ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ନିକଟରେ ଥିବା ଗୁମ୍ମା ପଥର ଖଣିରେ ଗତ ଗୁରୁବାର ଦିନ ପଥର ଧସିଥିଲା। ଏହି ସମୟରେ ଠିକା ସଂସ୍ଥା ଅଧିନରେ କାମ କରୁଥିବା ୨ ଜଣ ଶ୍ରମିକ ଜେସିବି ମେସିନ ନେଇ ପଥର ଖୋଳୁଥିବା ବେଳେ ପଥର ତଳେ ଚାପି ହୋଇଯାଇଥିଲେ। ଏହି ଘଟଣା ବିଜୁଳି ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା।

ସ୍ଥାନୀୟ ପ୍ରଶାସନ ପଥର ତଳୁ କଟକ ଜିଲ୍ଲା ଆଠଗଡ଼ର ସଞ୍ଜୟ ଦାସ ଏବଂ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ଉଦ୍ଧାର କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା। ହେଲେ ଫେଲ୍ ମାରିଥିଲା। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଫେଲ୍ ମାରିବା ପରେ ଶେଷରେ କଟକ ମୁଣ୍ଡଳିସ୍ଥିତ ଏନଡିଆର୍‌ଏଫ୍ ଟମିର ସହାୟତା ଲୋଡ଼ିଥିଲା ଜିଲ୍ଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here