ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ବର୍ଷିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେପି।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜନୀତି ଥମୁନି। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚାବିକୁ ନେଇ ପାଣିପାଗ ଉଷ୍ମ ରହିଛି। ବିଜେପି ଆଜି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି।

ଚାବି ହଜିଛି ନା ଜାଣିଶୁଣି କେଉଁଠି ହଜାଇ ଦିଆଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

“ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ନୁହେଁ ବୋଲି ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି। ଏଥିପାଇଁ ବ୍ୟାଙ୍କ ଲକର୍‌ରେ ସୁନା ଅଳଙ୍କାର ରଖାଯାଇଛି। ରତ୍ନଭଣ୍ଡାର ବାହାରେ ଅଳଙ୍କାର ରଖିବା ସମ୍ପୂର୍ଣ୍ଣ ବେଆଇନ୍। କେଉଁ ଆଇନ ବଳରେ ଶ୍ରୀମନ୍ଦିର ପ୍ରଶାସନ ବ୍ୟାଙ୍କ ଲକର୍‌ରେ ସୁନା ଅଳଙ୍କାର ରଖିଲେ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ରତ୍ନଭଣ୍ଡାର ସୁରକ୍ଷିତ ନୁହେଁ”, କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ପୀତାମ୍ବର ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏଯାଏଁ କିଛି ମନ୍ତବ୍ୟ ଦେଇ ନାହାନ୍ତି। ତେବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଚାବି କେଉଁଠି ଅଛି? ଚାବି ହଜିଛି ନା ଜାଣିଶୁଣି ହଜାଇ ଦିଆଯାଇଛି?

ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ରତ୍ନଭଣ୍ଡାର ଚାବିକୁ ନେଇ ବିଜେପି ଅଯଥା ରାଜନୀତି କରୁଥିବା ସେ କହିଛନ୍ତି।

“ପୀତାମ୍ବର ଆଚାର୍ଯ୍ୟ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ତାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଉ ନାହିଁ। ୧୯୮୫ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାବି ବିବାଦ ଭିତରକୁ ଟାଣିବା ଠିକ୍ ନୁହେଁ”, କହିଛନ୍ତି ପିନାକୀ ମିଶ୍ର।

Comment