ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମେଣ୍ଟ ଶାସନ ବେଳେ ବିଜେପି ହାତରେ ଥିଲା ଆଇନ ବିଭାଗ
  • ବିଜେପି ନେତା ଥିଲେ ଆଇନ ମନ୍ତ୍ରୀ
  • ଶ୍ରୀମନ୍ଦିର ପରିଚାଳନା ପାଇଁ କ’ଣ କରିଛି ବିଜେପି: ଶଙ୍କରାଚାର୍ଯ୍ୟ
  • ଶ୍ରୀମନ୍ଦିର ପରିଚାଳନା ପାଇଁ ଯାହା ହୋଇଛି ଆମ ଅମଳରେ: ବିଶ୍ୱଭୂଷଣ

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ଆଜି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିଜେପି ଉପରେ ବର୍ଷିଛନ୍ତି।

ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ଶାସନ ଚାଲିଥିବା ବେଳେ ଶ୍ରୀମନ୍ଦିର ପାଇଁ ବିଜେପି କ’ଣ କରିଛି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି, “୯ ବର୍ଷ ଧରି ବିଜେପି-ବିଜେଡି ମେଣ୍ଟ ଶାସନ ଚାଲିଥିଲା ଓଡ଼ିଶାରେ। ବିଜେପି ହାତରେ ଆଇନ ବିଭାଗର ଦାୟିତ୍ୱ ରହିଥିଲା। ଏହି ସମୟରେ ବିଜେପି ଶ୍ରୀମନ୍ଦିର ପାଇଁ କ’ଣ କରିଛି? ଶ୍ରୀମନ୍ଦିରରେ ଲାଗି ରହିଥିବା ଅବ୍ୟବସ୍ଥାକୁ କାହିଁକି ଦୂର କରିପାରିଲେନି?”

ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରଶ୍ନ ଶୁଣି ବିଜେପି ଶିବିରରେ ହଲ୍‌ଚଲ୍ ସୃଷ୍ଟି ହୋଇଛି। ତତ୍କାଳୀନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ଶ୍ରୀମନ୍ଦିର ପରିଚାଳନାରେ ଯେଉଁସବୁ ସଂସ୍କାର ଆସିଛି ତାହା ଆମ ଅମଳରେ ହୋଇଛି। ଆମ ସମୟରେ ଶ୍ରୀମନ୍ଦିରରେ ବଡ଼ ଧରଣର ବିଶୃଙ୍ଖଳା ହୋଇନଥିଲା।”

ଶ୍ରୀମନ୍ଦିରର ବିଶୃଙ୍ଖଳାକୁ ନେଇ ଶଙ୍କରାଚାର୍ଯ୍ୟ ସବୁବେଳେ ରାଜ୍ୟ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇ ଆସୁଥିଲେ। ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିଲେ। ହେଲେ ଆଜି ଶଙ୍କରାଚାର୍ଯ୍ୟ ସିଧା ବିଜେପିକୁ ତୀର ମାରିଛନ୍ତି।

Comment