ଓଡ଼ିଶାଲାଇଭ୍ ବ୍ୟୁରୋ

ଅଡ଼ୁଆରେ ପଡ଼ିଛି ବିଜେପି। ରତ୍ନଭଣ୍ଡାରକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରେ ବିଜୟ ମହାପାତ୍ର ବିଜେପିକୁ ନିଶାନା କରିଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଜନଜାଗରଣ ଯାତ୍ରା କରି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ଦାୟୀ କରୁଥିବା ବେଳେ ବିଜେପି ନେତା ବିଜୟ ମହାପାତ୍ର ଆଜି ନିଜ ଦଳକୁ ତୀର ମାରିଛନ୍ତି।

ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସୋମବାର ଦିନ ଯେଉଁ ପ୍ରଶ୍ନ କରିଥିଲେ ଆଜି ସେହି ପ୍ରଶ୍ନ କରିଛନ୍ତି ବିଜୟ।

ବିଜୟ ମହାପାତ୍ର କହିଛନ୍ତି, “ବିଜେପି-ବିଜେଡି ଶାସନ ବେଳେ ବିଜେପି ନେତା ଥିଲେ ଆଇନ ମନ୍ତ୍ରୀ। ୯ ବର୍ଷ ହେଲା ବିଜେପି ହାତରେ ଆଇନ ବିଭାଗ ରହିଥିଲା। ସେତେବେଳେ ରତ୍ନଭଣ୍ଡାର ସୁରକ୍ଷା ପାଇଁ ବିଜେପି କ’ଣ କରିଥିଲା?”

ବିଜୟ ଆହୁରି କହିଛନ୍ତି ଯେ ୬ ମାସରେ ଥରେ ରତ୍ନଭଣ୍ଡାର ଖୋଲିବାର ନିୟମ ରହିଛି। ୯ ବର୍ଷରେ କେତେଥର ରତ୍ନଭଣ୍ଡାର ଖୋଲାଯାଇଛି?

ବିଜୟଙ୍କ ପ୍ରଶ୍ନବାଣରେ ବିଜେପି ଘାଇଲା ହୋଇଯାଇଛି। ପ୍ରଶ୍ନର ଜବାବ ଦେବା ପାଇଁ ଆଗେଇ ଆସିଛନ୍ତି ତତ୍କାଳୀନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ।

ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ମୋ ସମୟରେ ଶ୍ରୀମନ୍ଦିରର ଅଧିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହୋଇଛି। ଅନ୍ୟ କୌଣସି ସରକାର ଅମଳରେ ତାହା ହୋଇନାହିଁ। ମୁଁ ଯାହା କହିଛି ତାହା ଶ୍ରୀମନ୍ଦିର ରେକର୍ଡରେ ରହିଛି। ଯେଉଁମାନେ କିଛି ଜାଣି ନାହାନ୍ତି ସେମାନେ ଉଡ଼ାଣିଆ ମନ୍ତବ୍ୟ ଦେବା ଠିକ୍ ନୁହେଁ।”

ସୋମବାର ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ବାଣ ମାରିଥିଲେ। ମେଣ୍ଟ ଶାସନ ବେଳେ ଶ୍ରୀମନ୍ଦିରର ଅବ୍ୟବସ୍ଥା ସୁଧାରିବା ପାଇଁ କ’ଣ ବ୍ୟବସ୍ଥା କରିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ।

Comment