ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବୁଧବାର ମିଳିଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି
  • ଚାବି ମିଳିବା ପରେ ହଙ୍ଗାମା
  • ବିରୋଧୀଙ୍କ ଟାର୍ଗେଟରେ ଥିଲେ ଜିଲ୍ଲାପାଳ
  • ମୁଁ କିଛି ଲୁଚାଇନି, ଯାହା ସତ ତାହା କହିଛି: ଜିଲ୍ଲାପାଳ

ଜିଲ୍ଲା ରେକର୍ଡ ରୁମ୍‌ରୁ ଭିତର ରତ୍ନଭଣ୍ଡାର ଚାବି ମିଳିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ବିରୋଧୀଙ୍କ ଟାର୍ଗେଟରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ରହିଛନ୍ତି। ଜିଲ୍ଲାପାଳ ସତ କଥା ଲୁଚାଇଥିଲେ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ଆଜି ଜିଲ୍ଲାପାଳ ମୁହଁ ଖୋଲିଛନ୍ତି।

“ରତ୍ନଭଣ୍ଡାର ଚାବିକୁ ନେଇ ମୁଁ କିଛି ଲୁଚାଇନି। ଯାହା ସତ ତାହା ହିଁ ଜଣାଇଛି। ଆମେ କାଲି ଜିଲ୍ଲା ରେକର୍ଡ ରୁମ୍‌ରୁ ଚାବି ପାଇଛୁ। ମୁଦା ଲଫାପା ଭିତରେ ଚାବି ରହିଥିଲା। ଆମେ ସେ ଲଫାପା ଖୋଲିନାହୁଁ। ଲଫାପାକୁ କମିଶନଙ୍କୁ ଦେବୁ। ରତ୍ନଭଣ୍ଡାର ଚାବି ନପାଇବାରୁ ଆମେ ହାତ ଟେକି ଦେଇଥିଲୁ। ହେଲେ ଜଗନ୍ନାଥ ଆମକୁ ଭରସା ହେଲେ”, କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨ ତାରିଖରେ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଜିଲ୍ଲା ଟ୍ରେଜେରିରୁ ଭିତର ରତ୍ନଭଣ୍ଡାର ଚାବି ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଏପ୍ରିଲ ୩ରେ ଚିଠି କରିଥିଲେ। ହେଲେ ୪ ତାରିଖ ସକାଳେ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ନଥିବା ଜଣାଇଥିଲୁ।

ଚାବି ଖୋଜିବା ପାଇଁ ଆମକୁ କୁହାଯାଇଥିଲା। ଆମେ ୨ଟି ଟିମ୍ ଗଠନ କରି ଚାବି ଖୋଜୁଥିଲୁ। ବୁଧବାର ଜିଲ୍ଲା ରେକର୍ଡ ରୁମ୍‌ରୁ ଚାବି ପାଇଥିଲୁ ବୋଲି ଜିଲ୍ଲାପାଳ କହିଛନ୍ତି।

“ମୁଁ କିଛି ଲୁଚାଇ ନାହିଁ। ଯାହା ସତ ତାହା ହିଁ କହିଛି। ମୁଁ ସବୁପ୍ରକାର ତଦନ୍ତକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ମୋର ଯାହା କହିବାର ଅଛି ମୁଁ କମିଶନଙ୍କ ଆଗରେ କହିବି”, କହିଛନ୍ତି ଜିଲ୍ଲାପାଳ।

ବୁଧବାର ଦିନ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ଡୁପ୍ଲିକେଟ ଚାବି କ’ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଭିତର ରତ୍ନଭଣ୍ଡାରର ମୂଳ ଚାବି କୁଆଡ଼େ ଗଲା ବୋଲି ଚର୍ଚ୍ଚା ହୋଇଥିଲା। ଜିଲ୍ଲାପାଳ ଘଟଣାକୁ ପୁଣି ରହସ୍ୟ କରିଦେଲେ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ।

Comment