ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ମିଳିଛି। ହେଲେ ରହସ୍ୟ ହଟିନି। ଏବେ କମିଶନଙ୍କ ତଦନ୍ତକୁ ସମସ୍ତଙ୍କ ଅପେକ୍ଷା।

ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହୋ-ହଲ୍ଲା ଚାଲିଛି। ବହୁ ବାଦ ବିବାଦ ପରେ ଜିଲ୍ଲା ରେକର୍ଡ ରୁମ୍‌ରୁ ମୁଦା ଲଫାପାରୁ ଚାବି ମିଳିବା ପରେ ଜିଲ୍ଲାପାଳ ବିବାଦଘେରକୁ ଚାଲି ଆସିଛନ୍ତି। ଜିଲ୍ଲାପାଳ ଡୁପ୍ଲିକେଟ୍ ଚାବି କାହିଁକି କହୁଛନ୍ତି ତାକୁ ନେଇ ମଧ୍ୟ ଝଡ଼ ଉଠିଛି।

ହେଲେ ସେହି ମୁଦା ଲଫାପା ଭିତରେ ବାସ୍ତବରେ କ’ଣ ଅଛି, କେତୋଟି ଚାବି ଅଛି ଏବଂ ତାହା ଡୁପ୍ଲିକେଟ କି ଅରିଜିନାଲ ତାହା ଜଣାପଡ଼ି ନାହିଁ।

ତଦନ୍ତ କମିଶନଙ୍କ ପାଖରେ ମୁଦା ଲଫାପା ଦାଖଲ କରିବା ପରେ ଯାଇ ହିଁ ସ୍ପଷ୍ଟ ହେବ ତା ଭିତରେ କ’ଣ ଅଛି ଏବଂ ତାହା ଭିତର ରତ୍ନଭଣ୍ଡାରର କି ନୁହେଁ? ତେବେ ଏସବୁ ଭିତରେ ଆଉ ଏକ ବିବାଦ ମୁଣ୍ଡ ଟେକିଛି।

ଡୁପ୍ଲିକେଟ ଚାବି କ’ଣ?

ଜିଲ୍ଲା ରେକର୍ଡ ରୁମ୍‌ରୁ ଯେଉଁ ମୁଦା ଲଫାପା ପାଇଛି ପ୍ରଶାସନ ସେଥିରେ ଲେଖାଯାଇଛି ଯେ ଡୁପ୍ଲିକେଟ୍ ଚାବି। ତେବେ ଏଥିରେ ଡୁପ୍ଲିକେଟ କାହିଁକି ଲେଖାଯାଇଛି ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହି ସନ୍ଦେହକୁ ଜିଲ୍ଲା ପ୍ରଶାସନ ପ୍ରଥମେ ଦୂର କରିବା ଦରକାର।

ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ସ୍ପଷ୍ଟ କରିବା ଦରକାର ଯେ ଭିତର ରତ୍ନଭଣ୍ଡାରରେ କେତୋଟି ତାଲା ପଡ଼ିଛି? ଗୋଟିଏ ତାଲାର କେତୋଟି ଚାବି ଥିଲା? କାରଣ ଗୋଟିଏ ତାଲାର ଦୁଇରୁ ତିନୋଟି ମୂଳ ଚାବି ରହିଥାଏ। ପ୍ରଥମ ଚାବି ପରେ ଅନ୍ୟ ଚାବିକୁ ଲୋକେ ଡୁପ୍ଲିକେଟ କହିଥାନ୍ତି। ଜିଲ୍ଲା ପ୍ରଶାସନ ବଳକା ଚାବିକୁ ଡୁପ୍ଲିକେଟ କହୁ ନାହିଁ ତ? ଯଦି ଦ୍ୱିତୀୟ କିମ୍ବା ତୃତୀୟ ଚାବିକୁ ଡୁପ୍ଲିକେଟ କୁହାଯାଉଛି ତାହାଲେ ମୂଳ ଚାବିଟି କୁଆଡ଼େ ଗଲା ଏବଂ କାହା ହାତରେ ରହିଛି ତାହା ତଦନ୍ତ ପରିସରକୁ ଆସିବା ଦରକାର।

ଜଣେ ପୂର୍ବତନ ମନ୍ଦିର ପ୍ରଶାସକଙ୍କ କହିବା ଅନୁଯାୟୀ, ଭିତର ରତ୍ନଭଣ୍ଡାର ଚାବି ଆଗରୁ ଦୁଇ ଜଣଙ୍କ ପାଖରେ ରହୁଥିଲା। ଜିଲ୍ଲା ପ୍ରଶାସନ ଏବଂ ଗଜପତି ମହାରାଜ। ହେଲେ ୧୯୭୦ ମସିହା ପରଠାରୁ ଗଜପତିଙ୍କ ପାଖରେ ଭିତର ଭଣ୍ଡାରର ଚାବି ରହୁନାହିଁ ବୋଲି ନିଜେ ମହାରାଜ ଦିବ୍ୟସିଂହ ଦେବ ସ୍ପଷ୍ଟ କରିଛନ୍ତି। ତେବେ ଗଜପତିଙ୍କ ପାଖରୁ ଆସିଥିବା ଚାବିଟି କାହା ପାଖରେ ରହିଲା? ଏହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

୧୯୮୫ ପରେ ଚାବି ଫେରିଥିଲା ତ?

ମହାପ୍ରଭୁ ଜଗନ୍ନାଥଙ୍କ ରଘୁନାଥ ବେଶ ପାଇଁ ଅଳଙ୍କାର ଆଣିବାକୁ ଶେଷ ଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲିଥିଲା। ତେବେ ସେତେବେଳେ ଯେଉଁମାନେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଚାବି ନେଇଥିଲେ ସେମାନେ ଠିକ୍ ଚାବି ଫେରାଇଥିଲେ ତ? ସେମାନେ କାହାକୁ ଚାବି ଫେରାଇଥିଲେ? ତତ୍କାଳୀନ ଅଧିକାରୀ ଚାବିକୁ କେଉଁ ଜାଗାରେ ରଖିଥିଲେ? ଏନେଇ ମଧ୍ୟ ତଦନ୍ତ ହେବା ଦରକାର। ୧୯୮୫ରୁ ୨୦୧୮ ପର୍ଯ୍ୟନ୍ତ ଯେଉଁ ଅଧିକାରୀମାନେ ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନର ଦାୟିତ୍ୱରେ ଥିଲେ ସେମାନଙ୍କୁ କମିଶନ ତଦନ୍ତ ପରିସରକୁ ଆଣିବେ କି?

ଭଣ୍ଡାର ଘରେ କେତୋଟି ତାଲା?

ଶ୍ରୀମନ୍ଦିରରେ ଦୁଇଟି ଭଣ୍ଡାର ରହିଛି। କିଛି ପୂର୍ବତନ ପ୍ରଶାସକ ଏବଂ ବରିଷ୍ଠ ସେବାୟତଙ୍କ କହିବା ଅନୁଯାୟୀ ବାହାର ଭଣ୍ଡାରରେ ତିନୋଟି ଚାବି ରହିଛି ଏବଂ ଭିତର ଭଣ୍ଡାରରେ ତିନୋଟି ତାଲା ପଡ଼ିଛି। ବାହାର ଭଣ୍ଡାରର ଚାବି ଭଣ୍ଡାର ମେକାପ, ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଥାଏ। ଏହି ତିନି ବ୍ୟବସ୍ଥା ଏକାଠି ହେଲେ ହିଁ ବାହାର ଭଣ୍ଡାର ଖୋଲିଥାଏ।

ଭିତର ରତ୍ନଭଣ୍ଡାରରେ ତିନୋଟି ତାଲା ପଡ଼ିଥିବା କୁହାଯାଉଛି। ଦୁଇଟି ଜଉମୁଦ ଦିଆଯାଇଥିବା ବେଳେ ଆଉ ଗୋଟିଏରେ ଜଉମୁଦ ଦିଆଯାଇ ନାହିଁ। ତେବେ ଏଯାଏଁ ସ୍ପଷ୍ଟ ହୋଇନି ତିନୋଟି ତାଲା ପାଇଁ କେତୋଟି ଚାବି ରହିଛି। ଜିଲ୍ଲା ପ୍ରଶାସନ ପ୍ରଥମେ ସ୍ପଷ୍ଟ କରିବା ଦରକାର ଯେ ତିନୋଟି ତାଲା ପାଇଁ କେତୋଟି ଚାବି ରହିଛି?

ତିନି ମାସରେ ତଦନ୍ତ ସରିବ ତ?

ଚାବି ବିବାଦକୁ ନେଇ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁ ବୀର ଦାଶଙ୍କୁ କମିଶନ ଅଧ୍ୟକ୍ଷ କରାଯାଇଛି। ତଦନ୍ତ ପାଇଁ ଆଜି ସରକାର ବିଜ୍ଞପ୍ତି ପ୍ରକାଶ କରିବା ସହ ତିନି ମାସ ଭିତରେ ତଦନ୍ତ ଶେଷ କରିବାକୁ କମିଶନଙ୍କୁ କହିଛନ୍ତି।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ବିବାଦ ଏକ ସମ୍ବେଦନଶୀ ପ୍ରସଙ୍ଗ ହୋଇଥିବାରୁ ତିନି ମାସରେ ତଦନ୍ତ ଶେଷ ହେବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଅତୀତରେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କମିଶନ ବସାଇଛନ୍ତି। ହେଲେ କମିଶନ ତଦନ୍ତ ଠିକ୍ ସମୟରେ ଶେଷ ହୋଇ ନଥିବାର ନଜିର ରହିଛି। ଏଣୁ ତିନି ମାସରେ ଚାବି ବିବାଦ ପ୍ରସଙ୍ଗର ତଦନ୍ତ ଶେଷ ହେବ ବୋଲି ଆଶା କରିବା ବୃଥା।

କେତେ ଦାୟିତ୍ୱବାନ ଜିଲ୍ଲା ପ୍ରଶାସନ?

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ଜିଲ୍ଲା ପ୍ରଶାସନ କେତେ ଦାୟିତ୍ବରେ ରଖିଥିଲା ତାହା ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣରୁ ଜଣାପଡ଼ୁଛି। ଜିଲ୍ଲାପାଳ କହୁଛନ୍ତି ଯେ ଏପ୍ରିଲ ୩ ତାରିଖରେ ଆମ ପାଖକୁ ଚିଠି ଆସିବା ପରେ ଆମେ ଟ୍ରେଜେରୀରେ ଚାବି ଖୋଜିଥିଲୁ। ହେଲେ ନପାଇବାରୁ ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ ଜିଲ୍ଲା ଟ୍ରେଜେରୀରେ ଥିବା ଭିତର ରତ୍ନଭଣ୍ଡାର ଚାବିକୁ ହେୟ ମନେ କରିଆସୁଥିଲା ଜିଲ୍ଲା ପ୍ରଶାସନ। ଚାବି ଠିକ୍ ଜାଗାରେ ଅଛି କି ନାହିଁ ଯଦି ଜିଲ୍ଲାପାଳ ନିଜେ ଆଗରୁ ଅନୁଧ୍ୟାନ କରିଥାନ୍ତେ ତାହାଲେ ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା।

ଜିଲ୍ଲାପାଳ ଯଦି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ସୁରକ୍ଷା ଦେଇପାରୁ ନାହାନ୍ତି ରତ୍ନଭଣ୍ଡାରର ଅଳଙ୍କାର ଏବଂ ଜିଲ୍ଲାବାସୀଙ୍କ ଧନ ଜୀବନକୁ କିପରି ସୁରକ୍ଷା ଦେବେ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Comment