ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଜାତ ବୁଖାରୀ ହତ୍ୟାକାଣ୍ଡର ତଦନ୍ତ ଭାର ଏସ୍‌ଆଇଟିକୁ ଦିଆଯାଇଥିବା ବେଳେ ଆଜି ଜଣେ ସନ୍ଦିଗ୍ଧକୁ ଗିରଫ କରିଛି କାଶ୍ମୀର ପୋଲିସ।

ଶ୍ରୀନଗରରେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଚାରି ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଗିରଫ କରିଛି। ଏହାସହ ଗୋଟିଏ ବନ୍ଧୁକ ଜବତ ହୋଇଥିବା କାଶ୍ମୀର ଆଇଜି ଏସ୍‌ପି ପାଣି ସୂଚନା ଦେଇଛନ୍ତି।

ଶୁକ୍ରବାର ଦିନ ଆଇଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ତେବେ ଏହି ଘଟଣାର ତଦନ୍ତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସ୍‌ଆଇଟି) କରିବ।

ପୂର୍ବରୁ ପୋଲିସ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ୩ ଜଣ ସନ୍ଦିଗ୍ଧ ସାମିଲ ବୋଲି ଦାବି କରୁଥିଲା। କିନ୍ତୁ ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଫୁଟେଜରୁ ଚାରି ଜଣ ରହିଥିବା ଜଣାପଡ଼ିଥିଲା। ପୋଲିସ ଚାରି ଜଣଙ୍କ ଭିତରୁ ଜଣଙ୍କୁ ଆଜି ଗିରଫ କରିଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ତିନି ଜଣ ସନ୍ଦିଗ୍ଧ ଗୁଳିମାଡ଼ କରି ବାଇକରେ ଫେରାର ହୋଇଯିବା ପରେ ଚତୁର୍ଥ ସନ୍ଦିଗ୍ଧ ସୁଜାତ ବୁଖାରୀଙ୍କ ମୃତଦେହ ପାଖରେ ଛିଡ଼ା ହୋଇଥିଲା ଏବଂ ପରେ ବନ୍ଧୁକ ଧରି ଚମ୍ପଟ ମାରିଥିବା ପୋଲିସ କହିଛି।

କାଶ୍ମୀର ରାଇଜିଂ ଖବରକାଗଜ ସମ୍ପାଦକ ସୁଜାତ ବୁଖାରୀ ଗୁରୁବାର ଦିନ ଅଫିସରୁ ବାହାରୁଥିବା ବେଳେ ଅଚାନକ ଗୋଟିଏ ବାଇକରେ ଆସିଥିବା ୩ ସନ୍ଦିଗ୍ଧ ଗୁଳିମାଡ଼ କରିଥିଲେ। ଫଳରେ ସେଠାରେ ହିଁ ଟଳି ପଡ଼ିଥିଲେ ସୁଜାତ। ତାଙ୍କ ଜଣେ ପିଏସ୍‌ଓ ମଧ୍ୟ ଟଳି ପଡ଼ିଥିବା ବେଳେ ଆଉ ଜଣେ ଆହତ ହୋଇଥିଲେ।

ଏହି ହତ୍ୟାକାଣ୍ଡ ପଛରେ ଲସ୍କର ଆତଙ୍କବାଦୀ ସଙ୍ଗଠନର ହାତ ଥିବା ପୋଲିସ ଦାବି କରିଛି। ଏଣୁ ଏହାର ତଦନ୍ତଭାର ଏସ୍‌ଆଇଟିକୁ ଦିଆଯାଇଛି।

Comment