ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମ୍ବଲପୁରଠାରେ ଆଜି ଦନ ତମାମ୍ ଚାଲିଥିଲା ମାନସ ମନ୍ଥନ।

  • ଫୋକସ୍‌ରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର
  • ପଶ୍ଚିମ ଓଡ଼ିଶା ପର୍ଯ୍ୟଟନକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ
  • ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ପଦକ୍ଷେପ
  • ଅକ୍ଟୋବରରେ ଜଳ ମହୋତ୍ସବ

ପଶ୍ଚିମ ଓଡ଼ିଶାରେ ରହିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆସିବେ ଏବଂ ଏହାର ଭିତ୍ତିଭୂମି କିପରି ସୁଦୃଢ଼ ହୋଇପାରିବ ସେନେଇ ସମ୍ବଲପୁରଠାରେ ହୋଇଛି ମାନସ ମନ୍ଥନ।

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ସ୍ଥାନୀୟ ହୋଟେଲ ମାଲିକ, ପ୍ରଶାସନିକ ଅଧିକାରୀ, ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ଜନପ୍ରତିନିଧିମାନେ ଏକାଠି ହୋଇଥିଲେ।

ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ଓଡ଼ିଶା ଏବଂ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ସମ୍ବଲପୁରର ମିଳିତ ଉଦ୍ୟମରେ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା।

ଏହି କର୍ମଶାଳାରେ ପଶ୍ଚିମ ଓଡ଼ିଶାରେ ଥିବା ପ୍ରମୁଖ ହୋଟେଲର ମାଲିକ, ଟୁର୍ ଅପରେଟର୍, ଟ୍ରାଭେଲ ଏଜେଣ୍ଟମାନେ ଉପସ୍ଥିତ ରହି ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ସମ୍ପର୍କରେ ମତ ଦେଇଥିଲେ।

ଝାରସୁଗୁଡ଼ା ଏୟାରଷ୍ଟ୍ରିପ୍ ବିମାନ ବନ୍ଦରର ମାନ୍ୟତା ପାଇଛି। ଖୁବ୍‌ଶୀଘ୍ର ଏହି ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରିବ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଓଡ଼ିଶାର ପର୍ଯ୍ୟଟନକୁ କିପରି ଉପଭୋଗ କରିବେ ସେସମ୍ପର୍କରେ ଆଲୋଚନା ହୋଇଥିଲା।

“ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ହେଲେ ସମସ୍ତଙ୍କର ସହଯୋଗ ଦରକାର। ସାଧାରଣ ଲୋକ, ସରକାର, ରାଜନେତା ଏବଂ ହୋଟେଲ ମାଲିକଙ୍କ ସହଯୋଗ ରହିଲେ ହିଁ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହୋଇପାରିବ। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରତି ଆମକୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ପଡ଼ିବ। ଏଥିପ୍ରତି ହୋଟେଲ ମାଲିକମାନେ ଧ୍ୟାନ ଦେବା ଆବଶ୍ୟକ”, କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ହୋଟେଲର ରୁମ୍‌ ସଂଖ୍ୟା ବଢ଼ାଇବା ପାଇଁ ଆଲୋଚନା ହୋଇଥିଲା। ହୋଟେଲର ରୁମ୍ ସଂଖ୍ୟା ବଢ଼ାଇବା ପାଇଁ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କର୍ମଶାଳାରେ ଯୋଗ ଦେଇଥିବା ହୋଟେଲ ମାଲିକମାନେ ମତ ରଖିଥିଲେ।

“ବିଦେଶରୁ ବହୁ ପର୍ଯ୍ୟଟକ ଓଡ଼ିଶାକୁ ଆସୁଛନ୍ତି। ଭୁବନେଶ୍ୱରରେ ଦିନେ ଦୁଇଦିନ ରହି ସେମାନେ ଫେରି ଯାଆନ୍ତି। ହେଲେ ସେମାନଙ୍କୁ ଅଧିକ ଦିନ କିପରି ଆମେ ଓଡ଼ିଶାରେ ରଖିପାରିବା ସେନେଇ ଖସଡ଼ା ପ୍ରସ୍ତୁତ ହେବା ଦରକାର। ବିଦେଶୀ ପର୍ଯ୍ୟଟକଙ୍କୁ ୨୧ ଦିନ ରଖିବାକୁ ହେଲେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବାକୁ ପଡ଼ିବ। ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ିବାକୁ ହେବ”, କହିଛନ୍ତି ଏଚ୍‌ଆର୍‌ଏଓ ସଭାପତି ଜେ କେ ମହାନ୍ତି।

ଏହାସହ ପଶ୍ଚିମ ଓଡ଼ିଶାରେ ଜଳ ମହୋତ୍ସବ ଆୟୋଜନ କରିବା ପାଇଁ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ଖୋଲିବା ସମ୍ପର୍କରେ ଆଲୋଚନା ହୋଇଥିଲା।

“ଓଡ଼ିଶାର ଅର୍ଥନୀତି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପର୍ଯ୍ୟଟନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆମେ ଗୁରୁତ୍ୱ ଦେବା ଆରମ୍ଭ କରିଛୁ। ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କାମ ଆରମ୍ଭ କରିଛୁ। ଆସନ୍ତା ଅକ୍ଟୋବର ମାସରେ ପଶ୍ଚିମ ଓଡ଼ିଶାରେ ଜଳ ମହୋତ୍ସବ ଆୟୋଜନ କରାଯିବ। ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି”, କହିଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ।

“ସମ୍ବଲପୁରର ଶୀତଳଷଷ୍ଠୀ ଏବଂ ବରଗଡ଼ର ଧନୁଯାତ୍ରା ପଶ୍ଚିମ ଓଡ଼ିଶାର ପ୍ରମୁଖ ଆକର୍ଷଣ। ଏହାର ପ୍ରଚାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ କରାଯାଇଛି। ଏହାସହ ଗତ ପାଞ୍ଚ ବର୍ଷ ଭିତରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଯେତିକି ବିକାଶ ହୋଇଛି ତାହା ଆଗରୁ ହୋଇ ନଥିଲା”, କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା।

ଏହି କର୍ମଶାଳାରେ ସମ୍ବଲପୁର ଆର୍‌ଡିସି ଡି ଭି ସ୍ୱାମୀ, ଏଚ୍‌ଆର୍‌ଏଓ ସଭାପତି ଜେ କେ ମହାନ୍ତି, ଏଚ୍‌ଆର୍‌ଏଜେର ସଭାପତି ଆଶିଷ ପାଲିତ, ଏଚ୍‌ଆର୍‌ଏସ୍‌ ସଭାପତି ଜସବୀର ସିଂହ ହୁରା, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏଚ୍‌ଆର୍‌ଏଓ ଉପଦେଷ୍ଟା ଦୀପକ ରାଠୋର ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାସଚିବ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Comment