ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାବୁ ପାଇବେ ଚଳିତବର୍ଷର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର।

  • ଚଳିତବର୍ଷର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷିତ
  • ସଙ୍ଗୀତ, ନୃତ୍ୟ ଓ ଲୋକକଳାରେ ପ୍ରସିଦ୍ଧି ଅର୍ଜନ କରିଥିବା ୪୨ଜଣ କଳାକାରଙ୍କ ନାମ ଘୋଷଣା
  • ସୁଜାତା ମହାପାତ୍ର ଓ ଜନ୍ମେଜୟ ସାଇବାବୁ ପାଇବେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଜାହ୍ନବୀ ବେହେରା ଏବଂ ସମ୍ବଲପୁରର ସର୍ବେଶ୍ୱର ଭୋଇ ପାଇବେ ଉସ୍ତାଦ ବିସ୍‌ମିଲା ଖାଁ ଯୁବ ପୁରସ୍କାର

ଘୋଷଣା ହୋଇଛି ଚଳିତବର୍ଷର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଏହି ପୁରସ୍କାର ପାଇଁ ସଙ୍ଗୀତ, ନୃତ୍ୟ ଓ ଲୋକକଳାରେ ପ୍ରସିଦ୍ଧି ଅର୍ଜନ କରିଥିବା ୪୨ଜଣ କଳାକାରଙ୍କ ନାମ ଘୋଷଣା କରାଯାଇଛି। ଓଡିଶାର ଦୁଇଜଣ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଓଡିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାବୁ ଏହି ସମ୍ମାନ ପାଇବେ।

ସୁଜାତା ମହାପାତ୍ର

ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।

୧୯୮୭ ମସିହାରେ ଭୁବନେଶ୍ୱର ଆସିବା ପରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ। ପରେ କେଳୁଚରଣ ମହାପାତ୍ରଙ୍କ ପୁଅ ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ।

ଜନ୍ମେଜୟ ସାଇବାବୁ

ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଜନ୍ମେଜୟ ସାଇବାବୁ ମଧ୍ୟ ଛଉକୁ ସୁଦୂରପ୍ରସାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଛଉ ନୃତ୍ୟ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି।

ଦିଲ୍ଲୀରେ ରାଷ୍ଟ୍ରପତି ଉଭୟଙ୍କୁ ଏକଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରିବେ।

ଉସ୍ତାଦ ବିସ୍‌ମିଲା ଖାଁ ପୁରସ୍କାର

ଏଥିସହ ସମଗ୍ର ଦେଶରୁ ୩୪ ଜଣ ଉସ୍ତାଦ ବିସ୍‌ମିଲା ଖାଁ ଯୁବ ପୁରସ୍କାର ୨୦୧୭ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା ଏବଂ ଲୋକନୃତ୍ୟ ପାଇଁ ସମ୍ବଲପୁରର ସର୍ବେଶ୍ୱର ଭୋଇଙ୍କୁ ମନୋନୀତ କରାଯାଇଛି।

ଗତ ଜୁନ୍‌ ୮ ତାରିଖରେ ମଣିପୁର ଇମ୍ଫାଲ୍‌ରେ ଅନୁଷ୍ଠିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ବୈଠକରେ ଏହି ନାମଗୁଡ଼ିକ ଚୟନ କରାଯାଇଛି।

Comment