ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍‌ଠାରେ ୫୦ହଜାର ଯୋଗ ସାଧକଙ୍କ ସହ ମିଶି ଯୋଗ କରିଛନ୍ତି।

ଡେରାଡୁନଠାରେ ଗୁରୁବାରଦିନ ପାଳନ ହୋଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଡେରାଡୁନ୍‌ର ଫରେଷ୍ଟ୍‍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ୫୦ ହଜାର ଯୋଗ ସାଧକଙ୍କ ଗହଣରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରିଛନ୍ତି।

ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୫ ହଜାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯୋଗ ଦ୍ୱାରା କିଭଳି ସୁସ୍ଥ ଓ ନିରୋଗ ଜୀବନଯାପନ କରିହେବ ତାହା ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।

“ଯୋଗ ହେଉଛି ପ୍ରାଚୀନ ଭାରତୀୟ ଋଷିମାନଙ୍କ ଦ୍ୱାରା ମାନବତାକୁ ପ୍ରଦାନ କରାଯାଇଥିବା ଏକ ବହୁମୂଲ୍ୟ ଉପହାର। ଯୋଗସାନ ଦ୍ୱାରା ବହୁ ଉପକାର ମିଳେ ଏବଂ ବିଶ୍ୱକୁ ଏକତ୍ର କରିବା ନିମନ୍ତେ ଅନ୍ୟତମ ବଳିଷ୍ଠ ଶକ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶର ବିଭିନ୍ନ ସ୍ଥାନରେ କେତେକ କେନ୍ଦ୍ରମନ୍ତ୍ରୀ ଯୋଗ ଶିବିରର ନେତୃତ୍ୱ ନେଇଥିଲେ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ଅନ୍ତଃସତ୍ତ୍ୱା ମହିଳାମାନଙ୍କ ପାଇଁ ଆୟୋଜିତ ଯୋଗ ଶିବିରରେ ଯୋଗ ଦେଇଥିଲେ। ଯୋଗ ଗୁରୁ ରାମଦେବଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ରାଜସ୍ଥାନର କୋଟା ଅନ୍ତର୍ଗତ ଆର୍‌ସି ଗ୍ରାଉଣ୍ଡ୍‌ରେ ଯୋଗାସନ ଅଭ୍ୟାସ କରିଛନ୍ତି।

୨୦୧୫ ମସିହା ଜୁନ୍‌ ୨୧ ତାରିଖ ଦିନ ବିଶ୍ୱରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା।

ପୂର୍ବରୁ ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିଛନ୍ତି। ୨୦୧୫ରେ ନୂଆଦିଲ୍ଲୀର ରାଜପଥ, ୨୦୧୬ରେ ଚଣ୍ଡିଗଡର କ୍ୟାପିଟଲ କମ୍ପ୍ଲେକ୍ସ ଏବଂ ୨୦୧୭ରେ ଲକ୍ଷ୍ନୌର ରମାବାଇ ଆମ୍ବେଦକର ସଭାସ୍ଥଳରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

Comment