ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ପଞ୍ଚାୟତିରାଜ, ପାନୀୟ ଜଳ, ରାଜସ୍ୱ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିଛି।

  • ବିପିୟୁଟି ସଂଶୋଧନ ବିଲ୍‌ରେ କ୍ୟାବିନେଟ୍ ମୋହର
  • ପ୍ରୋ-ଚ୍ୟାନସେଲର ପଦବୀ ଉଚ୍ଛେଦ
  • ଆଇଆଇଏମ୍ ସମ୍ବଲପୁରକୁ ୧୮୧.୭୭ ଏକର ଜମି
  • କୋରାପୁଟର ୩ଟି ବ୍ଲକରେ ମେଗା ପାଇପ୍ ଲାଇନ୍ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବିପିୟୁଟି ସଂଶୋଧନ ବିଲ୍‌ରେ କ୍ୟାବିନେଟ୍ ମୋହର ବାଜିଛି। ୨୦୧୬ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରୋ-ଚ୍ୟାନସେଲର ପଦବୀ ଉଚ୍ଛେଦ ଲାଗି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ଟ୍ରାକ ନିର୍ମାଣ ପାଇଁ ସରକାର ୮୮୧ ଏକର ଜମି  ବିନା ମୂଲ୍ୟରେ ଯୋଗାଇ ଦେବେ।

ଆଇଆଇଏମ୍ ସମ୍ବଲପୁରକୁ ୧୮୧.୭୭ ଏକର ଜମି ଯୋଗାଇଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବସନ୍ତପୁର ଓ ବଡ଼ସିଂହାରୀ ମୌଜାରୁ ଏହି ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

କୋରାପୁଟର ୩ଟି ବ୍ଲକରେ ମେଗା ପାଇପ୍ ଲାଇନ୍ ପ୍ରକଳ୍ପ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବୋରିଗୁମ୍ମା, କୋଟପାଡ଼ ଓ ଜୟପୁର ବ୍ଲକର ୨୬୮ଟି ଗାଁର ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ୨୪ ମାସ ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ପାଇଁ ୩୧୬ କୋଟି ଟଙ୍କା ବ୍ୟୟବରାଦ କରାଯିବ।

ଗୋପାଳପୁରଠାରେ ଟାଟା ଷ୍ଟିଲ୍ ପକ୍ଷରୁ ହେବାକୁ ଥିବା ପ୍ଲାଣ୍ଟ ସ୍ଥାପନ ପାଇଁ ଭାଗବଣ୍ଟା କରିଛନ୍ତି ରାଜ୍ୟ ସରକାର। ଏହି ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ଇଡକୋକୁ ହସ୍ତାନ୍ତର କରାଯାଇଥିବା ୨୯୭୦ ଏକର ଜମି ମଧ୍ୟରୁ ୧୭୩୫ ଏକର ଜମିକୁ ଘରୋଇ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।

୧୨୩୫ ଏକର ଜମିକୁ ଏସଇଜେଡ କରାଯିବ ବୋଲି କ୍ୟାବିନେଟରେ ମୋହର ବାଜିଛି।

Comment