ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଅତୀତ ବୁନିଆଦର ପାଠ ପଢ଼ାଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।
ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ଏହି ଗୀତରୁ ‘ଉତ୍କଳ’ ବାଦ୍ ଦେଇ ‘ଓଡ଼ିଶା’ ରଖିବାକୁ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ସୁଶାନ୍ତ ସିଂ ବିଭିନ୍ନ ଦିଗରୁ ସମାଲୋଚିତ ହେବା ପରେ ଆଜି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବହେ ଝାଡ଼ିଛନ୍ତି। ମନ୍ତ୍ରୀଙ୍କୁ ଅତୀତ ବୁନିଆଦର ପାଠ ପଢ଼ାଇଛନ୍ତି ଦାମ।
“ଉତ୍କଳ କହିଲେ କଟକ, ବାଲେଶ୍ୱର, ପୁରୀକୁ ବୁଝାଏ ନାହିଁ। ଆମ ରାଜ୍ୟର ନାଁ ବିଭିନ୍ନ ସମୟରେ ବଦଳି ଓଡ଼ିଶା ହୋଇଛି। ଏହାକୁ ମନ୍ତ୍ରୀ ଭୁଲିଯିବା କଥା ନୁହେଁ। ନିଜର ଅତୀତ ବୁନିଆଦକୁ ମନେ ନପକାଇ ଆଗକୁ ଚାଲିଲେ ଝୁଣ୍ଟି ପଡ଼ିବ। ସାଧାରଣ ଲୋକ ଝୁଣ୍ଟି ପଡ଼ିଲେ ଚଳିବ। ହେଲେ ଜଣେ ମନ୍ତ୍ରୀ ଯଦି ରାଜ୍ୟକୁ ବିଭାଜିତ ହେଲା ଭଳି ମନ୍ତବ୍ୟ ଦେବେ ତାହାଲେ ଏହାକୁ ସହିହେବ ନାହିଁ। ମନ୍ତ୍ରୀମାନେ ତାଙ୍କ ଆଚରଣ ଏବଂ ଉଚ୍ଚାରଣକୁ ପ୍ରଥମେ ଜଗିବା ଦରକାର”, କହିଛନ୍ତି ଡାକ୍ତର ଦାମୋଦର ରାଉତ।
ମନ୍ତ୍ରୀ ଦାମୋଦର ରାଉତ ୨୦୧୨ ମେ ୨୯ ମିଡନାଇଟ୍ ଅପରେସନ ବେଳେ ସୁଶାନ୍ତଙ୍କ ଭୂମିକା କଥା ଗଣମାଧ୍ୟମ ଆଗରେ ମନେପକାଇଛନ୍ତି।
ଦାମ କହିଛନ୍ତି ଯେ ମିଡନାଇଟ୍ ଅପରେସନ ବେଳେ ସୁଶାନ୍ତ ଏକ ଘରୋଇ ହୋଟେଲରେ ଲୁଚିଥିଲେ। ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ହେଉଥିବା ଷଡ଼ଯନ୍ତ୍ରରେ ସେ ସାମିଲ ହୋଇଥିଲେ। ଏକଥା ଜାଣିପାରି ମୁଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ। ସୁଶାନ୍ତଙ୍କୁ ହୋଟେଲ ରୁମ୍ରୁ ପ୍ରସନ୍ନ ଆଚାର୍ଯ୍ୟ ବାହାରକୁ ଆଣିଥିଲେ।
ଦାମ ବନ୍ଦେ ଉତ୍କଳ ଜନନୀ ଏବଂ ମିଡ ନାଇଟ ଅପରେସନ ପ୍ରସଙ୍ଗରେ ସୁଶାନ୍ତଙ୍କ ଉପରେ ବର୍ଷିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟ ରଖିଛନ୍ତି।
ସେ କହିଛନ୍ତି, “ଦାମବାବୁ ହେଉଛନ୍ତି ମୋର ବଡ଼ଭାଇ ଏବଂ ସୁଶାନ୍ତ ହେଉଛନ୍ତି ମୋର ସାନଭାଇ। ଦାମବାବୁଙ୍କୁ ମୁଁ ଯେମିତି ସମ୍ମାନ ଦିଏ ସୁଶାନ୍ତଙ୍କୁ ମଧ୍ୟ ସେମିତି ସ୍ନେହଁ କରେ। ଏଣୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି।”








ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଅତୀତ ବୁନିଆଦର ପାଠ ପଢ଼ାଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।









