ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡିକୁ ସାର୍ଟିଫିକେଟ ଦେବା ପରେ କଂଗ୍ରେସର ଭିତିରି ମହଲରେ ସୃଷ୍ଟି ହୋଇଛି ହଲ୍‌ଚଲ୍।

କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଗଣମାଧ୍ୟମରେ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ରାଜନୀତି କରିଡ଼ରରେ ଝଡ଼ ଉଠିଛି। ପ୍ରକାଶଙ୍କ ମୁହଁରେ ବିଜେଡିର ପ୍ରଶଂସା ଶୁଣି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ଯେ ସେ ବିଜେଡି ମୁହାଁ ହେଉଛନ୍ତି। ଏଣୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡିକୁ ପ୍ରଶଂସା କରିଛନ୍ତି।

“ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ସ୍ଥିତି ମଜଭୁତ ରହିଛି। ୨୦୧୯ରେ ପୁଣି ବିଜେଡି ସରକାର ଗଠନ କରିବ। କଂଗ୍ରେସ-ବିଜେଡି ଭିତରେ ଟକ୍କର ହେବ। ବିଜେପି ତୃତୀୟ ସ୍ଥାନରେ ରହିବ”, କହିଛନ୍ତି ପ୍ରକାଶ ବେହେରା।

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ମଧ୍ୟ ପ୍ରକାଶ ନିଜର ମତ ରଖିଛନ୍ତି। ଏଥିପାଇଁ ସମସ୍ତେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବେଳେ ପ୍ରକାଶ ବିଜେପିକୁ ଦୋଷ ଦେଇଛନ୍ତି। ବିଜେପି ଚକ୍ରାନ୍ତ କରି ରଜ୍ୟ ସରକାରଙ୍କୁ ଫସାଉ ଥାଇପାରେ ବୋଲି ସେ କହିଛନ୍ତି।

ପ୍ରକାଶ ବେହେରା ବିଜେଡିକୁ ଏମିତି ଢଙ୍ଗରେ ପ୍ରଶଂସା କରିବା ପରେ କଂଗ୍ରେସର ଭିତିରି ମହଲରେ ହଲ୍‌ଚଲ୍‌ ଦେଖାଦେଇଛି। ପ୍ରକାଶ ଅଚାନକ ବିଜେଡିକୁ ସାର୍ଟିଫିକେଟ ଦେବାକୁ ନେଇ କିଛି ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୨୦୧୯ ପୂର୍ବରୁ ପ୍ରକାଶ ବିଜେଡି ଶିବିରକୁ ଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ବେହେରା ବିଜେଡିକୁ ପ୍ରଶଂସା କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପ୍ରକାଶ ବର୍ତ୍ତମାନର ରାଜନୀତିକ ସ୍ଥିତିକୁ ଦେଖି ପୂର୍ବାନୁମାନ କରିଥାଇ ପାରନ୍ତି। ତାଙ୍କ ସହ ମୋର ନିକଟରେ ଦେଖା ହୋଇଥିଲା। ସେ ବିଜେଡିରେ ଯୋଗଦେବେ ବୋଲି ସେମିତି କିଛି ଜଣାପଡ଼ୁନାହିଁ।

୨୦୧୪ ନିର୍ବାଚନରେ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଥିଲା। କଂଗ୍ରେସର ତୁଙ୍ଗ ନେତାମାନେ ଚତପଟ୍ଟାଙ୍ଗ ମାରିଥିଲେ। ହେଲେ ପ୍ରକାଶ ସାଲେପୁର ବିଧାନସଭା ଆସନରୁ ଜିତି କଂଗ୍ରେସର ସମ୍ମାନ ରଖିଥିଲେ।

ନିକଟରେ ପ୍ରକାଶ କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ପାଖକୁ ପଠାଇ ଦେଇଥିଲେ। ୱାନ ମ୍ୟାନ ୱାନ ପୋଷ୍ଟ ନୀତି ପାଇଁ ପ୍ରକାଶ ଏହି ପଦବୀ ଛାଡ଼ିଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି କିଛିଦିନ ହେଲା ବହୁ ବରିଷ୍ଠ ନେତା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଛନ୍ତି। କଂଗ୍ରେସରରେ ରାଜନୀତିକ ଭବିଷ୍ୟତ ସୁରକ୍ଷିତ ନଥିବା ବିଚାର କରି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ଭଗବାନ ଗନ୍ତାୟତ, ବିକ୍ରମ ପଣ୍ଡା ଦଳ ଛାଡ଼ିଥିଲେ। ଏବେ ପ୍ରକାଶ ସେହି ରାସ୍ତାରେ ପାଦ ଦେବାକୁ ଯାଉଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

Comment