ଓଡ଼ିଶାଲାଇଭ୍‌ ବ୍ୟୁରୋ  

କଳାଧନ ସାଇତିବା ପାଇଁ ସୁଇସ୍ ବ୍ୟାଙ୍କଠାରୁ ଆଉ ଭଲ ଥାକ ଆଉ କ’ଣ ବା ହୋଇପାରେ? ଏକଥା କିଛି ଭାରତୀୟ ବେଶ୍ ଭଲ ଭାବେ ବୁଝିଛନ୍ତି!

ମୋଦି ସରକାରଙ୍କ ଅମଳରେ ବିଦେଶରେ ଜମା ହୋଇଥିବା କଳାଧନ ଫେରାଇ ଆଣିବା ପାଇଁ ପ୍ରୟାସ ଜାରିଛି। ଏହାସତ୍ତ୍ଵେ ସୁଇସ୍ ବ୍ୟାଙ୍କରେ ଜମା ହୋଇଥିବା କଳାଧନ ରାଶି ଗତଥର ଅପେକ୍ଷା ବୃଦ୍ଧି ପାଇଛି।

ଯେତେବେଳେ ବି ବିଦେଶରେ କଳାଧନ ରହିଥିବା କଥା ଦେଶରେ ଚର୍ଚ୍ଚା ଧରେ ସେତେବେଳେ ସୁଇସ୍ ବ୍ୟାଙ୍କ୍ କଥା ନିଶ୍ଚିତ ଭାବେ ମନକୁ ଆସେ। ଏହା ପଛରେ ଖାସ୍ କାରଣ ମଧ୍ୟ ରହିଛି। ସୁଇସ୍ ବ୍ୟାଙ୍କରେ ଟଙ୍କା ରଖିବା ସବୁଠୁ ସୁରକ୍ଷିତ ବୋଲି ଧରାଯାଏ। ତେଣୁ ଦେଶବିଦେଶରୁ ବହୁ ଧନୀ ବ୍ୟକ୍ତି ଅବୈଧ ଭାବେ ଏଠାରେ କଳାଧନ ଠୁଳ ରଖିଥାନ୍ତି।

ଜାଣନ୍ତୁ କାହିଁକି ସଇସ୍ ବ୍ୟାଙ୍କରେ ଟଙ୍କା ରଖିବା ସବୁଠୁ ସୁରକ୍ଷିତ ବୋଲି ଧରାଯାଏ ଆସନ୍ତୁ ଜାଣିବା

ଗୋପନୀୟତା

ସୁଇସ ବ୍ୟାଙ୍କରେ ଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମଠିକଣା ଗୁପ୍ତ ରଖାଯାଏ। ଗତ ୩୦୦ବର୍ଷରେ ସୁଇସ ବ୍ୟାଙ୍କ୍ ଏହି ନିୟମକୁ ବଳବତ୍ତର ରଖିଛି। ଯଦିଓ ଭାରତ ସମେତ କିଛି ଦେଶର ବ୍ୟକ୍ତିଙ୍କ ପରିଚୟ ଦେବାକୁ ଏବେ ନିୟମରେ କିଛିଟା ସ୍ଵତନ୍ତ୍ର ପରିବର୍ତ୍ତନ କରାଯାଇଛି। କିନ୍ତୁ ନିଜ ଗ୍ରାହକଙ୍କ ଗୋପନୀୟତା ଲୁଚାଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଏ ସୁଇସ ବ୍ୟାଙ୍କ୍।

ସ୍ଵତନ୍ତ୍ର ଆଇନ

ସୁଇସ୍ ବ୍ୟାଙ୍କ୍ ନିଜ ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ସେତେବେଳେ ଲୋକଲୋଚନକୁ ଆଣେ ଯେତେବେଳେ ସେଠାକାର କୋର୍ଟଙ୍କ ନିର୍ଦ୍ଦେଶ ଥାଏ ନଚେତ ସରକାର ଏଥିପାଇଁ କୌଣସି ସ୍ଵତନ୍ତ୍ର ଆଇନ ପ୍ରଣୟନ କରିଥିବେ।

ନାର୍ବାର୍ଡ ଆକାଉଣ୍ଟ

ସୁଇସ୍ ବ୍ୟାଙ୍କରେ ‘ନାବାର୍ଡ ଆକାଉଣ୍ଟ’ ବେଶ୍ ଲୋକପ୍ରିୟ। ଏହି ଆକାଉଣ୍ଟ ଖୋଲିଥିବା ସଦସ୍ୟଙ୍କ ବ୍ୟକ୍ତିଗତ ପରିଚୟ କେବଳ ବ୍ୟାଙ୍କ୍‌ର ଶୀର୍ଷ ଅଧିକାରୀଙ୍କୁ ଜଣାଥାଏ। ତାଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଙ୍କ୍ କର୍ମଚାରୀଙ୍କୁ ଜଣାପଡ଼ିନଥାଏ।

‘ନାବାର୍ଡ ଆକାଉଣ୍ଟ’ର ଆଉ ଏକ ଖାସ୍ କଥା ହେଉଛି ନାଁ ନୁହେଁ କେବଳ କିଛି ସିକ୍ରେଟ୍ ଅଙ୍କ ଦ୍ଵାରା ଆକାଉଣ୍ଟଧାରୀଙ୍କ ପରିଚୟ ମିଳେ। ଏହି ଆକାଉଣ୍ଟ୍ ଖୋଲିବା ପାଇଁ ଅଧିକ ଚାର୍ଜ ଦେବାକୁ ପଡ଼ିଥାଏ।

ସୁଇଜରଲାଣ୍ଡ୍ ବ୍ୟାଙ୍କିଙ୍ଗ୍ ଆଇନ

ସୁଇଜରଲାଣ୍ଡ୍ ବ୍ୟାଙ୍କିଙ୍ଗ୍ ଆଇନ ୧୯୩୪, ଅନୁସାରେ ବ୍ୟାଙ୍କ୍ କୌଣସି କର୍ମଚାରୀ ଗ୍ରାହକଙ୍କ ଆକାଉଣ୍ଟ୍ ବିଷୟରେ ବାହାରେ କୌଣସି ଲିକ୍ କରିପାରିବେ ନାହିଁ। ଏହା କରିବା ଆଇନଗତ ଅପରାଧ ବୋଲି ବିବେଚନା କରାଯାଏ।

ସବୁଠୁ ଅଧିକ ସୁରକ୍ଷିତ

ସୁଇସ୍ ବ୍ୟାଙ୍କରେ ଟଙ୍କା ରଖିବାର ବଡ଼ କାରଣ ହେଉଛି ଏଠାକାର ମଜବୁତ ଅର୍ଥନୈତିକ ସ୍ଥିତି। ଡିପୋଜିଟରକୁ ଜଣାଥାଏ କି ଏଠାରେ ଟଙ୍କା ରଖିଲେ ବରବାଦ ହେବ ନାହିଁ। କାରଣ ଟଙ୍କାର ସୁରକ୍ଷା ପାଇଁ ଏଠାରେ ଅନେକ ପ୍ରକାର ଆଇନ ପ୍ରଣୟନ କରାଯାଇଛି।

ସୁଇଜରଲାଣ୍ଟ୍ ୫ଟି ବଡ଼ ବ୍ୟାଙ୍କ୍

ସୁଇଜରଲାଣ୍ଟ୍ ୫ଟି ବଡ଼ ବ୍ୟାଙ୍କ୍ ହେଉଛି ୟୁନିୟନ ବ୍ୟାଙ୍କ୍ ଅଫ୍ ସୁଇଜରଲାଣ୍ଡ୍(ୟୁବିଏସ), କ୍ରେଡିଟ ସୁଇସ୍ ଗ୍ରୁପ୍, ବ୍ୟାଙ୍କ୍ ଜୁଲିୟସ ବେୟାର, ପିକ୍ଟେଟ ଆଣ୍ଡ୍ ସିଇ ଓ କ୍ୟାଣ୍ଟୋନେଲ ବ୍ୟାଙ୍କ୍ ସାମିଲ ରହିଛି।

Comment