ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ନବୀନ ନନ୍ଦ। ସେ ସିଧାସଳଖ ବିଜେଡି ଶିବିରକୁ ନିଶାନା କରିଛନ୍ତି।

କୋଲକାତାରୁ ଗିରଫ ଏବଂ ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବିଜେଡିକୁ ସେ ସିଧାସଳଖ ଟାର୍ଗେଟ କରିଛନ୍ତି। କାରଣ ଦର୍ଶାଅ ନୋଟିସ ନମାଗି ନିଲମ୍ବନ କରାଯାଇଥିବାରୁ ସେ ଏହାକୁ ନାପସନ୍ଦ କରିଛନ୍ତି। ଏହାସହ ବିଜେଡି-ବୈଜୟନ୍ତ କଳିରେ ତାଙ୍କୁ ମୋହରା ବନାଯାଇଥିବା ନନ୍ଦ କହିଛନ୍ତି।

“ବିଜେଡି-ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ବିବାଦ ଲାଗିଛି। ମୋ ସମ୍ପର୍କରେ ବୈଜୟନ୍ତ ଟୁଇଟ୍ କରିଥିବାରୁ ମୋ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଜୟନ୍ତଙ୍କ ପ୍ରସଙ୍ଗକୁ ନେଇ ମୋତେ ଟାର୍ଗେଟ କରିବା ଠିକ୍ ନୁହେଁ”, କହିଛନ୍ତି ନବୀନ ନନ୍ଦ।

ଖାଲି ସେତିକି ନୁହେଁ, ନବୀନ ବିଜେଡି ବିରୋଧରେ ବର୍ଷିଛନ୍ତି। ଚାରି ବର୍ଷ ହେଲା ଦଳ ତାଙ୍କୁ ଅଲୋଡ଼ା କରିଥିବାରୁ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି।

ନବୀନ ନନ୍ଦ କହିଛନ୍ତି ଯେ ବିଜେଡିକୁ ବିପଦରୁ ରକ୍ଷା କରିବା ପାଇଁ ଆମେ ଦଳରେ ମିଶିଥିଲୁ। ହେଲେ ମୋତେ ଦଳ କୌଣସି କାର୍ଯ୍ୟକ୍ରମରେ ଡାକିଲା ନାହିଁ। ଦଳ ସବୁକ୍ଷେତ୍ରରେ ଅଣଦେଖା କଲା। ବିଜେଡି ସଭାପତିଙ୍କୁ ଦେଖା କରି ସବୁକଥା କହିଥିଲି। ଦଳ ମତେ ଟିକେଟ ନଦେଲେ ବି ମୁଁ ଛାଡ଼ି ହେବି ବୋଲି ସଭାପତିଙ୍କୁ କହିଥିଲି।

“ଦଳରେ ଥାଇ ବି ମତେ ଅଣଦେଖା କରାଯାଉଥିଲା। ଏଣୁ ନିଲମ୍ବନ କରିବାର କିଛି ମାନେ ନାହିଁ”, କହିଛନ୍ତି ନବୀନ ନନ୍ଦ।

ନବୀନ ନନ୍ଦ ଶୁକ୍ରବାରଠାରୁ ନିଖୋଜ ଥିଲେ। ପରିବାରବର୍ଗ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇଯାଇଥିଲେ। ଏନେଇ ନବୀନଙ୍କ ପୁଅ ସମ୍ବିତ କୋଲକାତାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ପୋଲିସ ଖୋଳତାଡ଼ କରିଥିଲା। ପାର୍କ ଷ୍ଟ୍ରିଟସ୍ଥିତ ସ୍ପାରୁ ଦେହଜୀବୀଙ୍କ ସହ ନବୀନ ନନ୍ଦ ଗିରଫ ହୋଇଥିଲେ।

ସୋମବାର ଏହି ଘଟଣା ଜଣାପଡ଼ିବା ପରେ ବିଜେଡି ନବୀନଙ୍କ ହାତ ଛାଡ଼ି ଦେଇଥିଲା। ନବୀନ ନନ୍ଦଙ୍କୁ ବିଜେଡି ନିଲମ୍ବିତ କରିଥିଲା। ସେ ଏବେ ଜାମିନରେ ଆସିଛନ୍ତି। ଜାମିନରେ ଆସିବା ପରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ବିଜେଡିରୁ ନିଲମ୍ବିତ ହେବା ପରେ ନବୀନଙ୍କ ପୁଅ ସମ୍ବିତ ଏହାକୁ ଷଡ଼ଯନ୍ତ୍ର ବୋଲି କହିଥିଲେ। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ବିଧାୟକ ଚକ୍ରାନ୍ତ କରି ଫଶାଇ ଦେଇଥିବା ସେ ଅଭିଯୋଗ କରିଥିଲେ।

ବୈଜୟନ୍ତ ଟୁଇଟରେ କ’ଣ ଲେଖିଥିଲେ?

ନବୀନ ନନ୍ଦ ନିଖୋଜ ଖବରକୁ ନେଇ ଚର୍ଚ୍ଚା ହେବା ପରେ ବୈଜୟନ୍ତ ପଣ୍ଡ ଟୁଇଟ କରିଥିଲେ। ସେ ଲେଖିଥିଲେ,  “ନବୀନ ନନ୍ଦ ନିଖୋଜ ହେବା ଖବର ମତେ ବ୍ୟଥିତ କରିଛି। ଶନିବାର ଦିନ ମୁଁ ତାଙ୍କ ସହ କଥା ହୋଇଛି। ସେ ମତେ ଖୁବଶୀଘ୍ର ଭେଟିବେ ବୋଲି କହିଥିଲେ।” ବୈଜୟନ୍ତଙ୍କ ଏହି ଟୁଇଟ୍‌କୁ ନେଇ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

Comment