ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅସୌଜନ୍ୟ ବ୍ୟବହାର। ହିନ୍ଦୁ-ମୁସଲମାନ ଦମ୍ପତ୍ତିଙ୍କ ପ୍ରତି ଜଣେ ପାସପୋର୍ଟ ଅଧିକାରୀ ଅପମାନସୂଚକ ମନ୍ତବ୍ୟ ଦେଇ ବଦଳି ହେବା ପରେ ସୁଷମାଙ୍କୁ ଟୁଇଟରରେ କିଛି ଫଲୋୟର୍ସ ଅପମାନସୂଚକ ମନ୍ତବ୍ୟ ଦେବାକୁ ପଛାଇ ନଥିଲେ।

ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା। ଏହି ଘଟଣାକୁ ଆଜି ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ସୁଷମାଙ୍କୁ ସମର୍ଥନ କରିଛନ୍ତି। ସୋସିଆଲ ମିଡିଆରେ ଯେଉଁଭଳି ଅସହିଷ୍ଣୁତାର ବାତାବରଣ ତିଆରି କରାଗଲା ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ନବୀନ।

“ସୋସିଆଲ ମିଡିଆକୁ ମାଧ୍ୟମ କରି ସୁଷମା ସ୍ୱରାଜ ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଏବଂ ଅପମାନସୂଚକ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି”, ଟୁଇଟ୍ କରିଛନ୍ତି ନବୀନ ପଟ୍ଟନାୟକ।

କିଛିଦିନ ତଳେ ହିନ୍ଦୁ ଓ ମୁସଲମାନ ଦମ୍ପତ୍ତିଙ୍କ ପାସପୋର୍ଟକୁ ନେଇ ବିବାଦ ଦେଖାଦେଇଥିଲା। ହିନ୍ଦୁ ହୋଇ ଜଣେ ମୁସଲମାନଙ୍କୁ କାହିଁକି ବାହା ହେଲ ବୋଲି ପାସପୋର୍ଟ ଅଧିକାରୀ ପ୍ରଶ୍ନ କରିବାରୁ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଫଳରେ ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଇଥିଲା।

ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଝଡ଼ ଉଠିଥିଲା। ଟୁଇଟରରେ ସୁଷମାଙ୍କ ଉଦ୍ଦେଶ୍ୟରେ କିଛି ଲୋକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ।

Comment