ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟପାଳଙ୍କ ବିମାନ ଗସ୍ତକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ ଉଠାଇବା ପରେ ଆଜି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ବ୍ୟୟବହୁଳ ବିମାନ ଯାତ୍ରା ଉପରେ ପ୍ରଶ୍ନ ଉଠାଇଥିଲା ସାଧାରଣ ପ୍ରଶାସନ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଏନେଇ ରାଜଭବନ ସଚିବ ଚିଠି ଲେଖିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିବା ପରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭୁଲ୍ ମାଗିଛନ୍ତି। ଯେଉଁ ଅଧିକାରୀ ଏହି ଚିଠି ଲେଖିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ରାଜ୍ୟପାଳଙ୍କ ସିର୍ସା ଗସ୍ତକୁ ସରକାରୀ ଅନୁମୋଦନ ମିଳିଥିଲା। ଏଣୁ ଏହାକୁ ନେଇ ବିବାଦ ଆଗକୁ ବଢ଼ା ନଯାଉ।

ଜୁନ୍‌ ୧୦ରୁ ୧୪ ତାରିଖ ଭିତରେ ରାଜ୍ୟପାଳ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜ୍ୟପାଳ ହରିୟାଣାର ସିର୍ସା ଯାଇଥିଲେ। ଏନେଇ ରାଜଭବନ ପକ୍ଷରୁ ୪୬ ଲକ୍ଷ ଟଙ୍କାର ବିଲ୍‌ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିଲା।

ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଏନେଇ ରାଜଭବନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। କେଉଁ ପରିସ୍ଥିତିରେ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜାଣିବାକୁ ଚାହିଁଥିଲା। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାଧାରଣ ପ୍ରଶାସନ ବିଭାଗର ଚିଠିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆଜି ସକାଳେ ସେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, “ଯେଉଁଭଳି ଢ଼ଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି ତାହା ଠିକ୍ ନୁହେଁ। ରାଜ୍ୟପାଳଙ୍କ ସିର୍ସା ଗସ୍ତକୁ ସରକାରୀ ଅନୁମୋଦନ ମିଳିଥିଲା। ଯେଉଁ ଅଧିକାରୀ ଏହି ଚିଠି ଲେଖିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment