ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନସର ରୋଗୀଙ୍କୁ ଓଡ଼ିଶାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଉଛି ବ୍ୟାପକ ଆୟୋଜନ।

ଓଡ଼ିଶାରେ କର୍କଟ ରୋଗୀଙ୍କ ପାଇଁ ଭଲ ଦିନ ଆସୁଛି। ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ମିଳିତ ଭାବେ ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ କ୍ୟାନ୍ସର ଚିକିତ୍ସା ପାଇଁ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଟାଟା ଟ୍ରଷ୍ଟର ଅଧିକାରୀଙ୍କ ଭିତରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟତଃ ଏକ ଆବଣ୍ଟନ ମଡେଲ ପ୍ରସ୍ତୁତି ଓ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାରଙ୍କ ପକ୍ଷରୁ ତିନିଟି କଥା ଉପରେ ଗୁରୁତ୍ୱ ଦିଆଯାଇଛି। କ୍ୟାନ୍ସର ଚିକିତ୍ସା ଯେଭଳି ସମସ୍ତେ ପାଇପାରିବେ। ଚିକିତ୍ସା ପାଇଁ ଯେମିତି ରୋଗୀମାନେ ଯିବା ଆସିବାରେ କମ ସମୟ ବିତେଇବେ ଏବଂ ରୋଗୀଙ୍କୁ ଚିକିତ୍ସା ପାଇଁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଟାଟା ପକ୍ଷରୁ ଏକ ତିନି ଥାକିଆ ଚିକିତ୍ସା ପ୍ରସ୍ତାବ ଦିଆଯାଇଛି। ଏଥିରେ ରହିଛି କର୍କଟ ରୋଗ ଯେମିତି ନ ହେବ (ପ୍ରତିଷେଧ) ସେଥିପାଇଁ ପଦକ୍ଷେପ ନେବା ଓ କର୍କଟ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା। ତାଛଡ଼ା ରୋଗୀ ଯେମିତି ଅତି ବେଶୀରେ ଦୁଇ ତିନି ଘଣ୍ଟା ମଧ୍ୟରେ କର୍କଟ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ପାରିବେ। ଏହା ଦ୍ୱାରା ଅନେକ ରୋଗୀଙ୍କ ଜୀବନ ରକ୍ଷା ହୋଇ ପାରିବ ବୋଲି ଟାଟାର ଅଧିକାରୀ ମାନେ ମତ ଦେଇଥିଲେ।

ଟାଟା ଟ୍ରଷ୍ଟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ସେହି ଅନୁଯାୟୀ ଟାଟା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏକ ଗ୍ରୀନଫିଲଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ କଟକରେ ଥିବା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଭିତ୍ତିଭୂମିର ଉନ୍ନୟନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ କର୍କଟ ରୋଗୀଙ୍କ ଚିହ୍ନଟ କରିବା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, କୋରାପୁଟ ଓ କଳାହାଣ୍ଡିରେ ଥିବା ସରକାରୀ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ସବୁପ୍ରକାର ନିଦାନ ବ୍ୟବସ୍ଥା କରାଯିବ।

ତୃତୀୟ ପର୍ଯ୍ୟାୟରେ ଝାରସୁଗୁଡା,କେନ୍ଦୁଝର, ବାରିପଦା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼ ଓ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗ ନିଦାନ ସହ ଡେ କେୟାର ବ୍ୟବସ୍ଥା ଗ୍ରହଣ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ନିଦାନ ଓ ସେବା ଯୋଗାଇ ଦିଆଯିବ। ଏସବୁ କରିବା ପାଇଁ ଏକ ହଜାର କୋଟି ଟଙ୍କାର ଏକ ପାଣ୍ଠି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ସମାନ ଭାବରେ ଏହି ଟଙ୍କା ବିନିଯୋଗ କରିବେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ କର୍କଟ ରୋଗରେ ଆକ୍ରାନ୍ତ ଲୋକଙ୍କ ଉତ୍ତମ ଚିକିତ୍ସା ଓ ସେବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ’ ଗଠନ କରିବେ।

Comment