ଓଡ଼ିଶାଲାଇଭ୍ ବ୍ୟୁରୋ

ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି କାଟ୍ ନକରିବାକୁ ବିଦ୍ୟୁତ ବିତରକ କମ୍ପାନିଗୁଡ଼ିକୁ ମୁଖ୍ୟ ଶାସନ ସଚିବ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟୁତ ଯୋଗାଣକୁ ନେଇ ଆଜି ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ ସମୀକ୍ଷା କରି ରାଜ୍ୟରେ ଅସହ୍ୟ ଗରମ ହେଉଥିବାରୁ ଏବଂ ଆଗକୁ ପରୀକ୍ଷା ଥିବାରୁ ରାଜ୍ୟବାସୀଙ୍କ ସୁବିଧା ଦୃଷ୍ଟିରୁ ବିଦ୍ୟୁତ ସରବହରାହ ନିରନ୍ତର ଜାରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ଅସମ୍ଭାଳ ତାତି ଯୋଗୁଁ ବିଦ୍ୟୁତ୍ ବ୍ୟବହାର ୧୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ବିଦ୍ୟୁତ୍ ଯୋଗାଣରେ ସମସ୍ୟା ଉପୁଜିଛି। ବିଶେଷ କରି ଦିନ ବେଳା ବିଦ୍ୟୁତ ଯୋଗାଣରେ ସମସ୍ୟା ସୃଷ୍ଟି ନକରିବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜୁଳି ନିଅଣ୍ଟ ଯୋଗୁଁ ବିଭିନ୍ନ ସମୟରେ ଅଘୋଷିତ ଭାବେ ବିଜୁଳି କାଟ୍ କରାଯାଉଛି। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିନା ବିଜୁଳିରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରାଞ୍ଚଳ ଅପେକ୍ଷା ବିଦ୍ୟୁତ୍ ପାଇଁ ଅଧିକ ହଇରାଣ ହରକତ ହେଉଛନ୍ତି ଗ୍ରାମାଞ୍ଚଳ ଉପଭୋକ୍ତା। ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌କୁ ନେଇ ଜନଅସନ୍ତୋଷ ମଧ୍ୟ ମୁଣ୍ଡ ଟେକୁଛି।

ଖରାଦିନ ଯୋଗୁଁ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବାବେଳେ ଜଳ ଅଭାବରୁ ୩୦୦ ମେଗାୱାଟ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି। ଏହି କାରଣରୁ ରାଜ୍ୟର କେତେକ ଅଞ୍ଚଳରେ ଦିନ ସମୟରେ ଅସ୍ଥାୟୀ ଭାବେ ୩୦ରୁ ୪୫ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ କରାଯାଉଛି ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଆଜି ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର।

Tags: #ElectricSupply #ElectricCompanies #UninterruptedElectricity  #UrbanAndRuralConsumer #ChiefSecretary

Comment