ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାଂସଦ ପଦବୀରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନଥିବାରୁ ବିଜେଡି ଆଜି ଲୋକସଭା ବାଚସ୍ପତିଙ୍କୁ ଆଇନ ପାଠ ପଢ଼ାଇଛି।

ବିଜେଡି-ବୈଜୟନ୍ତ ବିବାଦର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସାଂସଦ ପଦବୀରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ରକୁ ନେଇ ଏହି ବିବାଦ ଭିନ୍ନ ମୋଡ଼ ନେଇଛି। ପୁଣିଥରେ ବିଜେଡି ଏବଂ ବୈଜୟନ୍ତ ମୁହାଁମୁହିଁ ହୋଇଛନ୍ତି। ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଉ ନଥିବାରୁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଆଇନ ପାଠ ପଢ଼ାଇଛନ୍ତି। ଏନେଇ ଟୁଇଟର୍‌ରେ ବୈଜୟନ୍ତ ବିଜେଡିକୁ ଜବାବ ଦେଇଛନ୍ତି।

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ଗତ ଜୁନ୍ ୧୩ ତାରିଖରେ ବୈଜୟନ୍ତ ପଣ୍ଡା ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବିଦେଶ ଗସ୍ତରୁ ଫେରିବା ପରେ ଜୁଲାଇ ୫ରେ ବୈଜୟନ୍ତ ତାଙ୍କୁ ଭେଟିଥିଲେ। ଇସ୍ତଫାର କାରଣ ସମ୍ପର୍କରେ ବାଚସ୍ପତି ବୈଜୟନ୍ତଙ୍କଠାରୁ ପଚାରି ବୁଝିଥିଲେ। ଏ ସମ୍ପର୍କରେ ଆଉ ଥରେ ବିଚାର କରିବାକୁ ବାଚସ୍ପତି କହିଥିବା ବୈଜୟନ୍ତ ଟୁଇଟ କରି ସୂଚନା ଦେଇଥିଲେ। ତେବେ ବାଚସ୍ପତି ଦେଇଥିବା ପ୍ରସ୍ତାବ ସମ୍ପର୍କରେ ବୈଜୟନ୍ତ କ’ଣ ଉତ୍ତର ଦେଇଥିଲେ ସେ ବିଷୟରେ କିଛି ସେ ସ୍ପଷ୍ଟ କରି ନଥିଲେ।

ଇତିମଧ୍ୟରେ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ବିଜେଡି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛି। ମଙ୍ଗଳବାର ଦିନ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଚିଠି ଲେଖି ବାଚସ୍ପତି ସମ୍ବିଧାନର ୧୦ମ ପରିଛେଦର ପାଠ ପଢ଼ାଇଛନ୍ତି।

ଭର୍ତ୍ତୃହରି ଚିଠିରେ ଲେଖିଛନ୍ତି ଯେ ୨୦୧୪ ନିର୍ବାଚନରେ ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ହେଲେ ବୈଜୟନ୍ତ ଦଳ ବିରୋଧୀ କାମରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏ ସମ୍ପର୍କରେ ଆମେ ବାଚସ୍ପତିଙ୍କ ଅଫିସକୁ ଅବଗତ କରିଥିଲୁ।

“ଇତିମଧ୍ୟରେ ବୈଜୟନ୍ତ ପଣ୍ଡା ନିଜ ଆଡ଼ୁ ଦଳରୁ ଏବଂ ସାଂସଦ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି। ଏଣୁ ସମ୍ବିଧାନର ୧୦ମ ପରିଛେଦ (ଦଳ ବିରୋଧୀ ଆଇନ) ଅନୁଯାୟୀ ସେ ସାଂସଦ ଭାବେ ଯୋଗ୍ୟତା ହରାଇଛନ୍ତି। ନିଜ ଆଡ଼ୁ ବୈଜୟନ୍ତ ଇସ୍ତଫା ଦେଇଥିବାରୁ ତାଙ୍କ ସଦସ୍ୟ ପଦ ରବ୍ଦ କରିବା ପାଇଁ ଆମ ଦଳ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବନି। ଏଣୁ ସମ୍ବିଧାନ ଏବଂ ଆଇନକୁ ସମ୍ମାନ ଜଣାଇ ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଉଚିତ୍”, କହିଛନ୍ତି ଭର୍ତ୍ତୃହରି ମହତାବ।

ଭର୍ତ୍ତୃହରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ଏହାର ଜବାବ ରଖିଛନ୍ତି ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

“ମୁଁ ମୋ ନିଜ ଇଚ୍ଛାରେ ଇସ୍ତଫା ଦେଇଛି। ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ସଦସ୍ୟତା ପଦକୁ ରବ୍ଦ କରିବା ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବାର କୌଣସି ଆବଶ୍ୟକତା ନାହିଁ। ମୁଁ ଯେମିତି ନିଜ ସ୍ୱାଭିମାନ ବଜାୟ ରଖିଛି ସେମାନେ ବି ସାମାନ୍ୟ ଆତ୍ମସମ୍ମାନ ରକ୍ଷା କରନ୍ତୁ”, କହିଛନ୍ତି ବୈଜୟନ୍ତ।

ପଞ୍ଚାୟତ ନିର୍ବାଚନ ପରଠୁ ବୈଜୟନ୍ତ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୈଜୟନ୍ତ ଅପପ୍ରଚାର କରୁଥିଲେ ବୋଲି ତାଙ୍କ ରଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଅଭିଯୋଗ କରିଥିଲେ।

ଜାନୁଆରୀ ୨୪ରେ ବୈଜୟନ୍ତଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବିଜେଡିର କୌଣସି ନେତା ନଆସିବାରୁ ମେ ୨୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ। ଏହାସହ ଜୁନ୍ ୧୩ରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

Comment