ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାରଙ୍କୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ୨ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ରାଜ୍ୟ ସରକାର ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସରକାର ଲୋକାୟୁକ୍ତ ଚୟନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ବୋଲି ଦର୍ଶାଇଥିଲେ।

ଏହାକୁ ଗ୍ରହଣ କରି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ୨ ମାସ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଶ୍ୱିନୀ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ଦେଶର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇ ନ ଥିବା ଦର୍ଶାଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହାର ବିଚାର କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଥିଲେ।

ଲୋକାୟୁକ୍ତ ବିଲ ପାରିତ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇଥିବା ଦାବି କରିଥିଲା। ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ମଧ୍ୟ କରିଥିଲେ। ତେବେ ଏହାର ନିୟମାବଳୀ ପ୍ରଣୟନ ସହ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଯାହାକୁ ନେଇ ବିରୋଧୀଦଳ ମାନେ ରାଜ୍ୟ ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ଏପରିକି ଗତ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରି ସହ ବାରମ୍ବାର ଗୃହ ଅଚଳ କରିଥିଲେ।

୨୦୧୪ ଫେବୃଆରୀ ୧୪ରେ ବିଧାନସଭାରେ ସମଗ୍ର ଦେଶରେ ପ୍ରଥମ କରି ଲୋକାଯୁକ୍ତ ବିଲ ପାରିତ ହୋଇଥିବା ବେଳେ ସେହି ବର୍ଷ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା। ଜୁଲାଇ ୭ରୁ ସାରା ଦେଶରେ ଲୋକାଯୁକ୍ତ ଆଇନ କାର୍ଯ୍ୟକାରୀ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଓଡ଼ିଶାରେ କାର୍ଯ୍ୟକାରୀ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାର ସ୍ଥିର କରିଥିଲେ ଓଡ଼ିଶା ସରକାର।

ତେବେ ସୁପ୍ରିମକୋର୍ଟଙ୍କ ନୋଟିସ ପରେ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ମଧ୍ୟ ଗଠନ ହେବ।

ଏହି କମିଟିରେ ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରହିବେ। ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିସ କରିବେ। ପରେ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେବେ। ପୁଣି ଚୟନ କମିଟି ଏକ ପାଞ୍ଚ ଜଣିଆ ସର୍ଚ୍ଚ କମିଟି ବାଛିବେ।

ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିରେ କେଉଁ କେଉଁ ଅଭଯୋଗ ବିଚାର ପାଇଁ ସୁପାରିସ କରିବେ।

Comment