ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ଧନିଆପଡ଼ା ଗ୍ରାମର ବଜ୍ର ମହାକାଳୀ ଉ.ପ୍ରା. ବିଦ୍ୟାଳୟ ଛାତ୍ରୀ ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଏହି ଘଟଣାରେ ବିଦ୍ୟାଳୟର ଦୁଇ ସହକାରୀ ଶିକ୍ଷକଙ୍କର ମଧ୍ୟ ଦରମା ବନ୍ଦ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ।

ମଙ୍ଗଳବାର ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଆଉ ବିଦ୍ୟାଳୟକୁ ଫେରି ନଥିଲେ। ବିଦ୍ୟାଳୟ ଛୁଟି ହେବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଘରକୁ ଅନ୍ୟ ପିଲାଙ୍କ ହାତରେ ତାର ସ୍କୁଲ ବ୍ୟାଗ୍ ପଠାଇ ଦେଇଥିଲେ।

ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ମଧ୍ୟ ରାଜଶ୍ରୀଙ୍କର ପତ୍ତା ମିଳି ନଥିଲା। ରାତି ପ୍ରାୟ ୯ଟା ବେଳକୁ ସ୍କୁଲ ପାଖରେ ଥିବା ଏକ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ବୁଧବାର ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋଖରୀରୁ ମୃତ ଛାତ୍ରୀଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ଛାତ୍ରୀ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାଗ୍ରାମବାସୀ ବିଦ୍ୟାଳୟରେ ଥିବା ଆସବାବପତ୍ରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏଥି ସହିତ ଜଣେ ଶିକ୍ଷକଙ୍କ ବାଇକକୁ ପୋଡ଼ି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି  ପରିସ୍ଥିତି ଆୟତ୍ତକୁ ନେଇଥିଲା। ଘଟଣା ସ୍ଥଳକୁ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଦାୟୀତ୍ୱ ହୀନତା ପାଇଁ ପ୍ରଧାନ ଶିକ୍ଷୟିତ୍ରି କାଞ୍ଚନବାଳା ବହେରାଙ୍କୁ ନିଲମ୍ବିତ କରାଯାଇଛି।

Comment