ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉଶୁ ଚାମ୍ପିଅନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ସୁନାମ ଆଣିଛନ୍ତି।

ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉଶୁ ପ୍ରତିଯୋଗିତାରେ ଯୋଡ଼ାର ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି।

ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ସେ ଏହି ପଦକ ପାଇଥିଲେ। କ୍ୱାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌ରେ ଯଥାକ୍ରମେ ପେରୁ ଓ ଇରାନ ପ୍ରତିଯୋଗୀଙ୍କୁ ମାତ୍‌ ଦେଇଥିଲେ।

ରବିବାର ଫାଇନାଲ୍‌ରେ ଇଜିପ୍ଟର ପ୍ରତିଯୋଗୀଙ୍କଠୁ ପରାଜୟ ବରଣ କରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହି ପ୍ରତିଯୋଗିତାରେ ଭାରତରୁ ୨୧ ଜଣ ଅଂଶଗ୍ରହଣ କରିଥିଲା ବେଳେ ୪ ରୌପ୍ୟ ଏବଂ ୫ ବ୍ରୋଞ୍ଚ ପଦକ ମିଳିଥିଲା।

ଏହି ପ୍ରତିଯୋଗିତା ପାଇଁ ବବୁଲୁ ଚୀନରେ ପ୍ରଶିକ୍ଷଣ ସମେତ କଠିନ ପ୍ରସ୍ତୁତି କରିଥିଲେ।

କେନ୍ଦୁଝର ଜଲ୍ଲା ଯୋଡା ବ୍ଲକର ଦେଓଝର ଗ୍ରାମ ପଞ୍ଚାୟତ ସିଆଳିଯୋଡା ଗ୍ରାମର ବବୁଲୁ ବର୍ତ୍ତମାନ ବଡ଼ବିଲ୍‌ ସରକାରୀ ନୋଡାଲ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର।

ପଙ୍କଜ କୁମାର ମହାନ୍ତଙ୍କଠୁ ମାତ୍ର ୬ ବର୍ଷ ବୟସରୁ ସେ ଉଶୁ ପ୍ରଶିକ୍ଷଣ ନେଇଥିଲେ। ତାଙ୍କର ପ୍ରଥମ ପ୍ରତିଯୋଗିତା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଗତ ମାର୍ଚ୍ଚରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଉସୁ ଚାମ୍ପିୟନସିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।

୨୦୧୧ରେ ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ବ୍ରାଜିଲରେ ରୌପ୍ୟ ପଦକ ପାଇବା ପୂର୍ବରୁ ୧୨ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ୭ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ ପଦକ ହାସଲ କରି ସାରିଛନ୍ତି। ବବୁଲୁଙ୍କ ସଫଳତାରେ ଜେଏସ୍‌ପିଏଲ ଫାଉଣ୍ଡେଶନ ସମ୍ପୂର୍ଣ୍ଣ ସହଯୋଗ କରିଛି। ଏସିଆନ ଇନ୍‌ଡୋର ଗେମ୍ସ ପଦକ ବିଜୟୀ ପଙ୍କଜ ମହାନ୍ତଙ୍କ ଦ୍ୱାରା ପ୍ରଶିକ୍ଷଣ ନିମନ୍ତେ ଜେଏସ୍‌ପିଏଲ ଫାଉଣ୍ଡେସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

Comment