ଓଡ଼ିଶାଲାଇଭ୍ ବ୍ୟୁରୋ
- ଟ୍ରକ ଚକା ତଳେ ଚାଲିଗଲା ୫ ଜୀବନ
- ଉତ୍ତ୍ୟକ୍ତ ଲୋକେ ଅବରୋଧ କଲେ ରାସ୍ତା
- ଅବରୋଧକାରୀଙ୍କୁ ଘଉଡ଼ାଇଲା ପୋଲିସ
- ମୃଦୁ ଲାଠି ଚାଳନା, ଫାଙ୍କା ଗୁଳି ଚାଳନା
- ଓଭରବ୍ରିଜ ନିର୍ମାଣ ଦାବିରେ ରାସ୍ତାରୋକ
ଭଦ୍ରକ ରାହାଞ୍ଜ ଛକରେ ୧୦ ଚକିଆ ଟ୍ରକ ତଳେ ୫ ଜଣ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ପରେ ଦେଖାଦେଇଥିଲା ଉତ୍ତେଜନା। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଏବଂ ସ୍କୁଲ ନିକଟରେ ଓଭରବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ଭଦ୍ରକ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀ। ଓଭରବ୍ରିଜ ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ଅଡ଼ି ବସିଥିଲେ ବିକ୍ଷୋଭକାରୀ। ଶେଷରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ କଲା। ବିକ୍ଷୋଭକାରୀଙ୍କ ଉପରେ ପୋଲିସ ମୃଦୁ ଲାଠି ଚାଳନା କରିଥିଲା।
ଏହାର ଜବାବରେ ପୋଲିସ ଉପରେ ଲୋକେ ପାଲଟା ଆକ୍ରମଣ କରିଥିଲେ। ଶେଷରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ରବର ବୁଲେଟ୍ ମାଡ଼ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲା। ଫଳରେ ରାସ୍ତା ଅବରୋଧକାରୀ ଛତ୍ରଭଙ୍ଗ ଦେଇଥିଲେ। ଏବେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।
ହାଟସାହିରେ ଲୁଚିଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ବିକ୍ଷୋଭକାରୀ ରାଜରାସ୍ତାରୁ ହଟିବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପୋଲିସ ମହାପ୍ରୟାଣ ଗାଡ଼ିରେ ଭଦ୍ରକ ମେଡିକାଲକୁ ନେଇଛି।
୪ଟା ବେଳେ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହୋଇ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ୧୦ ଚକିଆ ଟ୍ରକ ପିଲାମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୬ରୁ ଅଧିକ ପିଲା ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମୃତଦେହ ରଖି ସ୍ଥାନୀୟ ଲୋକେ ପ୍ରତିବାଦ କରୁଛନ୍ତି। ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତ ଠପ୍ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭଦ୍ରକ ରାଣୀତାଲ ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର।
ମିଳିଲା ମୃତକଙ୍କ ପରିଚୟ
ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ମୃତକଙ୍କର ପରିଚୟ ମିଳିଛି। ସେମାନେ ହେଲେ ପ୍ରିୟମ୍ବଦା ମହାନ୍ତି, ସତ୍ୟବ୍ରତ ବାରିକ, କଳ୍ପନା ଜେନା, ଶ୍ୱେତା ସାହୁ, ସୁକାନ୍ତ ସାହୁ। ଏମାନେ ସମସ୍ତେ ନବମ ଶ୍ରେଣୀରେ ପଢ଼ୁଥିଲେ।