ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି

ସୁରୁଖୁରୁରେ ଚଳିତ ରଥଯାତ୍ରା ପ୍ରକ୍ରିୟା ସମ୍ପନ୍ନ ହେବା ପଛରେ ପଡ଼ିଲା କି ସୁପ୍ରିମକୋର୍ଟଙ୍କ ଛାଟର ପ୍ରଭାବ?

ବାହୁଡ଼ା ଯାତ୍ରା ଶେଷ ହେବା ସହିତ ଏକପ୍ରକାର ରଥଯାତ୍ରାର ପ୍ରମୁଖ ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସୁନାବେଶ, କାଲି ଅଧରନୀତି ଏବଂ ବୁଧବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନୀଳାଦ୍ରି ବିଜେ। ଏଥର ରଥଯାତ୍ରା ସୁରୁଖୁରରେ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବାକୁ ନେଇ ପ୍ରଶାସନ ବାହାବା ନେବା ଆରମ୍ଭ କରିଛି। ହେଲେ ପ୍ରଶାସନ ଓ ସେବାୟତ ଉଭୟଙ୍କୁ ଏବେ ପୁଣି ଘାରିଛି ଶ୍ରୀମନ୍ଦିରର ସଂସ୍କାର ଚିନ୍ତା।

ଏଥର ରଥଯାତ୍ରା ବେଳେ ବହୁ ବିଭ୍ରାଟ ଆଶଙ୍କା ଥିଲା। ହେଲେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା କାମ ସରିଯାଇଥିବାରୁ ସମସ୍ତେ ଆଶ୍ୱସ୍ତ ହୋ‍ଇଛନ୍ତି। ବିଶେଷକରି ବାହୁଡ଼ା ଦିନ ଯେଭଳି ଭାବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁକାର୍ଯ୍ୟ ସମ୍ପନ୍ନ ହେଲା, ତାହା ଅନେକଙ୍କୁ ଚକିତ କରିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ରଥଯାତ୍ରା ମାମଲାରେ ବିରୋଧୀମାନଙ୍କୁ ମୁହଁ ଖୋଲିବାକୁ କୌଣସି ପ୍ରସଙ୍ଗ ମିଳିନାହିଁ। ସେହିପରି ସେବାୟତ ସମ୍ପ୍ରଦାୟ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ବାଦବିବାଦ ବା ସମସ୍ୟା ସୃଷ୍ଟି ନ କରି ରଥଯାତ୍ରା ପ୍ରକ୍ରିୟାରେ ଶୃଙ୍ଖଳାର ସହ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏସବୁ ପଛରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଛାଟର ପ୍ରଭାବ ପଡ଼ିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ସବୁଠୁ ବଡ଼ ବିବାଦ ଘଟିଥିଲା ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ। ଏହି ବିବାଦ ରଥଯାତ୍ରା କାର୍ଯ୍ୟକ୍ରମ ପାଇଁ ସାମୁହିକ ଭାବେ ଦବିଯାଇଥିଲେ ମଧ୍ୟ ମରିଯାଇନାହିଁ। ଏହି ପ୍ରସଙ୍ଗର ତଦନ୍ତ କରିବା ପାଇଁ କମିସନ ଗଠନ କରାଯାଇଛି। ତେବେ ଏହି ବିବାଦର ସମାଧାନ ଅପେକ୍ଷା ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ସେବାୟତମାନଙ୍କ ଭିତରେ ଶୃଙ୍ଖଳା ଏବଂ ଭକ୍ତ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ସୁପ୍ରିମକୋର୍ଟ ଯେଉଁ ଛାଟ ମାରିଛନ୍ତି, ତାହା ହେଉଛି ସବୁଠୁ ବଡ଼ ଚିନ୍ତାର କାରଣ।

ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଆବେଦନକୁ ଆଧାର କରି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟରେ ଦେଇଥିବା ବିଭିନ୍ନ ପରାମର୍ଶକୁ ଏକପ୍ରକାର ସ୍ୱୀକୃତି ଦେଇ ସୁପ୍ରିମକୋର୍ଟ ଅନ୍ତରୀଣ ରାୟରେ କହିଛନ୍ତି ଯେ ସେଗୁଡ଼ିକ ଲାଗୁ କରିବା ପାଇଁ ସରକାର ଏବଂ ସମସ୍ତ ପକ୍ଷ ଆଗେଇ ଆସିବା ଦରକାର।

ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶ ତାଲିକା ମଧ୍ୟରେ ସରକାର ଓ ସେବାୟତଙ୍କ ପାଇଁ ସବୁଠୁ ବଡ଼ ଅସୁବିଧା ହୋ‍ଇଛି ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସଙ୍ଗ। ପୁରୁଷ ପୁରୁଷ ଧରି ଯେଉଁ ସେବାୟତମାନେ ଶ୍ରୀମନ୍ଦିରର ଛତିଶାନିଯୋଗ ଅଧୀନରେ ବିଭିନ୍ନ ସେବା ସହ ଯୋଡ଼ି ହୋ‍ଇ ରହିଛନ୍ତି ଏବଂ ଏ ବାବଦରେ ଅଧିକାର ପାଇଛନ୍ତି, ତାହା ଆଉ ଅଧିକାର ହୋ‍ଇରହିବ ନାହିଁ। ଅର୍ଥାତ ସେବାୟତମାନେ ବଂଶାନୁକ୍ରମିକ ସେବା ଅଧିକାର ହରାଇବେ ଓ ସରକାର ବା ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏବଂ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦେବେ। ଏହାକୁ ଲାଗୁ କରିବା ସରକାରଙ୍କ ପାଇଁ ଏକ ବିରାଟ କଣ୍ଟା ହୋ‍ଇପାରେ। ସେହି ଚିନ୍ତା ଏବେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଆଇନ୍‍ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶିବିରକୁ ଘାରିଛି।

ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା ଅନୁଯାୟୀ ଗଜପତି ମହାରାଜ ହେଉଛନ୍ତି ଜଗନ୍ନାଥଙ୍କର ଆଦ୍ୟ ବା ପ୍ରଧାନ ସେବକ। ଅତୀତରେ ରାଜତନ୍ତ୍ରରେ ଗଜପତିମାନେ ଉଭୟ ଶାସନ ମୁଖ୍ୟ ଏବଂ ଶ୍ରୀମନ୍ଦିର ପରିଚାଳନା ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ୧୯୬୦ରେ ସରକାରଙ୍କ ହାତକୁ ଶ୍ରୀମନ୍ଦିରର ପୂର୍ଣ୍ଣ କ୍ଷମତା ଚାଲିଯିବା ପରେ ଗଜପତି ଲୋକମୁଖରେ ପ୍ରଧାନ ସେବକ ଓ ସରକାରଙ୍କ ଭାଷାରେ ଶ୍ରୀମନ୍ଦିରର ପରିଚାଳନା କମିଟିର ମୁଖ୍ୟ ରହିଛନ୍ତି। ସୁପ୍ରିମକୋର୍ଟର ପରାମର୍ଶ ଅନୁଯାୟୀ ସେବାୟତମାନେ ବଂଶାନୁଗତ ସେବା ଅଧିକାର ହରାଇବା ବେଳେ ଗଜପତିଙ୍କୁ ମଧ୍ୟ ସେହି ଆଇନର ସମ୍ମୁଖୀନ ହେବାକୁ ପଡ଼ିବ।

ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବା ବେଳେ ୧୯୫୪ ଶ୍ରୀମନ୍ଦିର ଆଇନର ସଂଶୋଧନ କରିବା ପାଇଁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପରାମର୍ଶ ତାଲିକାକୁ ଦେଖିଲେ ମନେହେଉଛି ଯେ ୧୯୫୪ ଶ୍ରୀମନ୍ଦିର ଆଇନ‍ର ସଂଶୋଧନ ନୁହେଁ, ବରଂ ଏକ ନୂଆ ଆଇନ୍‍ ପ୍ରଣୟନ କରିବା ଭଳି ବ୍ୟବସ୍ଥା କରିବାକୁ ହେବ। ଆଗକୁ ନିର୍ବାଚନ ଆସୁଥିବାରୁ ଶ୍ରୀମନ୍ଦିର ଭଳି ଏକ ସ୍ପର୍ଶକାତର ବିଷୟ ଉପରେ ସରକାର କି ନିଷ୍ପତି ନେବେ, ତାହା ଦେଖିବା କଥା।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ କେବଳ ସରକାରୀ ଦଳ ବା ବିଜେଡି ଚିନ୍ତାରେ ପଡ଼ିନାହିଁ, ବରଂ ସେବାୟତମାନଙ୍କ ଅଧିକାର ଉଚ୍ଛେଦ କରିବା ପ୍ରସଙ୍ଗରେ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ସେମାନଙ୍କ ମନୋଭାବ ସ୍ପଷ୍ଟ କରିନାହାନ୍ତି। ଅବସ୍ଥା ଦେଖି ସେମାନେ ମନ୍ତବ୍ୟ ଦେବାକୁ ଉଚିତ ମନେ କରୁଛନ୍ତି।

କେବଳ ସେବାୟତଙ୍କ ପ୍ରସଙ୍ଗ ନୁହେଁ, ଶ୍ରୀମନ୍ଦିର ଭିତରକୁ ଅଣ-ହିନ୍ଦୁମାନଙ୍କ ପ୍ରବେଶ ପ୍ରସଙ୍ଗ ଆଗାମୀ ଦିନରେ ଝଡ଼ ସୃଷ୍ଟି କରିପାରେ। ଶ୍ରୀମନ୍ଦିରରେ ବର୍ତ୍ତମାନ ଚାଲିଥିବା ପରମ୍ପରା ରକ୍ଷା କରି ଭକ୍ତଙ୍କ ଭାବନାରେ ହସ୍ତକ୍ଷେପ ନ କରିବାକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି। ଗଜପତି ଦିବ୍ୟସିଂହ ଦେବ ମଧ୍ୟ ସେହି ମର୍ମରେ ମତ ରଖିଛନ୍ତି। ଶ୍ରୀମନ୍ଦିର ଭିତରକୁ ଅଣ-ହିନ୍ଦୁଙ୍କ ପ୍ରବେଶର ବିଶେଷ ଆବଶ୍ୟକତା କ’ଣ ବୋଲି ସେବାୟତମାନଙ୍କ ଶିବିରରୁ ସ୍ୱର ଉଠିଛି।

ଏହି ମାମଲାରେ ଓଡ଼ିଶାର ବୁଦ୍ଧିଜୀବୀମାନେ ଦୁଇଭାଗରେ ବିଭକ୍ତ ହୋ‍ଇଯାଇଛନ୍ତି। ଜଗନ୍ନାଥ ଜଗତର ନାଥ। ତାଙ୍କ ପାଖରେ ଜାତି-ଅଜାତି, ଛୁଆଁ-ଅଛୁଆଁ କିଛି ନାହିଁ। ତେଣୁ ଶ୍ରୀମନ୍ଦିରକୁ ଅଣ-ହିନ୍ଦୁ ଜଗନ୍ନାଥ-ବିଶ୍ୱାସୀ ବା ଭକ୍ତଙ୍କ ଉପରେ କଟକଣା ଉଠିଯିବା ଦରକାର ବୋଲି କେହି କେହି ମତ ଦେଇଛନ୍ତି। ତେବେ ଅନ୍ୟପକ୍ଷରେ ଆଉ ଗୋଟିଏ ବର୍ଗର କହିବା କଥା ହେଲା ସ୍ଥିତାବସ୍ଥାକୁ ଚାଲେଞ୍ଜ ନ କରିବା ଭଲ। ତେଣୁ ଗଭୀର ଭାବେ ଅନୁଧ୍ୟାନ କଲେ ମନେହେଉଛି ଯେ ଆଗାମୀ ଦିନରେ ଏ ପ୍ରସଙ୍ଗ ଏତେ ସହଜରେ ତୁଟୁନାହିଁ।

ସୁପ୍ରିମକୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ସମସ୍ତ ପକ୍ଷକୁ ନିଜ ନିଜର ମତ ରଖିବାକୁ ଆହ୍ୱାନ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଯେ କୌଣସି ପକ୍ଷ ଏପରିକି ସର୍ବସାଧାରଣ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ନିଜ ପକ୍ଷ ରଖିପାରିବେ। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଶ୍ରୀମନ୍ଦିରର ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବ

(୧) ସେବାୟତମାନେ ବଂଶାନୁକ୍ରମିକ ଭାବେ ପାଉଥିବା ସେବା ଅଧିକାର ବ୍ୟବସ୍ଥା ଉଚ୍ଛେଦ କରି ସେବକ ନିଯୁକ୍ତି ଲାଗୁ କରିବା।

(୨) ଅନ୍ନଦାନ ଆଟିକା, ଥାଳି ଏବଂ ବିଭିନ୍ନ ମାର୍ଗରେ ସେବାୟତମାନେ ଯାତ୍ରୀମାନଙ୍କଠାରୁ ସିଧାସଳଖ ନେଉଥିବା ଦାନ ବନ୍ଦ କରିବା।

(୩) ଶ୍ରୀମନ୍ଦିର ରୋଷଘର ଏବଂ ସେଠାରେ ଥିବା ସମସ୍ତ ଚୁଲି ଉପରେ ଶ୍ରୀମନ୍ଦିର ପ୍ରଶାସନ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା

(୪) ପୁରୁଷ ଓ ମହିଳା ଯାତ୍ରୀ ଏବଂ ସେବକମାନଙ୍କ ପାଇଁ ଅଲଗା ଟଏଲେଟ୍‍ ବ୍ୟବସ୍ଥା କରିବା।

(୫) ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଲାଗୁ କରିବା।

(୬) ହୁଣ୍ଡି ଏବଂ ଅନ୍ୟାନ୍ୟ ରାସ୍ତାରେ ଶ୍ରୀମନ୍ଦିରକୁ ଆସୁଥିବା ଦାନ ସଂଗ୍ରହ ଉପରେ ଇଲେକ୍ଟ୍ରୋନିକ ନଜର ରଖିବା।

(୭) ମନ୍ଦିରର ଆୟ-ବ୍ୟୟର ସମୀକ୍ଷା ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା କରାଯିବା।

(୮) ସେବାୟତ ଏବଂ କର୍ମଚାରୀମାନଙ୍କ ପାଇଁ ପରିଚୟ ପତ୍ର ଲାଗୁ କରିବା।

(୯) ମନ୍ଦିର ପ୍ରଶାସନ ଅଧୀନରେ ଗାଇଡମାନଙ୍କୁ ପଞ୍ଜୀକୃତ କରିବା।

(୧୦) ମନ୍ଦିର ପ୍ରଶାସନରେ ଥିବା ଅଧିକ ବା ଅତିରିକ୍ତ କର୍ମଚାରୀଙ୍କୁ ବିଦା କରିବା।

(୧୧) ମନ୍ଦିର ପରିସର ମଧ୍ୟରେ ଏକକ ବା ସ୍ୱୟଂଶାସିତ ସୁରକ୍ଷା ପରିଚାଳନା ବ୍ୟବସ୍ଥା ଲାଗୁ କରିବା ଏବଂ

(୧୨) ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ଆବଶ୍ୟକ ସଂଶୋଧନ କରିବା।

LEAVE A REPLY

Please enter your comment!
Please enter your name here