ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୨ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ ସଫଳତାର ସହ ଶେଷ ହୋଇଛି।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ବିରଳ ଅସ୍ତ୍ରୋପଚାର ଶେଷ ହୋଇଛି। ଏମ୍‌କେସିଜିର ୧୨ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସାଢ଼େ ୫ ଘଣ୍ଟା ଧରି ଅପରେସନ୍ କରିଥିଲେ। ଅପରାହ୍ଣ ସାଢ଼େ ୩ଟାରେ ଅପରେସନ୍ ଶେଷ ହୋଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ରାଜୁ ଦାସ କହିଛନ୍ତି। କାହ୍ନା ଜଙ୍ଘରୁ ଚମଡ଼ା ଆଣି ମୁହଁରେ ପ୍ରତିରୋପଣ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାଘୁଆ ଗ୍ରାମର ରାମଚନ୍ଦ୍ର ନାଇକ ଓ ମମତା ନାଇକଙ୍କ ପୁଅ ହେଉଛନ୍ତି କାହ୍ନା। ଜନ୍ମ ହେବା ବେଳେ କାହ୍ନାର ସ୍ୱାସ୍ଥ୍ୟବସ୍ଥା ସ୍ଵାଭାବିକ ଥିଲା। କିନ୍ତୁ ୬ ମାସ ପରେ କାହ୍ନାର ଦେହ, ମୁହଁରେ ଲୋମ ବାହାରିବା ଦେଖିବାକୁ ମିଳିଥିଲା। କାହ୍ନାର ବୟସ ବଢ଼ିବା ସହ ଲୋମ ମଧ୍ୟ ଦେହ ସାରା ମାଡ଼ି ଯାଇଥିଲା। ମୁହଁରେ ବଡ଼ ବଡ଼ ଫୋଟକା ମଧ୍ୟ ବାହାରିଥିଲା। ଏଥିରେ ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ।

ବ୍ରହ୍ମପୁର ଏମ୍‌କେଜିସି ମେଡିକାଲକୁ ଦୁଇ ଥର ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ କାହ୍ନାର ବାପା ଏବଂ ମା’। ହେଲେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଥିଲା ପ୍ରତିବନ୍ଧକ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ବାହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ।

ଲୋମଶ ଶିଶୁ କାହ୍ନାର ଅସ୍ତ୍ରୋପଚାର ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶରେ କାହ୍ନାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୪ ଜଣିଆ ପ୍ଲାଷ୍ଟିକ ସର୍ଜରୀ ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ସ୍ୱତନ୍ତ୍ର ଟିମ୍‌ କାହ୍ନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲେ। ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପାଇଁ ୧୨ ଜଣିଆ ଡାକ୍ତରୀ ଟିମ୍ ଗଠନ କରିଥିଲେ। ଆଜି ସଫଳତାର ସହ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହୋଇଛି।

“କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହୋଇଛି। ଏଥିପାଇଁ ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହା ବିରଳ ଅସ୍ତ୍ରୋପଚାର। ଡାକ୍ତରୀ ଟିମ୍‌ଙ୍କ ପରିଶ୍ରମ ଯୋଗୁଁ ଏହି ଅପରେସନ୍ ସଫଳ ହୋଇଛି। ଜଙ୍ଘରୁ ମାଂସ ଆଣି ମୁହଁରେ ପ୍ରତିରୋପଣ କରାଯାଇଛି। ତିନି ମାସରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ।”, କହିଛନ୍ତି ପ୍ରଫେସର ରାଜୁ ଦାସ।

Comment