ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୌଦ୍ଧ ଜିଲ୍ଲା କୃଷ୍ଣପାଲି ଗାଁରେ ହୃଦୟବିଦାରକ ଘଟଣା। ମୃତଦେହ ଉଠାଇବାକୁ ଗାଁ ଲୋକ ମନା କରିଦେବାରୁ ନିଜେ ଭିଣୋଇ ଶାଳୀର ଶବକୁ ସାଇକେଲରେ ମଶାଣିକୁ ବୋହିନେଲା।

କଳହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଚର୍ଚ୍ଚା ନଥମୁଣୁ ଏବେ ଆଉ ଏକ  ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବୌଦ୍ଧ ଜିଲ୍ଲା ସଦର ବ୍ଲକର କୃଷ୍ଣପାଲି ଗାଁରେ ଚାରି କାନ୍ଧ ନମିଳିବାରୁ ଶାଳୀର ଶବକୁ ଭିଣୋଇ ସାଇକେଲରେ ବୋହିବା ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ସମାଜରୁ ମାନବିକତା ହଜିଯାଇଥିବା ମନେହେଉଛି।

କିଛି ବର୍ଷ ତଳେ ଚତୁର୍ଭୁଜ ବାଙ୍କ ବିବାହ କରିଥିଲେ। ହେଲେ ପ୍ରଥମ ସ୍ତ୍ରୀର କୌଣସି ପିଲାପିଲି ନଥିଲେ। ଶେଷରେ ସେ ଦ୍ୱିତୀୟ ବିବାହ କରିଥିଲା। ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଥିଲେ। ଗାଁର କୌଣସି ସାମାଜିକ କାର୍ଯ୍ୟକ୍ରମରେ ଚତୁର୍ଭୁଜ ଭାଗ ନେଉ ନଥିବା ବେଳେ ଚତୁର୍ଭୁଜ ଘରେ କୌଣସି କାର୍ଯ୍ୟକ୍ରମ ହେଲେ କେହି ସହଯୋଗ କରୁ ନଥିଲେ।

ଶାଶୂ ଶ୍ୱଶୁରଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀର ସାନ ଭଉଣୀ ପାଞ୍ଚ ମହାକୁଡ଼ ତାଙ୍କ ଘରେ ଆସି ରହୁଥିଲେ। ହେଲେ ସେ ଦୁଇ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଶାଳୀର ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଆଣିଥିଲା ଚତୁର୍ଭୁଜ। ମାତ୍ର ଶବ ସତ୍କାର କରିବାକୁ କେହି ଆସି ନଥିଲେ।

ଶେଷରେ ଚତୁର୍ଭୁଜ ଶାଳୀର ମୃତଦେହକୁ ସାଇକେଲରେ ବାନ୍ଧି ଏକୁଟିଆ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲା।

Comment