ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବାବେଳେ ଭୁଲରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଘୁରି ବୁଲୁଛି ମୃତଦେହ।

ବାହାନଗା ଟ୍ରେନ ଟ୍ରାଜେଡିକୁ ୮ ଦିନ ବିତିଲାଣି, ତଥାପି ଚିହ୍ନଟ ହୋଇପାରୁନି ୮୧ ମୃତଦେହ। ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ଵ ଦେଖା ଦେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ବର୍ତ୍ତମାନ ୪ଟି କଣ୍ଟେନରରେ ମୃତଦେହଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଛି।

ଜୁନ ୨, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ସିରିଜ ରେଳ ଦୁର୍ଘଟଣା। ଚାହୁଁ ଚାହୁଁ ଚାଲିଗଲା ୨୮୮ ଜଣଙ୍କର ଜୀବନ। ୧୨୦୦ରୁ ଅଧିକ ଯାତ୍ରୀ ଆହତ ହେଲେ। ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିବାକୁ ହସ୍ତାନ୍ତର କରାଗଲା। କିନ୍ତୁ ୮୧ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ସଂରକ୍ଷିତ ହୋଇ ରହିଛି।

ଡିଏନଏ ରିପୋର୍ଟ ଅପେକ୍ଷାରେ ସମ୍ପର୍କୀୟ

ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନିବା ବଡ଼ ସମସ୍ୟା ପାଲଟିଛି। ଅନେକ ଶବ ଚିହ୍ନିବା ଅବସ୍ଥାରେ ମଧ୍ୟ ନାହିଁ। ଗୋଟିଏ ମୃତଦେହ ପାଇଁ ଏକଧିକ ଦାବିଦାର ବାହାରୁଛନ୍ତି। ଯାହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦ୍ଵନ୍ଦ୍ଵ ଦୂର କରିବାକୁ ଡିଏନଏ ଟେଷ୍ଟିଂର ସହାୟତା ନିଆଯାଇଛି। ପ୍ରାୟ ୬୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏବେ ଡିଏନଏ ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି ଅନେକ ସମ୍ପର୍କୀୟ।

ପଶ୍ଚିମବଙ୍ଗ ଗଲା ବିହାର ଶବ

ବାହାନଗା ଟ୍ରେନ ଟ୍ରଜେଡିରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ବିହାର ଯିବା ପରିବର୍ତ୍ତେ ପଶ୍ଚିମବଙ୍ଗ ପଳାଇଥିଲା। ମୃତକଙ୍କ ସାର୍ଟ ଦେଖି ମୃତ ବ୍ୟକ୍ତିଙ୍କୁ ନିଜ ଭାଇ ବୋଲି ପରିଚୟ ଦେବା ପରେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମୃତଦେହ ପଶ୍ଚିମବଙ୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ବ୍ୟବଚ୍ଛେଦ ପୂର୍ବର ମୃତକଙ୍କ ପଟେକରୁ ଗୋଟିଏ ପରିଚୟପତ୍ର ମିଳିଥିଲା। ଏଥିରେ ମୃତକଙ୍କ ନାମ ବିହାରର ରାଜା ସାହାଣୀ ବୋଲି ଉଲ୍ଲେଖ ରହିଥିଲା।

ଏହା ପରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବିହାରକୁ ଯୋଗାଯୋଗ କରାଯାଇଥିଲା। ବାହାର ପ୍ରଶାସନ ମୃତ ରାଜା ସାହାଣୀଙ୍କ ଭାଇ ସୁବାସ ସାହାଣୀଙ୍କ ସହ ଯୋଗାଯୋଗି କରି ତାଙ୍କ ଭାଇଙ୍କ ମୃତଦେହ ପଶ୍ଚିମବଞ୍ଚରେ ଥିବା କହିଥିଲେ।

ସୁବାସ ସାହାଣୀ ଗତ ୭ ତାରିଖରେ ନିଜ ଭାଇକୁ ଖୋଜିଖୋଜି ବାଲେଶ୍ଵର, ଭଦ୍ରକ, କଟକ ହସ୍ପିଟାଲ ବୁଲିବାପରେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲେ। ପଶ୍ଚିମମବଙ୍ଗରୁ ମୃତଦେହ ଫେରିଥିଲେ ମଧ୍ୟ ଡିଏନଏ ରିପୋର୍ଟ ନଆସିବା ଯାଏଁ ମୃତଦେହ ହସ୍ତାନ୍ତର କରାଯିବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ଗୋଟିଏ ପଟେ ଡିଏନଏ ରିପୋର୍ଟ ଆସିନଥିବା କୁହାଯାଉଥିବାବେଳେ କେଉଁ ପରିସ୍ଥିତିରେ ପଶ୍ଚିମବଙ୍ଗ ଶବ ପଠାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ ମୃତକଙ୍କ ପରିଚୟପତ୍ର ଯାଞ୍ଚ କରାନଯିବା ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ମଧ୍ୟ କରିଛି।

ଦୁଇଦିନ ତଳେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ତାଙ୍କ ପୁଅର ମୃତଦେହ ବିହାର ପଠାଯାଇଛି। ସେହିପରି ଜଣେ ଯୁବକଙ୍କର ମୃତଦେହକୁ ନିଜ ପୁଅ ବୋଲି ଦାବି କରି ଜଣେ ମହିଳା ମୃତଦେହ ସାଙ୍ଗରେ ନେବାକୁ ଜିଦ୍ ଧରିଥିଲେ। ସେ କହିଥିଲେ ମୋତେ ଟଙ୍କା ଦରକାର ନାହଁ ମୋ ପୁଅର ଶବ ମତେ ଫେରାଇ ଦିଅ। କିନ୍ତୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ମଧ୍ୟ ସମାନ ଉତ୍ତର ଦିଆଯାଇଥିଲା।

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଦଶାହ କାର୍ଯ୍ୟକୁ ବାକି ଅଛି ମାତ୍ର ଦୁଇଦିନ। ଦାହ ସଂସ୍କାର କାର୍ଯ୍ୟ ନକରି କେମିତି ଦଶାହ କାର୍ଯ୍ୟ କରିବେ ସେ ନେଇ ଚିନ୍ତାରେ ରହିଛନ୍ତି ସମ୍ପର୍କୀୟ। ଡିଏନଏ ରିପୋର୍ଟ ଆସିବାକୁ ଆହୁରି ୪ରୁ ୫ ଦିନ ସମୟ ଥିବାରୁ ରିପୋର୍ଟ ଆସିବା ପରେ ମୃତଦେହ ନେବାକୁ ଚାହିଁ ରହିଛନ୍ତି ପରିବାର ଲୋକ।

Tags: #BahanagaTrainTragedy #DeadBody #TrainAccidentInOdisha

Comment