ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଠାଏ ଚାଉଳ ପାଇଁ ଚାଲିଛି ଚାରିଆଡ଼େ ସଂଘର୍ଷ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଉଳ ପାଇଁ ବର୍ଷ ତମାମ ଜମିରେ ଖଟିଥାଏ। ହେଲେ ସମ୍ବଲପୁରରେ ଟନ୍‌ ଟନ୍‌ ଚାଉଳ ବାହାରେ ଫିଙ୍ଗା ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପଟେ ମୁଠାଏ ଭାତ ପାଇଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ସମ୍ବଲପୁରରେ ୨୭୦୦ କୁଇଣ୍ଟାଲ ଚାଉଳ ନଷ୍ଟ ହେବାକୁ ନେଇ ଝଡ଼ ଉଠିଛି।

ସମ୍ବଲପୁର ହୀରାକୁଦରେ ଥିବା ବୈଷ୍ଣବଦେବୀ ରାଇସ୍ ମିଲ୍‌କୁ ଯୋଗାଣ ବିଭାଗ ପକ୍ଷରୁ ଧାନ ଦିଆଯାଇଥିଲା। ଚାଉଳ କରି ଯୋଗାଣ ବିଭାଗକୁ ଫେରାଇବା କଥା। କିନ୍ତୁ ଧାନ ପେଷା ସରିବା ପରେ ମିଲ୍‌ରେ ରହିଥିଲା ୨୭୦୦ କୁଇଣ୍ଟାଲ ଚାଉଳ। ଯୋଗାଣ ବିଭାଗକୁ ହସ୍ତାନ୍ତର କରିବା ପୂର୍ବରୁ ବର୍ଷା ସବୁକିଛି ସାରି ଦେଇଥିଲା।

ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷାରେ ସମ୍ବଲପୁର ସହ ବେହାଲ ହୋଇଯାଇଥିବା ବେଳେ ବର୍ଷା ପାଣି ମିଲ୍ ଭିତରକୁ ପଶି ଯାଇଥିଲା। ଫଳରେ ୨୭୦୦ କୁଇଣ୍ଟାଲ ଚାଉଳ ପାଣିରେ ଭିଜି ଯାଇଥିଲା। ନଷ୍ଟ ହୋଇଥିବା ଚାଉଳକୁ ମିଲ୍ ମାଲିକ ବାହାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏତେ ପରିମାଣର ଚାଉଳ ନଷ୍ଟ ହେବା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ କେମିତି କ୍ଷତି ଭରଣା ହେବ ତାକୁ ନେଇ ଆଲୋଚନା ଚାଲିଛି।

Comment