ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ବେବର୍ତ୍ତା ସରୋବରସ୍ଥିତ ସହିଦ ବାସୁ, ବସୁନିଙ୍କ ସ୍ମୃତିସ୍ତମ୍ଭ ନିକଟରୁ ସମ୍ମାନର ସହ ଦ୍ୱୀତିୟ ବାର ମାଟି ସଂଗ୍ରହ କରାଯାଇଛି। ରାମଧୂନ ଓ ଜାତୀୟ ସଂଗୀତ ଗାନ କରିବା ସହିଦ ପୀଠରୁ ମାଟିକୁ କଳସୀରେ ଭରିଥିଲେ ସ୍ୱେଚ୍ଛାସେବୀମାନେ। ପରେ ମାଟିକୁ ଶୋଭାଯାତ୍ରାରେ ରାଜକନିକା ବ୍ଲକ ପରିକ୍ରମା କରାଯାଇଥିଲା।

ସହିଦ ବାସୁ ସେଠୀଙ୍କ ନାତି ବାଦଲ ସେଠୀ ଓ ବିସୁନି ମଢ଼ୁଆଳଙ୍କ ନାତି ସନାତନ ମଢ଼ୁଆଳଙ୍କୁ କନିକା ସହିଦ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାସୁ ସେଠୀଙ୍କ ଗାଁ ତେନ୍ତୁଳି କୋଳି ଓ ବିସୁନି ମଢ଼ୁଆଳଙ୍କ ଗାଁ ବର୍ତ୍ତନୀ ସମେତ ଜୋରଳ, ମେଘପୁର, ରାଉତ ବର୍ତ୍ତନୀ, ଆୟତନ, କାଟଣା, ଜୟନଗର, ଝାଡ଼ମାଳ, ବରାଡ଼ିଆ, ହଟିଆପଡ଼ା, ସିକୋ, ଡାଳିକାଇନ୍ଦା, କାଳିକାପୁର, ଅଶୋକବଜାର, କଣ୍ଟପଡ଼ା, ଓଳାଭର, ଦେଉଳତରା, ତରାସ, କଣ୍ଡିଆହାଟ ଆଦି ଅଞ୍ଚଳ ପରିକ୍ରମା କରିଥିଲା ରଥ।

ରାସ୍ତାର ଉଭୟ ପାଖରେ ହଜାର ହଜାର ଲୋକ, ଛାତ୍ରଛାତ୍ରୀ ସହିଦଙ୍କ ମାଟିକୁ ସ୍ୱାଗତ କରିଥିଲେ। ଶତାଧିକ ଯୁବକ ହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।

ଆଜି ରାତିରେ ଏହି ରଥ ତରାସଠାରେ ରହିଛି। ଆସନ୍ତା କାଲି ରଥ କେନ୍ଦ୍ରାପଡ଼ା ସହର ଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ମାଟି ସଂଗ୍ରହ ବେଳେ ରାଜ୍ୟ ସହିଦ ସ୍ମୃତି କମିଟି ପକ୍ଷରୁ ରମାକାନ୍ତ ମଣ୍ଡଳ, କନିକା ସହିଦ ସ୍ମୃତି ସଂସଦ ପକ୍ଷରୁ ସଭାପତି ଲକ୍ଷ୍ମୀନାରାୟଣ ସାହୁ, ସଦସ୍ୟ କାଳିପ୍ରସାଦ ନାୟକ, ହରେକୃଷ୍ଣ ନାୟକ, ଦାମୋଦର ଢଳ, କନିକା ପୁଜ୍ୟପୁଜା ପରିଷଦର ସଂପାଦକ କପିଳ ମିଶ୍ର, ରାଜକନିକା ନିଶାନିବାରଣ ଅଭିଯାନର ସଂପାଦକ କୈଳାଶ ମଳିକ, ସ୍ୱେଚ୍ଛାସେବୀ ସଂଗଠନର ସଂପାଦକ ଶରତ ରାଉତ, ମହାବୀର କ୍ଲବ ଝାଡମାଳର ବିଜ୍ଞାନ ପ୍ରଧାନ, ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଶ୍ରୀକାନ୍ତଙ୍କ ସହିତ ଶତାଧିକ ସ୍ୱେଚ୍ଛାସେବୀ, ରାଜକନିକା ପ୍ରେସ କ୍ଲବର ସଦସ୍ୟ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ଲକ କଂଗ୍ରେସ ସଭାପତି ବାବୁରାମ ଜେନା, ବାସୁ-ବିସୁନି କ୍ଲବର ସଭାପତି ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ଅଗଷ୍ଟ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସହିଦ ସ୍ମୃତି ସଂସଦ ପକ୍ଷରୁ ମାଟି ଉତ୍ତୋଳନ କରାଯାଇଥିଲା। ହେଲେ ସହିଦଙ୍କୁ ଅସମ୍ମାନ କରାଯାଇଥିବା ପ୍ରତିବାଦରେ ଅନଶନରେ ବସିଥିଲେ ଶ୍ରୀକାନ୍ତ। ଏହାସହ ରାଜକନିକା ବନ୍ଦ ମଧ୍ୟ ହୋଇଥିଲା।

ରାଜ୍ୟ ସହିଦ ସ୍ମୃତି କମିଟିର ସଭାପତି ଭବାନି ଶଙ୍କର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧିବାଦୀ ନେତା ରମାକାନ୍ତ ମଣ୍ଡଳ ଅନସନ ସ୍ଥଳରେ ପହଞ୍ଚି ସ୍ୱେଚ୍ଛାସେବୀ ଶ୍ରୀକାନ୍ତଙ୍କ ଆମରଣ ଅନସନ ଭଙ୍ଗ କରାଇଥିଲେ। ମାଟି ସମ୍ମାନର ସହ ପୁଣିଥରେ ସଂଗ୍ରହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Comment