ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ଦୁନିଆରୁ ମୁଖ୍ୟମନ୍ତ୍ରୀ ହେବା କିଛି ଛୋଟିଆ କଥା ନୁହେଁ। ହେଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି ଏହି ସଫଳତା ହାସଲ କରିଥିଲେ।

ରାଜନୀତିରେ ସକ୍ରିୟ ଥିବା ବେଳେ ସେ ଯେତିକି ଲୋକପ୍ରିୟ ଥିଲେ ମୃତ୍ୟୁ ପରେ ବି ସେ ସେତିକି ଲୋକପ୍ରିୟ। ଚେନ୍ନାଇର କାବେରୀ ହସ୍ପିଟାଲ ବାହାରେ ଜନସମୁଦ୍ର ହିଁ ଏହାର ପ୍ରମାଣ ଦେଉଛି। ଦକ୍ଷିଣ ଭାରତ ରାଜନୀତିର ପିତାମହ ତଥା ଡିଏମ୍‌କେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ସେ ସମର୍ଥକଙ୍କ ହୃଦୟରେ ଏବେ ବି ରହିଛନ୍ତି। ତାଙ୍କ ଦେହାନ୍ତକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସମର୍ଥକ।

ମୃତ୍ୟୁ ପର୍ଯ୍ୟନ୍ତ ସେ ଯେତେ ଥର ନିର୍ବାଚନ ଲଢ଼ିଛନ୍ତି ସବୁଥିରେ ସଫଳତା ପାଇଛନ୍ତି। ବିରୋଧୀଙ୍କ ରଣନୀତିକୁ ପଛରେ ପକାଇ କରୁଣାନିଧି ଭୋଟରଙ୍କ ହୃଦୟ ଜିତିଛନ୍ତି। ଗୋଟିଏ ରାଜ୍ୟରୁ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ହିଁ କରୁଣାନିଧିଙ୍କ ଲୋକପ୍ରିୟତାର ଆଉ ଏକ ବଳିଷ୍ଠ ପ୍ରମାଣ।

୧୯୫୭ ମସିହାରେ କରୁଣାନିଧି ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ଆଉ ପ୍ରଥମ ନିର୍ବାଚନରେ ହିଁ ସେ ସଫଳତା ପାଇଥିଲେ। ଏହାପରେ ସେ କେବେ ପଛକୁ ଫେରି ନାହାନ୍ତି। ତାଙ୍କ ବିଜୟ ରଥ ସବୁବେଳେ ଆଗକୁ ଗଡ଼ି ଚାଲିଥିଲା।

୧୯୫୭ରେ ତାମିଲନାଡ଼ୁର କୁଲଥଲାଇ, ୧୯୬୨ରେ ଥାଞ୍ଜବୁର୍, ୧୯୬୭ ଓ ୧୯୭୧ରେ ସୈଦାପେଟ୍, ୧୯୭୭ ଓ ୧୯୮୦ରେ ଅନ୍ନା ନଗରରୁ ବିଜୟ ହାସଲ କରିଥିଲେ। ହେଲେ ୧୯୮୪ରେ ସେ ନିର୍ବାଚନ ଲଢ଼ି ନଥିଲେ।

୧୯୮୯ ଓ ୧୯୯୧ରେ ହାର୍ବର, ୧୯୯୬, ୨୦୦୧ ଓ ୨୦୦୬ରେ କରୁଣାନିଧି ଚେମ୍ପାକ ଆସନରୁ ବିଜୟୀ ହୋଇଥିଲେ। ୨୦୧୧ ଓ ୨୦୧୬ରେ ମଧ୍ୟ  କରୁଣାନିଧି ତିବରୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା ନାଁ

ତାମିଲନାଡ଼ୁର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏମ୍ କରୁଣାନିଧି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା ବ୍ୟକ୍ତି ଥିଲେ। ସେ ତାଙ୍କ କ୍ୟାରିଅର ସ୍କ୍ରିପ୍ଟ ରାଇଟରରୁ ଆରମ୍ଭ କରିଥିଲେ। ସେ ଦ୍ରାବିଡ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ସେ ସମାଜବାଦ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଐତିହାସିକ ଏବଂ ସମାଜ ସଂସ୍କାରକ କାହାଣୀ ଲେଖିବାକୁ ସେ ପସନ୍ଦ କରୁଥିଲେ।

ତାମିଲ ଫିଲ୍ମ ‘ପରାଶକ୍ତି’ ଜରିଆରେ ରାଜନୈତିକ ବିଚାର ପ୍ରଚାର ପ୍ରସାର କରିବା ଆରମ୍ଭ କରିଥିଲେ। ଏହି ଫିଲ୍ମ ସେତେବେଳେ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ଫିଲ୍ମକୁ ସରକାର ବ୍ୟାନ କରିଦେଇଥିଲେ। ପରେ କରୁଣାନିଧି ‘ପନାମ’ ଏବଂ ‘ଥଙ୍ଗାରଥନମ୍’ ଫିଲ୍ମ କରିଥିଲେ। ଏହା ପରେ ରାଜନୀତିରେ ପ୍ରବେଶ କରିଥିଲେ।

ହିନ୍ଦୀ ଭାଷା ବିରୋଧୀ ଆନ୍ଦୋଳନ

କରୁଣାନିଧିଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ସେ ହିନ୍ଦୀ ଭାଷା ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଏହି ଆନ୍ଦୋଳନ ଜରିଆରେ କରୁଣାନିଧି ରାଜନୀତିରେ ପାଦ ଦେଇଥିଲେ। ସେ ଏକ ଛାତ୍ର ସଙ୍ଗଠନ କରି ତାମିଲନାଡ଼ୁ ଜନତାଙ୍କ ସେବା କରିବା ଆରମ୍ଭ କରିଥିଲେ।

1 COMMENT

Comment