ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ଏବେବି ଅନେକ ଗ୍ରାମ ବିଚ୍ଛିନ୍ନାଞ୍ଚଳରେ ରହିଛି। ଯେଉଁ ସବୁ ଗ୍ରାମ ମୁଖ୍ୟସ୍ରୋତରେ ଯୋଡି ହୋଇ ପାରିନାହାନ୍ତି। ସେମାନଙ୍କ ସ୍ୱପ୍ନ ଏବେ ଅଧୁରା ହୋଇ ପଡ଼ିରହିଛି।

ମାଲକାନଗିରି : (ଇଶ୍ୱର ପଟ୍ଟନାୟକ) ଗତ ୨୬ ତାରିଖ ଦିନ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁକୁ ଲୋକାର୍ପଣ କରିଥିଲେ। ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାରେ ସମର୍ଥ ହୋଇପାରିଥିବାରୁ ବିଭିନ୍ନ ମହଲରେ ସରକାରଙ୍କୁ ବାହା ବାହା କରାଯାଇଛି।

ବିଚ୍ଛିନ୍ନାଞ୍ଚଳ ପରିଚୟ ଏବେ ସ୍ୱାଭିମାନ ଅଞ୍ଚଳ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଏବେବି ଅନେକ ଗ୍ରାମ ବିଚ୍ଛିନ୍ନାଞ୍ଚଳରେ ରହିଛି। ଯେଉଁ ସବୁ ଗ୍ରାମ ମୁଖ୍ୟସ୍ରୋତରେ ଯୋଡି ହୋଇ ପାରିନାହାନ୍ତି। ସେମାନଙ୍କ ସ୍ୱପ୍ନ ଏବେ ଅଧୁରା ହୋଇ ପଡ଼ିରହିଛି।

ନବଗଠିତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସମୁଦାୟ ୧୮ଟି ପଞ୍ଚାୟତ ରହିଥିବା ବେଳେ ସେଥିମଧ୍ୟରୁ ୯ଟି ପଞ୍ଚାୟତ ରହିଛି ବିଚ୍ଛିନ୍ନାଞ୍ଚଳରେ। ଏହି ୯ଟି ପଞ୍ଚାୟତ ହେଲା ବଡପଡା, ପାପରମେଟଲା, ରାଲେଗେଡା, ଯୋଡାମ୍ବ, ଅଣ୍ଡ୍ରାପାଲି, ଧୁଳିପୁଟ, ଗାଜଲମାମୁଡି, ପଣସପୁଟ, ଯନ୍ତ୍ରୀ।

ଏହି ସବୁ ପଞ୍ଚାୟତର ୨୧୪ ଗ୍ରାମବାସୀ ଦୀର୍ଘ ୬ ଦଶନ୍ଧି ଧରି ଜଳବନ୍ଦୀ ଜୀବନଯାପନ କରିଆସୁଥିଲେ। ଏହି ସବୁ ଗ୍ରାମବାସୀଙ୍କ ଯାତାୟତ ବ୍ୟବସ୍ଥା କେବଳ ଡଙ୍ଗା କିମ୍ବା ଲଞ୍ଚ୍ ହିଁ ରହିଆସିଥିଲା ଏକମାତ୍ର ମାଧ୍ୟମ। ହେଲେ ଆଜି ବି ଅନେକ ଗ୍ରାମବାସୀ ଡଙ୍ଗା ପାର ହୋଇଆସିବାକୁ ହିଁ ପଡୁଛି।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ଫଳରେ ୯ଟି ପଞ୍ଚାୟତ ମଧ୍ୟରୁ କେବଳ ବଡପଡା ଓ ପାପରମେଟଲା ଦୁଇଟି ପଞ୍ଚାୟତବାସୀ ସିଧାସଳଖ ସୁବିଧା ପାଇଲେ। ଏହି ୨ଟି ପଞ୍ଚାୟତର କେବଳ ୪୧ଟି ଗ୍ରାମ ମୁଖ୍ୟସ୍ରୋତରେ ଯୋଡି ହୋଇପାରିଛି। ବାକି ୭ଟି ପଞ୍ଚାୟତର ଲୋକେ ଏବେ ବି ବିଛିନ୍ନାଞ୍ଚଳର ଶବ୍ଦ ମଧ୍ୟରେ ହିଁ ବାନ୍ଧି ହୋଇ କାଳାତିପାତ କରିବାକୁ ପଡୁଛି।

୭ଟି ପଞ୍ଚାୟତର ୧୭୩ ଗ୍ରାମ ଏବେ ବି ବିଛିନ୍ନ ହୋଇ ରହିଛି। ଏଥି ମଧ୍ୟରେ ରାଲେଗେଡା ପଞ୍ଚାୟତର ୨୭ଟି ଗ୍ରାମ, ଯୋଡାମ୍ବର ୪୭, ଅଣ୍ଡ୍ରାପାଲିର ୧୦, ଧୁଳିପୁଟର ୨୫, ଗାଜଲମାମୁଡିର ୨୫, ପଣସପୁଟର ୨୬ ଏବଂ ଯନ୍ତ୍ରୀ ପଂଚାୟତର ୧୩ଟି ଗ୍ରାମ ଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ କୌଣସି ଫଳପ୍ରଦ ହୋଇପାରିନାହିଁ।

ଏହିସବୁ ଅଞ୍ଚଳବାସୀ ଏବେ ବି ଦେଶୀ ଡଙ୍ଗା କିମ୍ବା ଲଞ୍ଚ ଉପରେ ହିଁ ଭରଷା କରିବାକୁ ପଡୁଛି। ଏହିସବୁ ପଞ୍ଚାୟତକୁ ଗମନାଗମନର ସୁବିଧା କରିବାକୁ ହେଲେ ଆହୁରି ଅନେକ ଛୋଟ, ବଡ ପୋଲର ନିର୍ମାଣ କରିବାର ଆବଶ୍ୟକ ରହିଛି।

୭ଟି ପଞ୍ଚାୟତବାସୀ ମୌଳିକ ସୁବିଧା ପାଇବାରୁ ଯେମିତି ବଞ୍ଚିତ ହେଉଛନ୍ତି ସେମିତି ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚିବା ଆଜି ବି ସାତସପନ।

ଚିତ୍ରକୋଣ୍ଡା ବ୍ଲକ ସହ ଯୋଡି ହେବାକୁ ହେଲେ ୭ଟି ପଞ୍ଚାୟତ ମଧ୍ୟରୁ ରାଲେଗେଡାବାସୀ ୨୫କିମି, ପଣସପୁଟବାସୀ ୬୫କମି, ଅଣ୍ଡ୍ରାପାଲିବାସୀ ୫୫କିମି, ଯୋଡାମ୍ବକୁ ୪୫କିମି, ଯନ୍ତ୍ରୀକୁ ୭୦ କିମି, ଧୁଳିପୁଟକୁ ୩୦କମି ଏବଂ ଗାଜଲମାମୁଡିକୁ ୩୦କିମି ଅତିକ୍ରାନ୍ତ କରିବାକୁ ପଡିବ। ତାହା ପୁଣି କିଛି ବାଟ ଲଞ୍ଚ କିମ୍ବା ଡଙ୍ଗାରେ ଆଉ କିଛି ବାଟ ଚାଲି ଚାଲି ଯିବାକୁ ପଡିବ।

ଏହି ସବୁ ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ, ପିଡିଏସ ଚାଉଳ, ବିଦ୍ୟୁତ, ମୋବାଇଲ ଆଦି ଆଜି ବି ଅପହଞ୍ଚ। କେତେକ ସ୍ଥାନରେ ବିଦ୍ୟାଳୟ ରହିଛି ହେଲେ ମାସକୁ ଥରେ ଅଧେ ଶିକ୍ଷକଙ୍କ ଦର୍ଶନ ମିଳେ।

ଅନ୍ୟ ବ୍ଲକ କିମ୍ବା ଜିଲ୍ଲାସ୍ତରୀୟ ସରକାରୀ ବାବୁମାନଙ୍କ ପାଦ ତ କେବେ ପଡେ ନାହିଁ। କେବଳ କର୍ମଚାରୀ କିମ୍ବା ଅଧିକାରୀ ନୁହେଁ ନିର୍ବାଚିତ ପ୍ରତିନିଧି ମଧ୍ୟ ଅଞ୍ଚଳକୁ ଗସ୍ତ କରନ୍ତି ନାହିଁ। ଏହାର କାରଣ ହେଲା ଗୋଟିଏ ମାଓବାଦୀଙ୍କ ଭୟ, ଦ୍ୱିତୀୟରେ ଗମନାଗମନ ବ୍ୟବସ୍ଥା ନାହିଁ।

ଚିତ୍ରକୋଣ୍ଡା ବିଡିଓ ଫାଲଗୁନ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯଦିଓ ଅନେକ ଅଞ୍ଚଳ ବିଚ୍ଛିନ୍ନ ରହିଛି ଗୁରୁପ୍ରିୟା ସେତୁ ନିର୍ମାଣ ହେବା ଫଳରେ ସେହି ସବୁ ଅଞ୍ଚଳରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।

ସେତୁ ନଥିବା ଫଳରେ ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ହେଉଥିବା ଯନ୍ତ୍ରପାତି ତଥା ଅନ୍ୟ ସାମଗ୍ରୀ ପହଞ୍ଚିବା ସମ୍ଭବ ହୋଇପାରୁନଥିଲା। ଏବେ କିନ୍ତୁ ଗୁରୁପ୍ରିୟା ସେତୁ ହେବାରୁ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ତତ୍ପର ହୋଇଛି।

Comment