ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଗୋଟିଏ ପରେ ଗୋଟିଏ  ମାମଲା ଜାଲରେ ଛନ୍ଦି ହେବାରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋ। ଗତ ୪ ଦିନ ଧରି ତିନିଟି ଭିନ୍ନ ଭିନ୍ନ ହତ୍ୟାକାଣ୍ଡ ମାମଲାରେ କେନ୍ଦ୍ରାପଡ଼ା ଟାଉନ ଓ ମାର୍ଶାଘାଇ ଥାନା ପୋଲିସ ଟିଟୋକୁ ରିମାଣ୍ଡରେ ନେଇଥିଲା। ଆଜି ପୁଣି ଟିଟୋକୁ କେନ୍ଦ୍ରାପଡ଼ା ଟାଉନ ଥାନା ରିମାଣ୍ଡରେ ନେଇଛି। ଏହାସହ ଟିଟୋର ସହଯୋଗୀ ସେକ୍ ବାବର ଓରଫ୍ ଚନୋକୁ ମଧ୍ୟ ପୋଲିସ ରିମାଣ୍ଡରେ ନେଇଛି।

୨୦୧୭ ସେପ୍ଟେମ୍ବର ୯ ତାରିଖରେ ଠିକାଦାର ରନ୍ଥା ଓରଫ ଶିବ ପ୍ରସାଦ ପରିଡ଼ାଙ୍କୁ ଅପହରଣ କରିଥିବା ଅଭିଯୋଗରେ ରିମାଣ୍ଡରେ ଯାଇଛି ଟିଟୋ। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟ ରିମାଣ୍ଡ ଅନୁମତି ଦେଇଛନ୍ତି।

୨୦୧୭ ମସିହା ସେପ୍ଟେମ୍ବର ୯ ତାରିଖରେ ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ସହରର ତହସିଲ ଅଫିସ ନିକଟରେ ଥିବା ତାଙ୍କ କାର୍ଯ୍ୟାଳୟରୁ ୪ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଜବରଦସ୍ତ ଉଠାଇ ନେଇଥିଲେ। ତାଙ୍କୁ ନେଇ ଦିଲାପୁରଠାରେ ଥିବା ଟିଟୋର ମଠରେ ହାଜର କରାଇଥିଲେ। ସେଠାରେ ରନ୍ଥାକୁ ଟିଟୋ ୪ କୋଟି ଟଙ୍କାର ଦାଦାବଟି ଦେବାକୁ ବାଧ୍ୟ କରିଥିଲା।

ବଟି ଦେବାକୁ ମନା କରିବାରୁ ଲୋକ ଲଗାଇ ରନ୍ଥାଙ୍କୁ ଲୁହା ରଡ୍ ରେ ନିସ୍ତୁକ ପିଟି ଆହତ କରିଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଆହତ ରନ୍ଥା ୧୩ ଦିନ ଧରି ହସ୍ପିଟାଲରେ ରହିବା ପରେ ଘରକୁ ଫେରିଥିଲା। ଆଳି ତଟବନ୍ଧ ବିଭାଗରେ ଏକ ୧୩ କୋଟି ଟଙ୍କାର ଠିକା କାମ ରନ୍ଥା ନାମରେ ଫିକ୍ସିଂ କରାଇଦେଇଥିବାରୁ ଟିଟୋ ୪ କୋଟି ଟଙ୍କାର ବଟି ଦାବି କରିଥିଲା। ହେଲେ ରନ୍ଥା ଧରାଛୁଆଁ ଦେଉ ନଥିଲା।

ଠିକାଦାର ରନ୍ଥାକୁ ଅପହରଣ କାରାଇଥିବା କୌଣସି ସୁତ୍ରରୁ ଖବରପାଇ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ରନ୍ଥାର କାର୍ଯ୍ୟାଳୟରେ ପହଞ୍ଚି ସିସି ଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ହେଲେ ସେତେବେଳେ ରନ୍ଥା କୌଣସି ଅଭିଯୋଗ କରି ନଥିଲା।

ଟିଟୋକୁ ଗତ ଜୁନ ମାସ ୩୦ ତାରିଖରେ ଏସଟିଏଫ୍ ଗିରଫ କରିବା ପରେ ଜୁଲାଇ ୮ ତାରିଖରେ କେନ୍ଦ୍ରାପଡ଼ା ଟାଉନ ଥାନା ଇନ୍ସପେକ୍ଟର ତପନ କୁମାର ନାୟକ ରନ୍ଥାଙ୍କ ମୌଖିକ ଅଭିଯୋଗକୁ ଆଧାର କରି ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ଅଧିକ ପଚରା ଉଚୁରା କରିବା ପାଇଁ ଟିଟୋକୁ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ରିମାଣ୍ଡରେ ନେଇଛି।

Comment