ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍
  • ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କଲେ
  • ରୋଡ ସୋ’ରେ ସାମିଲ ହେଲେ ନବୀନ
  • ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକେଶ ଅମ୍ବାନି

“ଓଡ଼ିଶାରେ ନୂଆକରି ବ୍ୟବସାୟ ଆରମ୍ଭ କରିବା ପାଇଁ ୨୫୦ରୁ ଅଧିକ ଉଦ୍ୟୋଗୀ ପଞ୍ଜିକୃତ କରିଛନ୍ତି। ଓଡ଼ିଶା ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆହୁରି ମଧ୍ୟ ପୁଞ୍ଜି ନିବେଶକାରୀ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ୨୦୨୦ ସୁଦ୍ଧା ଓଡ଼ିଶା ଦେଶର ତୃତୀୟ ଷ୍ଟାଟ୍ଅପ୍ ହବ୍ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁମ୍ବାଇରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିମନ୍ତ୍ରଣ କରିଥିଲେ। ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି କହିଥିଲେ।

ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନି, ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଫିକି ଇଣ୍ଡିଆର ଅଧ୍ୟକ୍ଷ ଯଶପାଲ ବିନ୍ଦ୍ରାଙ୍କ ସହ ନବୀନ ଆଲୋଚନା କରିଥିଲେ। ଏହାସହ ଅନ୍ୟ ଉଦ୍ୟୋଗୀମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ।

୨୦୧୮ ନଭେମ୍ବର ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଶିଳ୍ପପତିମାନଙ୍କୁ ନବୀନ ଆମନ୍ତ୍ରିତ କରିଛନ୍ତି।

ଓଡ଼ିଶା ସରକାର ଏବଂ ଫିକି ଇଣ୍ଡିଆର ମିଳିତ ସହଯୋଗରେ ମୁମ୍ବାଇରେ ଅନୁଷ୍ଠିତ ରୋଡ ସୋ’ରେ ନବୀନ ସାମିଲ ହୋଇଥିଲେ।

“ପୂର୍ବ ଭାରତରେ ଓଡ଼ିଶା ମାନୁଫାକ୍ଚରିଂ ହବ୍ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରୀ ରଖିଛନ୍ତି। ଦକ୍ଷିଣ ଏସିଆ ଭଳି ଓଡ଼ିଶାରେ ମାନୁଫାକ୍ଚରିଂ ହବ୍ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭର ପ୍ରଥମ ସଂସ୍କରଣ ବେଳେ ମଧ୍ୟ ମୁମ୍ବାଇରେ ରୋଡ ସୋ’ କରାଯାଇଥିଲା।

ପୁଞ୍ଜି ନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଶିଳ୍ପ ବିକାଶ ସମ୍ପର୍କରେ ଅବଗତ କରାଯାଇଥିଲା।

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବହୁତ ସୁବିଧା ରହିଛି। ପାରାଦୀପ, ଧାମରା ଭଳି ବୃହତ ବନ୍ଦର ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ବନ୍ଦରରେ ବାର୍ଷିକ ୪୫ ମିଲିଅନ୍ ଟପ୍ ପଣ୍ୟ କାରବାର ହୋଇପାରିବ।

କଳିଙ୍ଗ ନଗର, ଖୋର୍ଦ୍ଧା ଛତାବରଠାରେ ଫୁଡ୍ ପ୍ରୋସେସିଂ ପାର୍କ, ପାରାଦୀପରେ ପ୍ଲାଷ୍ଟିକ ପାର୍କ, ଅନଗୁଳରେ ଆଲୁମିନିୟମ ପାର୍କରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସରକାର।

Comment