ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଚଳିତ ମାସ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଚାରି ଓଡ଼ିଆ ତାରକାଙ୍କୁ ରବିବାର ମିଳିଛି ଶୁଭେଚ୍ଛା ଓ ଶୁଭକାମନା।

ଚଳିତମାସ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ଓଡ଼ିଶାରୁ ମୋଟ୍‌ ୧୨ ଖେଳାଳି ଭାଗ ନେବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ କିଟ୍‌ ଓ କିସରେ ଅଧ୍ୟୟନରତ ୪ ଖେଳାଳିଙ୍କ ପାଇଁ ରବିବାର ଏଠାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଅଭିନେତାଠାରୁ ଆରମ୍ଭ କରି ରାଜନେତା ଓ ସମାଜସେବୀ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇ ଏମାନଙ୍କୁ ଉତ୍ସାହିତ କରିବା ସହ ଏସୀୟ କ୍ରୀଡ଼ାରେ ସଫଳତା କାମନା କରିଛନ୍ତି।

ଉତ୍ସବରେ ସ୍ପ୍ରିଣ୍ଟ କୁଇନ୍‌ ଦୂତି ଚାନ୍ଦ ଓ ବ୍ୟାଡ୍‌ମିଣ୍ଟନ ପ୍ରତିଭା ଋତୁପର୍ଣ୍ଣା ପଣ୍ଡା ଯୋଗ ଦେଇଥିବାବେଳେ ପଟିଆଲାରେ ଭାରତୀୟ କ୍ୟାମ୍ପରେ ଟ୍ରେନିଂରେ ବ୍ୟସ୍ତଥିବାରୁ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ ଅନୁପସ୍ଥିତ ରହିଥିଲେ।

ଏହି ଅବସରରେ ଦୁଇ ଖେଳାଳିଙ୍କ ସହ ଦୂତୀଙ୍କ କୋଚ୍‌ ନାଗାପୁରୀ ରମେଶଙ୍କୁ ମଧ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଆକାଂକ୍ଷା କବିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ସାମନ୍ତ କ୍ରୀଡ଼ା କ୍ଷେତ୍ରକୁ କିଟ୍‌ ଓ କିସ୍‌ର ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଶିକ୍ଷା କ୍ଷେତ୍ରରେ କିଟ୍‌ ବିଶ୍ୱବିଦଦ୍ୟାଳୟ ଦେଶ ଓ ବିଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ କିସ୍‌ ବିଶ୍ୱର ସର୍ବବୃହତ୍‌ ଆବାସିକ ଜନଜାତି ଶିକ୍ଷାନୁଷ୍ଠାନଭାବେ ପ୍ରସିଦ୍ଧିଲାଭ କରିଛି। ଇତିମଧ୍ୟରେ ୫,୦୦୦ କ୍ରୀଡ଼ାପ୍ରତିଭା ସୃଷ୍ଟି କରିବା ହେଉଛି ଅନୁଷ୍ଠାନର ସବୁଠାରୁ ବଡ଼ ସଫଳତା। ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ବାଳିକା। ୧୪ଟି କ୍ରୀଡ଼ାରେ ୭୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଅଲିମ୍ପିକ୍ସ, ଏସିଆଡ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରି ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇଛନ୍ତି। ୨୬ଟି କ୍ରୀଡ଼ାରେ ୮୦୦ରୁ ଊର୍ଦ୍ଧ୍ୱ ଜାତୀୟ ସ୍ତରର ଏବଂ ୨୦୦୦ରୁ ଊର୍ଦ୍ଧ୍ୱ ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇ ପାରିଛନ୍ତି।

ଏହା ବ୍ୟତୀତ ୨୦୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଜାତୀୟ ସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟ କ୍ରୀଡ଼ାରେ ଭାଗନେବାର ଗୌରବ ଅର୍ଜନ କରିଛନ୍ତି।

କିଟ୍‌ ଓ କିସ୍‌ରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ବିଭିନ୍ନ କ୍ରୀଡ଼ାରେ ଅଭିଜ୍ଞ କୋଚ୍‌ଙ୍କ ଉପସ୍ଥିତି ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ଅଚ୍ୟୁତ ସାମନ୍ତ କହିଥିଲେ।

ଉତ୍ସବରେ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟସଭା ସଦସ୍ୟ ତଥା ଅଭିନେତା ଅନୁଭବ ମହାନ୍ତି, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଭାରତରେ ଅବସ୍ଥାପିତ ବଲିଭିଆର ରାଷ୍ଟ୍ରଦୂତ ଡାରିଓ ଆରିସ୍ପେ ବାରିଏଣ୍ଟୋସ, ବଲିଭିଆ ଏମ୍ବାସିର କାଉନ୍‌ସିଲର ଜୁଆନ ଜୋସ୍‌ କୋର୍‌ତେଜ ରୋଜାସ, ଭାରତସ୍ଥିତ ଏଲ ସାଲଭାଡର ଗଣରାଜ୍ୟର ରାଷ୍ଟ୍ରଦୂତ ଏରିଏଲ ଆଣ୍ଡ୍ରେଡ୍‌ ଗାଲିନ୍ଦୋ, କ୍ରୀଡ଼ାବିତ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅନୁରାଧା ବିଶ୍ୱାଳ, ପ୍ରଣତି ମିଶ୍ର, ଦେବାଶିଷ ମହାନ୍ତି, ରଶ୍ମିତା ଜେନା, ଜୟଶ୍ରୀ ସ୍ବାଇଁ, ଓଡ଼ିଶା କ୍ରୀଡ଼ା ଖବରଦାତା ସଂଘ(ଓସ୍‌ଜା) ସଭାପତି କେ.ରବି, ସିନେ ତାରକା ବର୍ଷା ପ୍ରିୟଦର୍ଶିନୀ, ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ପ୍ରତିଭା ସମ୍ପନ୍ନ। ସେମାନେ ଯାହା ଚାହିଁବେ ତାହାକୁ ଫଳାଫଳରେ ରୂପାନ୍ତରିତ କରିପାରିବେ। ସେମାନଙ୍କ ପଛରେ ସମଗ୍ର ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି। ତେଣୁ ସେମାନେ ମନରେ କୌଣସି ଦ୍ୱିଧା ନ ରଖି ନିଜ ଲକ୍ଷ୍ୟପଥରେ ଆଗେଇ ଯାଆନ୍ତୁ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

Comment