ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସୋମବାରଦିନ ୮୯ବର୍ଷ ବୟସରେ ପରଲୋକ ଘଟିଛି।

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଭିତରେ ଗୋଟିଏ ହେଉଛି ଲୋକସଭାର ବାଚସ୍ପତି ପଦ। ଏହି ପଦର ମର୍ଯ୍ୟାଦା ବଢାଇଥିବା ବରିଷ୍ଠ ରାଜନେତା ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ଦେଶ ଜଣେ ଅତି ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ହରାଇଲା ବୋଲି ବୁଝିବାକୁ ପଡ଼ିବ।

ପରିଣତ ବୟସରେ ଶେଷ ନିଶ୍ୱାସ ନେଇଥିବା ସୋମନାଥ ଚଟାର୍ଜୀଙ୍କୁ ସମସ୍ତେ ଜଣେ ଦକ୍ଷ କମ୍ୟୁନିଷ୍ଟ ନେତା ଭାବେ ଜାଣନ୍ତି। ସେ ଏଭଳି ଜଣେ ନେତା ଥିଲେ ଯିଏ ତାଙ୍କ ସୁଦୀର୍ଘ ରାଜନୈତିକ କ୍ୟାରୀୟର ଭିତରେ ବହୁ ଖ୍ୟାତି ଓ ସୁନାମ ଅର୍ଜନ କରିଥିଲେ। କିନ୍ତୁ ଲୋକସଭା ବାଚସ୍ପତି ଭାବରେ ତାଙ୍କର କାର୍ଯ୍ୟକାଳ ବେଶ୍ ଚର୍ଚ୍ଚାରେ ରହିଥିଲା।

ବାଚସ୍ପତି ପଦ ଅଳଙ୍କୃତ କରିବା ସମୟରେ ସେ ଗୃହରେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ଯାହା ତାଙ୍କ ଦଳ ସିପିଏମର ତୁଙ୍ଗ ନେତା ମାନଙ୍କୁ କ୍ଷୁବ୍ଧ କରିଥିଲା ଓ ସୋମନାଥଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। କଣ ଥିଲା ସେହି ନିଷ୍ପତ୍ତି ଘଟଣାର କାହାଣୀ ପୁରୁଣା କିନ୍ତୁ ଉଦାହରଣ ଅଦ୍ଵିତୀୟ।

ସୋମନାଥ ସେତେବେଳେ ଥିଲେ ୟୁପିଏ -୧ ସରକାରରେ ଲୋକସଭା ଅଧ୍ୟକ୍ଷ। ୨୦୦୮ରେ ଆମେରିକା ସହିତ ହୋଇଥିବା ପରମାଣୁ ଇନ୍ଧନ ଚୁକ୍ତିକୁ ନେଇ ବାମପନ୍ଥୀ ଦଳ ମାନେ ଫିଡିକି ଥିଲେ ଓ ପରିଣାମ ସ୍ୱରୂପ ମନମୋହନ ସିଂହଙ୍କ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

ସମର୍ଥନ ପ୍ରତ୍ୟାହାର ପରେ ୟୁପିଏ ସରକାର ଆସ୍ଥା ଲୋଡ଼ିବା ପାଇଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।ସିପିଏମ ଚାହୁଁଥିଲା ଯେ ମନମୋହନ ସିଂହଙ୍କ ସରକାରରୁ ସମର୍ଥନ ଫେରାଇନେବା ପରେ ବାଚସ୍ପତି ପଦରୁ ସୋମନାଥ ଇସ୍ତଫା ଦେଇଥାନ୍ତେ। କିନ୍ତୁ ସୋମନାଥ ଚାଟାର୍ଜୀ ଏଭଳି କରିବାକୁ ମନା କରିଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଯେ ଲୋକସଭା ବାଚସ୍ପତି କୌଣସି ଦଳର ନୁହଁନ୍ତି, ସେ ସମସ୍ତଙ୍କର।

ସୈଦ୍ଧାନ୍ତିକ ଭାବେ ସୋମନାଥଙ୍କ ଯୁକ୍ତି ଠିକ୍ ଥିଲା। କିନ୍ତୁ ରାଜନୀତିର ବ୍ୟାବହାରିକ କଷଟି ପଥରରେ ତାଙ୍କୁ ବଳି ପଡ଼ିବାକୁ ହୋଇଥିଲା। ସିପିଏମ ପଲିଟ ବ୍ୟୁରୋ ପକ୍ଷରୁ ‘ଦଳର ସ୍ୱାର୍ଥ ହାସଲ କ୍ଷେତ୍ରରେ କ୍ଷତି ପହଞ୍ଚାଇଥିବାରୁ’ ତାଙ୍କୁ ସସପେଣ୍ଡ କରାଯାଇଥିଲା। ଅବଶ୍ୟ ଏହା ପରେ ସୋମନାଥ ବେଶୀ ଦିନ ସକ୍ରିୟ ରାଜନୀତିରେ ରହିନଥିଲେ। ୨୦୦୯ରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ।

ସୋମନାଥ ଚଟାର୍ଜୀଙ୍କ ଜନ୍ମ ୧୯୨୯ ଜୁଲାଇ ୨୫ ତାରିଖରେ ଆସାମର ତେଜପୁରରେ। ତାଙ୍କ ପିତାଙ୍କ ନାମ ନିର୍ମଳ ଚନ୍ଦ୍ର ଚାଟାର୍ଜୀ ଓ ମାତା ଥିଲେ ବୀଣାପାଣି ଦେବୀ। ନିର୍ମଳ ଚନ୍ଦ୍ର କୋଲକାତା ହାଇକୋର୍ଟର ଜଜ୍ ଥିଲେ ଓ ସେହି ସମୟର ଜଣେ ପ୍ରତିଷ୍ଠା ସମ୍ପନ୍ନ ବ୍ୟକ୍ତି ଥିଲେ।

ସ୍ୱାଧୀନତା ପୂର୍ବରୁ ସେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଂସ୍ଥାପକ-ସଦସ୍ୟ ଥିଲେ।ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ସୋମନାଥଙ୍କ ବାପା ହିନ୍ଦୁ ମହାସଭାର ଟିକେଟରେ ଲଢ଼ିଥିଲେ। ହିନ୍ଦୁବାଦୀ ବାପାଙ୍କ ପୁଅ ସୋମନାଥଙ୍କ ରାଜନୈତିକ ଜୀବନ ପ୍ରବାହ କିନ୍ତୁ ଓଲଟା ଗତିରେ ପ୍ରବାହିତ ହୋଇଥିଲା। ବାମପନ୍ଥୀ ରାଜନୀତି ପ୍ରତି ଆକୃଷ୍ଟ ହେବା ଫଳରେ ସୋମନାଥଙ୍କ ରାଜନୀତି ଅଲଗା ରାସ୍ତା ଧରିଥିଲା।

୧୯୬୮ ରେ ସେ ସିପିଆଇ(ମାର୍କସବାଦୀ)ର ସଦସ୍ୟ ହେଲେ। ୧୯୭୧ରେ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଓ ନିର୍ବାଚନ ଜିତିଥିଲେ। ସୋମନାଥ ଚାଟାର୍ଜୀଙ୍କ ପରିବାରର ଏହି ଭିନ୍ନଭିନ୍ନ ଆନୁଗତ୍ୟକୁ ନେଇ ସୁଷମା ସ୍ୱରାଜ ଥରେ ପାର୍ଲାମେଂଟରେ ସୋମନାଥଙ୍କୁ କଟାକ୍ଷ ମଧ୍ୟ କରିଥିଲେ।

୧୯୯୦ ଦଶକରେ ସଂସଦରେ ଭାଷଣ ଦେବା ସମୟରେ ସୁଷମା ସ୍ୱରାଜ ‘ଏକ ଦେଶ ଏକ ସଂସ୍କୃତି’ ବିଷୟ ଉପରେ ଆଲୋଚନା ବେଳେ ପୁଣି ଥରେ ସୋମନାଥ ଚାଟାର୍ଜୀଙ୍କ ଉଦାହରଣ ଦେଇଥିଲେ। ସୁଷମା କହିଥିଲେ ‘ଗୋଟିଏ ଦେଶ ଗୋଟିଏ ସଂସ୍କୃତି’ର ପରିଣାମ ହେଉଛି ଜଣେ ହିନ୍ଦୁବାଦୀ ନିର୍ମଳ ଚନ୍ଦ୍ର ଚାଟାର୍ଜୀ ତାଙ୍କ ପୁଅର ନାମ ସୋମନାଥ ରଖିପାରିଲେ। ସୁଷମା ପ୍ରକୃତରେ ଗୁଜରାଟର ସୋମନାଥ ମନ୍ଦିର କଥା ଉଲ୍ଲେଖ କରିଥିଲେ ଯାହାକି ମହମୁଦ ଗଜନୀଙ୍କ ଦ୍ଵାରା ଭାଙ୍ଗିଦିଆ ଯାଇଥିଲା।

Comment