ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଟଳ ବିହାରୀ ବାଜପେୟୀ – ଲାଲକୃଷ୍ଣ ଆଡ଼ଭାନି-ମୂରଲୀ ମନୋହର ଯୋଶୀଙ୍କୁ ବିଜେପିର ତ୍ରିମୂର୍ତ୍ତି ଭାବେ ବିବେଚନା କରାଯାଉଥିଲା। ଏହି ତିନି ଜଣଙ୍କ ଯୋଡ଼ି ହିଁ ବିଜେପିକୁ କ୍ଷମତାକୁ ଆଣିବାରେ ସମର୍ଥ ହୋଇଥିଲା। ଆଉ ଏହି ତିନି ଜଣ ହିଁ ଆର୍‌ଏସ୍‌ଏସ୍‌ରୁ ବିଜେପିକୁ ଆସିଥିବା ବେଳେ ବିଭିନ୍ନ ସମୟରେ ଏକାଠି ବସି ରାଜନୀତି ଚର୍ଚ୍ଚା କରୁଥିଲେ। କିନ୍ତୁ ଏବେ ବିଜେପିର ତିନି ମୂର୍ତ୍ତିଙ୍କ ମେଣ୍ଟ ଭାଙ୍ଗି ଯାଇଛି।

ଅଟଳ ବିହାରୀ ବାଜପେୟୀ ଗୁରୁବାର ଆରପାରିକୁ ଚାଲିଯିବା ପରେ ଆଡ଼ଭାନି ଏବଂ ଯୋଶୀ ତାଙ୍କୁ ଝୁରୁଛନ୍ତି। ଆଡ଼ଭାନି କୋହଭରା କଣ୍ଠରେ ୬୫ ବର୍ଷର ପୁରୁଣା ବନ୍ଧୁଙ୍କୁ ହରାଇଥିବା କହିଛନ୍ତି। ସଂଘ ପ୍ରଚାରକଠାରୁ ଆରମ୍ଭ କରି ଭାରତୀୟ ଜନସଂଘ, ଜରୁରିକାଳୀନ ପରିସ୍ଥିତି ସମୟେରେ ଉଭୟ କିପରି ଏକାଠି କାମ କରୁଥିଲେ ତାହା ମନେପକାଇଛନ୍ତି।

ବରିଷ୍ଠ ନେତା ମୂରଲି ମନୋହର ଯୋଶୀ ମଧ୍ୟ ବାଜପେୟୀଙ୍କ କଥା ମନେପକାଇ କାନ୍ଦି ପକାଇଥିଲେ। ସେ କିଛି ସମୟ ପର୍ଯ୍ୟନ୍ତ ନୀରବ ହୋଇଯାଇଥିଲେ। ଦେଶ ଜଣେ ମହାନ ଜନନେତାଙ୍କୁ ହରାଇଲା ବୋଲି ସେ କହିଛନ୍ତି।

ବାଜପେୟୀ-ଆଡ଼ଭାନି-ଯୋଶୀ। ଏ ତିନି ଜଣ ଅଲଗା ପ୍ରଫେସନରୁ ଆସିଛନ୍ତି। କିଏ କବି ଭାବେ ପରିଚୟ ହାସଲ କରିଥିଲେ ତ ପୁଣି କିଏ ସାମ୍ବାଦିକ ଭାବେ କ୍ୟାରିଅର ଗଢ଼ୁଥିଲେ। ଆଉ କିଏ କଲେଜରେ ପ୍ରଫେସର ଥିଲେ। ହେଲେ ଏହି ତିନି ଜଣ ଅଲଗା ପ୍ରଫେସନର ବ୍ୟକ୍ତିତ୍ୱଙ୍କୁ ଏକାଠି କରିଥିଲା ସଂଘ। ସଂଘ ପ୍ରଚାରକରୁ ଏମାନେ ବିଜେପିର ତ୍ରିମୂର୍ତ୍ତି ପାଲଟି ଯାଇଥିଲେ।

ଛାତ୍ର ଜୀବନରୁ ଆର୍‌ଏସ୍‌ଏସ୍‌ରେ ସାମିଲ୍ ହୋଇଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ସ୍ୱୟଂସେବକ ଭାବେ ବାଜପେୟୀ ରାଜ୍ୟ ଏବଂ ଜାତୀୟ ସ୍ତରର ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଉଥିଲେ। ବକ୍ତୃତା ପ୍ରତିଯୋଗିତା ବେଳେ ତାଙ୍କ କବିତା ଆବୃତ୍ତି ହିଁ ବାଜପେୟୀଙ୍କୁ ଲୋକଙ୍କ ନିକଟତର କରି ପାରିଥିଲା।

ଏହାପରେ ବାଜପେୟୀ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ସଂସ୍ପର୍ଶରେ ଆସି ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ। ମୋରାଜୀ ଦେଶାଇଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ବାଜପେୟୀ ପରବର୍ତ୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୨୭ ନଭମ୍ବେର ୮ରେ ଜନ୍ମ ଗ୍ରହଣ କରିଥିଲେ ଲାଲକୃଷ୍ଣ ଆଡ଼ଭାନି। ୧୯୪୭ରେ ସେ ସଂଘର ସଚିବ ହୋଇଥିଲେ। ୧୯୫୧ରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘ ଗଢ଼ିବା ପରେ ଆଡ଼ଭାନି ଏଥିରେ ସଦସ୍ୟ ରହିଥିଲେ। ବିଭିନ୍ନ ପଦ ପଦବୀରେ ରହିବା ପରେ ୧୯୭୨ରେ ସେ ଜନସଂଘର ସଭାପତି ରହିଥିଲେ। ଏହାପରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ରହିଥିଲେ ଆଡ଼ଭାନି। ୧୯୮୬, ୧୯୯୩ ଏବଂ ୨୦୦୪ରେ ବିଜେପିର ଅଧ୍ୟକ୍ଷ ଥିଲେ ଏହି ବରିଷ୍ଠ ନେତା। ୧୯୮୯ରେ ଆଡ଼ଭାନିଙ୍କ ନେତୃତ୍ୱରେ ହିଁ ବିଜେପି ରାମଜନ୍ମଭୂମି ପ୍ରସଙ୍ଗ ଉଠାଇଥିଲା। ୨୦୦୪ରେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବାଜପେୟୀ। ଏହାପରେ ଆଡ଼ଭାନିଙ୍କୁ ବରିଷ୍ଠ ନେତାର ସମ୍ମାନ ଦିଆଯାଉଥିଲା। ଆଡ଼ଭାନି ସିନେମା ସମାଲୋଚକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ସେ କିଛି ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ମୂରଲି ମନୋହର ଯୋଶୀଙ୍କୁ ବିଜେପିର କୌଣସି ଗୁରୁତ୍ବପୂର୍ଣ୍ଣ ପଦପଦବୀ ମିଳି ନଥିଲେ ମଧ୍ୟ ସେ ଯେଉଁ ସ୍ଥାନରେ ପହଞ୍ଚିଥିଲେ ସେଥିପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଛି। ଛାତ୍ର ଜୀବନରୁ ଯୋଶୀ ଆର୍‌ଏସ୍‌ଏସ୍‌ରେ ସାମିଲ୍ ହୋଇଥିଲେ। ୧୯୫୨ରେ ହୋଇଥିବା ସୁରକ୍ଷା ସମ୍ପର୍କିତ ଆନ୍ଦୋଳନ ଏବଂ ୧୯୫୫ରେ ଉତ୍ତରପ୍ରଦେଶରେ କୁମ୍ଭ କିଷାନ ଆନ୍ଦୋଳନରେ ଯୋଶୀଙ୍କ ଅବଦାନ ସ୍ମରଣୀୟ।୧୯୮୦ରେ ବିଜେପି ପ୍ରତିଷ୍ଠାରେ ଯୋଶୀଙ୍କ ଅବଦାନ ମଧ୍ୟ ରହିଥିଲା। ୧୯୯୬ରେ ବିଜେପିର ୧୩ ଦିନିଆ ସରକାରରେ ଯୋଶୀ ଗୃହମନ୍ତ୍ରାଳୟର ମନ୍ତ୍ରୀ ରହିଥିଲେ।

ସବୁଠୁ ବଡ଼ କଥା ହେଉଛି ଏହି ତିନି ଜଣ ଅଲଗା ଅଲଗା ରାସ୍ତା ଦେଇ ରାଜନୀତିରେ ପ୍ରବେଶ କରିଛନ୍ତି। କଂଗ୍ରେସର ବିକଳ୍ପ ଦଳ ଭାବେ ବିଜେପିକୁ ଛିଡ଼ା କରିବାରେ ଏହି ତିନି ନେତାଙ୍କ ଅବଦାନ ରହିଛି। ସଂଘ ପରିବାରରୁ ତିନି ଜଣ ଆସିଥିବାରୁ ପରସ୍ପର ଭିତରେ ଘନିଷ୍ଠତା ବଢ଼ିଥିଲା। ଫଳରେ ବିଜେପି ୧୯୯୬ରେ ପ୍ରଥମ ଥର ପାଇଁ ଏକକ ସଂଖ୍ୟା ଗରିଷ୍ଠତା ପାଇଥିଲା। ଏହି ତିନି ଜଣଙ୍କ ଭିତରେ କୌଣସି ମତଭେଦ ନଥିବାରୁ ବାଜପେୟୀଙ୍କୁ ବିଜେପିର ସଭାପତି କରିଥିଲେ ଯୋଶୀ ଏବଂ ଆଡ଼ଭାନି।

ଏବେ ଏହି ତ୍ରିମୂର୍ତ୍ତିଙ୍କ ଭିତରୁ ବାଜପେୟୀ ଆରପାରିକୁ ଚାଲି ଯାଇଛନ୍ତି। ଯୋଶୀ ଏବଂ ଆଡ଼ଭାନି ମୋଦି-ଅମିତ ଶାହଙ୍କ ଯୁଗରେ ରାଜନୀତିରେ ଆଉ ସକ୍ରିୟ ନାହାନ୍ତି। ବାଜପେୟୀଙ୍କ ଦେହାନ୍ତ ଯୋଶୀ ଓ ଆଡ଼ଭାନିଙ୍କୁ ଗଭୀର ଦୁଃଖ ଦେଇଛି।

Comment