ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରିଦିଆଯିବ।

ରାଜ୍ୟ କଂଗ୍ରେସ ରୀତିମତ ନିର୍ବାଚନକୁ ଓହ୍ଲାଇବା ସଂକେତ ଦେଇଛି। ରବିବାର ଦିନ ନୂତନ ଭାବେ ଗଠିତ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ସବୁ ନେତା ଯୋଗ ଦେଇଥିଲେ।

ପ୍ରଥମ ଦିନର ବୈଠକ ପରେ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରିଦିଆଯିବ। ସେ କହିଛନ୍ତି, ‘ଆମେ ଆଗରୁ ଘୋଷଣା କରିଥିଲୁ କି ଅଗଷ୍ଟ ମାସ ଶେଷ ସୁଦ୍ଧା ୫୦ ଜଣ ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟନ କରିବୁ। କିନ୍ତୁ ଦଳର ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିବା କାରଣରୁ ଆଗାମୀ ୧୫ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦିଆଯିବ।’

ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ବସୁଛି।ଏଥିରେ ପ୍ରଥମ ୫୦ ବିଧାନସଭା ପ୍ରାର୍ଥୀଙ୍କ କଥା ବିଚାର କରାଯିବ। କେଉଁ ଭିତ୍ତିରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ତାହା ଇଲେକ୍ସନ କମିଟି ସ୍ଥିର କରିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ସେ ଏନେଇ କିଛି ଇଙ୍ଗିତ ମଧ୍ୟ ଦେଇଛନ୍ତି।

ଯେଉଁମାନେ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ସେମାନଙ୍କର ଦଳୀୟ ପ୍ରଦର୍ଶନ,କାର୍ଯ୍ୟ ଦକ୍ଷତା ଓ ତୃଣମୂଳ ସ୍ତରରେ ତାଙ୍କ ସମ୍ପର୍କକୁ ମୁଖ୍ୟ ଆଧାର କରାଯିବ। ରବିବାର ଦିନ ଯେଉଁ ବୈଠକ ବସିଥିଲା ସେଥିରେ ୨୦୧୯ ପାଇଁ ରଣନୀତି ପ୍ରସ୍ତୁତ, ପ୍ରାର୍ଥୀ ଚୟନ ଓ ଟିକେଟ ଆବଣ୍ଟନ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଆଲୋଚନା କରାଯାଇଥିଲା। ଅନ୍ୟ ଦଳ ଭଳି ବୁଥ ସ୍ତରରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗତ ମାସରେ ଜିତେନ୍ଦ୍ର ସିଂହ ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ଯାହା ଆଲୋଚନା କରିଥିଲେ (ଓ ନିଷ୍ପତ୍ତି ମଧ୍ୟ ହୋଇଥିଲା) ତାହା ହେଉଛି ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ‘ଗୋଟିଏ ପରିବାର, ଗୋଟିଏ ଟିକେଟ’ ନୀତି ଅବଲମ୍ବନ କରାଯିବ। ସେହିଭଳି ସେ ସ୍ପଷ୍ଟ କରିଥିଲେ ଯେ ଯୋଗ୍ୟତା ବିନା ଅନ୍ୟ କୌଣସି ବିଚାର କିମ୍ବା ସୁପାରିଶକୁ ଗ୍ରହଣ କରାଯିବ ନାହିଁ।

ପିସିସି ସଭାପତି ନିରଞ୍ଜନ ପଟନାୟକ ମଧ୍ୟ କହିଥିଲେ ଯେ ଜିତିବାର ସମ୍ଭାବନା ଉପରେ ପ୍ରାର୍ଥୀଙ୍କ ଟିକେଟ ପାଇବା ନିର୍ଭର କରିବ।ତା ଛଡ଼ା ଏଥର ନିର୍ବାଚନରେ ଯୁବକ, ମହିଳା ଓ ନୂଆ ମୁହଁ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ରବିବାର ଦିନ ଅନୁଷ୍ଠିତ ବୈଠକରେ ଆହୁରି ମଧ୍ୟ ସ୍ଥିର କରାଯାଇଛି ଯେ ଦଳ ପକ୍ଷରୁ ‘ମୋ ବୁଥ,ମୋ ଗର୍ବ’ ଶୀର୍ଷକ ଏକ ଅଭିଯାନ ଆରମ୍ଭ ହେବ।ଗତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ଏହି ମଡେଲକୁ ଗ୍ରହଣ କରାଯାଇଥିଲା ଓ ଦଳକୁ ବେଶ୍ ସଫଳତା ମଧ୍ୟ ମିଳିଥିଲା।

ବୁଥ ଯୋଗାଯୋଗ ବେଳେ କଂଗ୍ରେସର ନୀତି ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ବୁଝାଇଦିଆଯିବ ବୋଲି ରବିବାର ବୈଠକରେ ଫଇସଲା ହୋଇଛି। ଆଗାମୀ ଦିନରେ ପ୍ରତିଟି ବୁଥର ଭୋଟରଙ୍କ ପାଖରେ ଦଳର ନେତା ମାନେ ପହଞ୍ଚିବେ। ଦୁଇ ତିନି ଜଣ ସ୍ଥାନୀୟ ନେତାଙ୍କୁ ନେଇ ଏକ ପେନାଲ ଗଠନ ହେବ ଓ ଏଥିରେ ୩-୪ ଜଣ ସଦସ୍ୟ ରହିବେ।

Comment