ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଦଶହରା ଅବସରରେ ଦୁଇଟି ନୂଆ ଓଡ଼ିଆ ସିନେମା ରିଲିଜ୍‌ ହେବା ଥୟ। ଗତଥର ଭଳି ଏଥର ମଧ୍ୟ ସୁପରଷ୍ଟାର୍‌ ବାବୁସାନ୍‌ ‘ଶ୍ରୀମାନ୍‌ ସୁରଦାସ’ ବନି ଆସୁଛନ୍ତି ପରଦାକୁ।

୨୦୧୮ ପୂଜା ବଜାରକୁ ସରଗରମ କରିବ ଦୁଇଟି ଓଡ଼ିଆ ଛବି। ଏ ଦୁଇଟି ସିନେମା ହେଲା ‘ଶ୍ରୀମାନ୍‌ ସୁରଦାସ’ ଓ ଅନ୍ୟଟି ହେଲା ‘ପ୍ରେମ୍‌ କୁମାର’।

ବାବୁସାନ୍‌ ହେଲେ ଶ୍ରୀମାନ୍‌ ସୁରଦାସ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ବନିବା ପରେ ଏବେ ହୋଇଛନ୍ତି ଶ୍ରୀମାନ୍‌ ସୁରଦାସ। ‘ଶ୍ରୀମାନ୍‌ ସୁରଦାସ’ ଚରିତ୍ରରେ ପୂଜା ବଜାରକୁ ଆସିବେ ବାବୁସାନ୍‌।

ତରଙ୍ଗ ସିନେ ପ୍ରଡକ୍ସନର ନୂଆ ସିନେମା ‘ଶ୍ରୀମାନ୍‌ ସୁରଦାସ’ରେ ବାବୁସାନ୍‌ ଟାଇଟଲ୍‌ ରୋଲ୍‌ରେ ଆସୁଛନ୍ତି। ଏହି ଫିଲ୍ମରେ ଦର୍ଶକ ତାଙ୍କର ପ୍ରିୟ ନାୟକଙ୍କୁ ଜଣେ ଦୃଷ୍ଟିହୀନ ଯୁବକ ଭୂମିକାରେ ଦେଖିବାକୁ ପାଇବେ।

ଫେରିଲେ ବୁଦ୍ଧାଦିତ୍ୟ

ଓଲିଉଡର ପ୍ରତିଭାବାନ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବେଶ୍‌ କିଛି ଦିନର ବ୍ୟବଧାନରେ ପୁଣି ଓଡ଼ିଆ ସିନେମାରେ ନଜର ଆସିବେ। ସେ ‘ଶ୍ରୀମାନ୍‌ ସୁରଦାସ’ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

‘ଶ୍ରୀମାନ୍‌ ସୁରଦାସ’ ହେବ ବୁଦ୍ଧାଦିତ୍ୟଙ୍କର ବାବୁସାନ୍‌ ଓ ତରଙ୍ଗ ସିନେ ପ୍ରଡକ୍ସନ୍ ସହିତ ଦ୍ୱିତୀୟ ସିନେମା। ବୁଦ୍ଧାଦିତ୍ୟ ଆଗରୁ ବାବୁସାନ୍‌ଙ୍କ ସହିତ ଫିଲ୍ମ ‘ଲୋଫର୍‌’ରେ କାମ କରିଥିଲେ। ଏଣେ ବୁଦ୍ଧାଦିତ୍ୟ ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନର୍‌ରେ ନିର୍ମିତ ‘ଜଗା ହାତରେ ପଘା’ରେ ଆଗରୁ ଖଳନାୟକ ଭୂମିକାରେ ନଜର ଆସିଥିଲେ। ବୁଦ୍ଧାଦିତ୍ୟ ନିର୍ଦ୍ଦେଶକ ପତିଙ୍କ ସହିତ ମଧ୍ୟ ନନ୍ଦିନୀ ଆଇ ଲଭ ୟୁ, ପ୍ରେମରୋଗୀ ଓ ଲୋଫର୍‌ ପରେ ପୁଣି ଥରେ ‘ଶ୍ରୀମାନ ସୁରଦାସ’ରେ କାମ କରୁଛନ୍ତି।

ବାବୁସାନ୍‌- ଭୂମିକା ଯୋଡ଼ି

‘ଶ୍ରୀମାନ ସୁରଦାସ’ରେ ଦର୍ଶକ ଦ୍ୱିତୀୟ ଥର ପାଇଁ ବାବୁସାନ୍‌- ଭୂମିକାଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ। ଏହି ସିନେମା ପୂର୍ବରୁ ବାବୁସାନ୍‌ ଓ ଭୂମିକା ଗତବର୍ଷ ପୂଜା ବଜାରରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନମ୍ବର ୱାନ୍’ରେ ନଜର ଆସିଥିଲେ। ଏହି ସିନେମାରେ ବାବୁସାନ୍‌-ଭୂମିକା ପୁଣି ଧମାଲ୍ କରିବେ ବୋଲି ଆଶା କରାଯାଉଛି।

‘ଶ୍ରୀମାନ ସୁରଦାସ’ରେ ଭୂମିକା ଦାଶ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅଶୋକ ପତିଙ୍କ  ନିର୍ଦ୍ଦେଶନାରେ କାମ କରୁଛନ୍ତି। ଠିକ୍‌ ସେହିପରି ଏହି ଯୋଡ଼ିକୁ ନିର୍ଦ୍ଦେଶକ ଅଶୋକ ପତି ମଧ୍ୟ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି।

ଖଳନାୟକ ଭୂମିକାରେ ମିହିର ଦାସ

‘ଶ୍ରୀମାନ ସୁରଦାସ’ ସିନେମାରେ ମିହିର ଦାସ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନସ ଓ ନିର୍ଦ୍ଦେଶକ ଅଶୋକ ପତି ଭର୍ସାଟାଇଲ୍‌ ଆକ୍ଟରେ ମିହିର ଦାସଙ୍କୁ ପୁଣି ଏକ ଦମ୍‌ଦାର୍‌ ଭୂମିକାରେ ନେଇଥିବା କୁହାଯାଉଛି।

କାଷ୍ଟ୍-କ୍ରେଡିଟ୍ସ

ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ସିନେମା ‘ଶ୍ରୀମାନ ସୁରଦାସ’ର ସଂଳାପକାର ହେଲେ ରଣଜିତ ପଟ୍ଟନାୟକ। ଏହାର ଗୀତିକାର ଡ ନିର୍ମଳ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର୍।

‘ଶ୍ରୀମାନ୍‌ ସୁରଦାସ’ରେ ବାବୁସାନ୍‌, ଭୂମିକା, ମିହିର ଦାସ, ବୁଦ୍ଧାଦିତ୍ୟ ମହାନ୍ତି, ଅଶ୍ରୁମୋଚନ, ସଲିଲ ମିତ୍ର, ଅପରାଜିତା ଏବଂ ତ୍ରିଭୁବନ ପଣ୍ଡା ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ। ଏହା ମଧ୍ୟ ଏକ ରୋମାଣ୍ଟିକ୍‌ କମେଡ଼ି।

‘ଶ୍ରୀମାନ୍‌ ସୁରଦାସ’ର ସୁଟିଂ ଜୋରସୋର୍‌ରେ ଚାଲିଛି। ଏହା ଦଶହରା ଅବସରରେ ରିଲିଜ୍‌ ହେବ। ‘ଶ୍ରୀମାନ ସୁରଦାସ’ ହେବ ବାବୁସାନଙ୍କ ଅଭିନୀତ ଏ ବର୍ଷର ଚତୁର୍ଥ ସିନେମା। ଇତିମଧ୍ୟରେ ଦର୍ଶକ ତାଙ୍କୁ ଚଳିତ ବର୍ଷ ଓନ୍‌ଲି ପ୍ୟାର୍‌, ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ଲୋକାଲ୍‌ ଟୋକା ଲଭ୍‌ ଚୋଖା’ରେ ଦେଖିବାକୁ ପାଇସାରିଛନ୍ତି।

Comment