ଓଡ଼ିଶାଲାଇଭ୍ ବ୍ୟୁରୋ

- ମୁଣ୍ଡଳି ବ୍ରିଜରେ ପ୍ରବାହିତ ହେଉଛି ସାଢ଼େ ୬ ଲକ୍ଷ କ୍ୟୁସେକ୍ ବନ୍ୟାପାଣି
- ରାତି ସୁଦ୍ଧା ବଢ଼ିପାରେ ଜଳ ସ୍ତର
- ମହାନଦୀ ଅବବାହିକାର ବିଭିନ୍ନ ସ୍ଥାନରେ ପଶିଲା ବନ୍ୟାପାଣି
- ରାସ୍ତା ବୁଡ଼ିଲା, ଚାଷଜମି ବି ଜଳମଗ୍ନ
ମହାନଦୀରେ ବନ୍ୟା ଆଶଙ୍କା ଟଳିଛି। ମୁଣ୍ଡଳି ବ୍ରିଜରେ ଏବେ ସାଢ଼େ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଅବବାହିକାର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ ପାଣିଘେରରେ ରହିଛନ୍ତି।
ଏପଟେ ହୀରାକୁଦ ଡ୍ୟାମର ୫ଟି ଗେଟ୍କୁ ଆଜି ଅପରାହ୍ଣରେ ବନ୍ଦ କରାଯାଇଛି। ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।
ସୋନପୁର ଜିଲ୍ଲା ବୀରମହାରାଜପୁରର ଚଣଗୁଣ୍ଡିନାଳ ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଠମଲ୍ଲିକର ଅଧିକାଂଶ ଗାଁରେ ପାଣି ପଶିଛି। ବାଙ୍କିର ରତାଗଡ଼, ବନ୍ଦାଳ, ବାଉଁଶପୁଟ ପଞ୍ଚାୟତର ଅନେକ ଗାଁରେ ପାଣି ପଶିଛି।
ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ଗଣିଆ ବ୍ଲକର ରାସଙ୍ଗ ନିକଟସ୍ଥ ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଗଣିଆ ଓ ଛାମୁଣ୍ଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି।
ଏବେ ହୀରାକୁଦରୁ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୩୧ ହଜାର ୯୯ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୭ ହଜାର ୩୩୧ କ୍ୟୁସେକ୍ ପାଣି ହୀରାକୁଦରେ ପ୍ରବେଶ କରୁଛି। ମଉଣ୍ଡଳୀଠାରେ ସାଢ଼େ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ରାତି ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି।















