ଓଡ଼ିଶାଲାଇଭ ବ୍ୟୁରୋ

୨୦୧୬ ରିଓ ଅଲିମ୍ପିକ୍ ବେଳ ଦୂତିଙ୍କ ପାଖରେ ନଥିଲା ହଳେ ସ୍ପାଇକ୍।

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇଟି ଇଭେଣ୍ଟରେ ଦୌଡ଼ ରାଣୀ ଦୂତି ଚାନ୍ଦ କମାଲ୍ ଦେଖାଇଛନ୍ତି। ୧୦୦ ଏବଂ ୨୦୦ ମିଟର ଦୌଡ଼ରେ ଦୁଇଟି ରୌପ୍ୟ ପଦକ ଜିତି ଦୂତି ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିଛନ୍ତି।

ପଦକ ଜିତିବା ପରେ ଦୂତିଙ୍କ ଉପରେ ଯେଉଁଭଳି ଧନ ବର୍ଷା ହେଉଛି ଏବଂ ପ୍ରଶଂସାରେ ସେ ପୋତି ହୋଇପଡ଼ୁଛନ୍ତି, ତାହା ଏହି ଖେଳାଳିଙ୍କ ସଫଳତାର ଗୋଟିଏ ଦିଗ ମାତ୍ର। ଗରିବ ପରିବାରରୁ ଆସିଥିବାରୁ ତାଙ୍କୁ କି ପ୍ରକାର କଷ୍ଟ ସହିବାକୁ ପଡ଼ିଛି ତା’ର ହିସାବ ନାହିଁ। ଯେହେତୁ ଦୂତି ବର୍ତ୍ତମାନ ସଫଳତାର ଶୀର୍ଷରେ,ଏବେ ତାଙ୍କ କ୍ରୀଡ଼ା ଜୀବନର ଗୋଟିଏ ଘଟଣା ମନେପକାଇ ଦେବାରେ କିଛି ଅସୁବିଧା ନାହିଁ।

ଘଟଣାଟି ୨୦୧୬ ରିଓ ଅଲିମ୍ପିକ୍ ବେଳର। ଦୂତିଙ୍କ ପାଖରେ ହଳେ ସ୍ପାଇକ (ଯେଉଁ ଯୋତା ପିନ୍ଧି ଧାବକମାନେ ଦୌଡ଼ିଥାନ୍ତି) ନ ଥିଲା ଓ ତାଙ୍କ ଇଭେଣ୍ଟର ମାତ୍ର ଦୁଇ ଚାରିଦିନ ପୂର୍ବରୁ ଜର୍ମାନିରୁ ଏହି ଜୋତା ଆସିବାରୁ ଦୂତି ଦୌଡ଼ି ପାରିଥିଲେ। କେନ୍ଦ୍ର ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ ଓ ଅଲିମ୍ପିକ୍ସ ଅଂଶଗ୍ରହଣକାରୀଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସ୍ପୋର୍ଟସ ଅଥରିଟିଙ୍କ ବାହାସ୍ଫୋଟ ସତ୍ତ୍ୱେ ଖେଳାଳିମାନେ କିଭଳି ଛୋଟ ଛୋଟ କଥାରୁ ବଞ୍ଚିତ ହୋଇଥାନ୍ତି ଦୂତିଙ୍କ ଏହି ଘଟଣା ତା’ର ପ୍ରମାଣ।

ବ୍ରାଜିଲ ଯିବାକୁ ଆଉ ମାତ୍ର ଅଳ୍ପ ଦିନ ଥାଏ। ଦୂତିଙ୍କ କୋଚ ଏନ୍ ରମେଶ କିନ୍ତୁ ଚିନ୍ତାରେ ପଡ଼ିଯାଇଥାଆନ୍ତି। ଚିନ୍ତାର କାରଣ ଦୂତିଙ୍କ ପ୍ରତିଯୋଗିତା ପାଇଁ ଆବଶ୍ୟକ ହେଉଥିବା ହଳେ ସ୍ପାଇକ କେମିତି ଯୋଗାଡ଼ କରିବେ। ସେତେବେଳକୁ ବ୍ରାଜିଲରେ ସବୁଦିନ ବର୍ଷା ହେଉଥାଏ। ରମେଶ ବ୍ୟସ୍ତ ହେଉଥାନ୍ତି ଯେ ଯଦି ଦୂତିଙ୍କ ସ୍ପାଇକ ଓଦା ହୋଇଯାଏ ତାଙ୍କ ପାଖରେ ଆଉ ହଳେ ଯୋତା ନଥିବ। କିନ୍ତୁ ତାଙ୍କର ସବୁ ଚେଷ୍ଟା ବିଫଳ ହୋଇଯାଉଥାଏ। ଦୂତି ରିଓ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ରମେଶ ଏନେଇ ଜଣେ ସ୍ପୋର୍ଟସ ସାମ୍ବାଦିକଙ୍କ ସହ ଫୋନରେ କଥା ହେଲେ।

ଭାରତରେ ଖେଳ ପ୍ରଶାସକଙ୍କ ହାବଭାବ ଜାଣିଥିବା ଏହି ସାମ୍ବାଦିକ ଯେତେବେଳେ ଶୁଣିଲେ ଯେ ଦୂତିଙ୍କ ପାଖରେ ସ୍ପାଇକ ନାହିଁ, ସେ ଆଦୌ ଆଶ୍ଚର୍ଯ୍ୟ ହୋଇ ନଥିଲେ।

ତା’ପରେ ସେହି ସାମ୍ବାଦିକ ଜର୍ମାନିର ବନ୍ ସହରରେ ଥିବା ଜଣେ ବନ୍ଧୁ ଅନ୍ୱର ଜମାଲ ଅସରଫଙ୍କ ସହିତ କଥାବାର୍ତ୍ତା କଲେ। ଜଣେ ଟିଭି ପ୍ରଡ୍ୟୁସର ଥିବା ଅସ୍‌ରଫ ହଳେ ଜୋତା ଦେବା ପାଇଁ ରାଜି ହୋଇଗଲେ। କିନ୍ତୁ ସମସ୍ୟା ହେଉଛି ଠିକଣା ସମୟରେ ଦୂତି ସେଇଟିକୁ କେମିତି ପାଇବେ?

ସୌଭାଗ୍ୟବଶତଃ, ଅଫ୍‌ସରଙ୍କ ଜଣେ ବନ୍ଧୁଙ୍କ ପୁଅ ଫ୍ରାଙ୍କଫର୍ଟ ନିକଟ ମେଂଜରେ ୟଙ୍ଗ ଲିଡର୍ସ କ୍ୟାମ୍ପ ସାରି ଫେରୁଥାନ୍ତି। ପରଦିନ ସକାଳେ ହଳେ ଆସିକ୍ସ ଟାଇଗର ଜୋତା କିଣି ପ୍ରାୟ ଦୁଇଶହ କିମି ବାଟ କାରରେ ଯାଇ ଅଫସର ସେହି ବନ୍ଧୁଙ୍କ ପୁଅ ହାତରେ ଜୋତାଟିକୁ ଦେଇଥିଲେ ଓ ଶେଷରେ ତାହା ଦୂତିଙ୍କ ପାଖରେ ପହଞ୍ଚି ଯାଇଥିଲା।

ଜଣେ ଭଲ ମଣିଷ ଓ ଜଣେ ଖେଳୁଆଡ଼ ହୋଇଥିବାରୁ ଅନ୍ୱର ଜୋତାର ମୂଲ୍ୟ ନେବାକୁ ତ ମନା କରିଦେଇଥିଲେ, ବରଂ ଓଲଟା କହିଲେ ଯେ ଭାରତର ଖେଳାଳିଙ୍କ ପାଇଁ ସେ କିଛି କରିପାରିଲେ ସେଥିପାଇଁ ସେ ଖୁସି। ସେ ପଚାରିଲେ, “ଜଣେ ଭାରତୀୟ ଖେଳାଳିଙ୍କୁ ସାହାଯ୍ୟ କରିବାକୁ ହେଲେ ଦୁଇଶହ ୟୁରୋ ମୋ ପାଇଁ କଣ?”

Comment